ବରଷାରାଣୀ ବରଷାରାଣୀ
ବରଷାରାଣୀ ବରଷାରାଣୀ
ବରଷାରାଣୀ ବରଷା ରାଣୀ
ମେଘ ଓଢ଼ଣି ଟାଣି l
ଦୁମୁ ଦୁମୁକା କୁଆ କରକା
ବରଷି ଦେଏ ପାଣି ll
ହୋଇ ଚାତକ ଅତି ଆତଙ୍କ
ସରଗେ ଛନ୍ତି ଚାହିଁ l
ବୃକ୍ଷରୁ ଝଡ଼ି ପତର ପଡ଼ି
ଝିଙ୍କାରୀ ଝିଇଁ ଝିଇଁ ll
ଟାଙ୍ଗର ମହୀ ଆର୍ତ୍ତେ କାନ୍ଦଇ
ଶୁଖିଲା ନାଳ ନଈ l
ଜୀବ ସକଳ ହୋଇ ଆକୁଳ
ଡାକନ୍ତି ତ୍ରାହି ତ୍ରାହି ll
ହନୁ ଲାଙ୍ଗୁଳ ନିଆଁର ହୁଳ
ଗାଆଁକୁ ଗାଆଁ ଡେଇଁ l
ଶ୍ମଶାନ ଜାଣ ହେଲାଣି ପୁଣ
ପାଞ୍ଜିଆ ଥିଲେ କହି ll
ବେଙ୍ଗ ମୁଣ୍ଡର ଦେଇ ସିନ୍ଦୁର
ବେଙ୍ଗୁଲି ବାହା ବାଜା l
ଜନେ ପୂଜନ୍ତି ଭକ୍ତିରେ ଅତି
ଇନ୍ଦର ମେଘ ରାଜା ll
ହେ ମେଘ ରାଜା ବଜାଇ ବାଜା
ଚାରି ମେଘକୁ ପେଷି l
ଆଆରେ ଆଆ ଶୀତଳ ବାଆ
ଢାଳି ଦେଇ ଯା ଆସି ll
ଘୋଟିଲା ମେଘ ପ୍ରାଣୀ ଆବେଗ
ନଭେ ଜଳଦ ମାଳ l
ପ୍ରାଣୀ ଜୀବନ ସନ୍ତୋଷ ଜନ
ବିଜେ ବରଷା କାଳ ll
ରଜ ମଉଜ ସାଜି ଫଉଜ
ଧରଣୀ ମାତା ପୁଜା l
ରଥ ଦଉଡି଼ ଭକତେ ଭିଡ଼ି
ଶ୍ରୀକ୍ଷେତ୍ରେ ବାଜେ ବାଜା ll
