ବର୍ଷାକାଳ ଘନଶ୍ୟାମ ଜେନା
ବର୍ଷାକାଳ ଘନଶ୍ୟାମ ଜେନା
ବର୍ଷାକାଳ
ଆଦ୍ୟ ଆଷାଢ଼ର ଭୂରୁ ଭୂରୁ ବାସ୍ନା
ମାଟିରୁ ଆସଇ ଭାସି
ଝୁମି ଝୁମି ଉଠେ ମତୁଆଲା ମନ
ଆନନ୍ଦେ ବିଭୋର ଚାଷୀ ୧।
ଝିପିଝିପି ବର୍ଷା ଝିରିଝିରି ବର୍ଷା
ଝରି ଝରି ଆକାଶରୁ
ଶିରି ଶିରି ବହେ କୋହଲା ପବନ
ଶୀତେଇ ଉଠଇ ଉରୁ।୨।
କଳା ମିଚି ମିଚି ବାଦଲ ଉଢାଳୁ
ବିଜୁଳି ଘଡ଼ିକି ଘଡ଼ି
ଘୋର ଗରଜନେ ଗରଜି ଉଠଇ
ଘଡ଼ଘଡ଼ି ଚଡ଼ଚଡ଼ି।
ପାଣି ପଚପଚ କାଦ ମଚ ମଚ
ସାରୁ ଗଛ ମୂଳେ ବସି
ଫୁକୁରୁ ଫୁକୁରୁ ବେଙ୍ଗୁଲି ନାନୀର
ମନଟି ବହୁତ ଖୁସି।୪।
ନାଲି ଟୁକୁ ଟୁକୁ ସାଧବ ବୋହୂଟି
ନାଲିଆ ଓଢ଼ଣା ଟାଣି
ସବୁଜ ରଙ୍ଗର ଦୁବ ଘାସ ପରେ
ଦେଖାଇ ତାହାର ଠାଣି।୫।
ଝିଇଁ ଝିଇଁ ଝିଇଁ ଝିଙ୍କାରୀର ସ୍ୱନ
ଭାସି ଆସେ ତୋଟା ମାଳୁ
କେଁ କଟର କରି ବ୍ରାହ୍ମଣୀ ବେଙ୍ଗୁଲି
ଡାକ ଦିଏ ଗଡ଼ିଆରୁ।୬।
କଳଲଙ୍ଗଳର କରକଶ ସ୍ବର
ଶୁଭେ ଦୂର ବିଲମାଳୁ
ବଗୁଲି, ବତକ ଡାହୁକର ଡାକ
ଶୁଭଇ ସରସୀ ଜଳୁ।୭।
ପଲ୍ଲୀ ରମଣୀଏ ଗାଁ ଗୋହିରୀରେ
ମିଳିମିଶି ରୁଅନ୍ତି ଧାନ
ଖରା ବରଷାକୁ ଖାତିରି ନଥାଏ
ସଙ୍ଗେ ହୁଳହୁଳି ତାନ।୮।
ଡେଣା ଝାଡ଼ି ଝାଡ଼ି ମାଛରଙ୍କା ପକ୍ଷୀ
ମୀନ ଧରିବାର ଆଶେ
ବିମଳ ଜଳରେ ପ୍ରତିବିମ୍ବ ତା'ର
ଆହା କି ସୁନ୍ଦର ଦିଶେ।୯।
ଧାଡ଼ି ଧାଡ଼ି ହୋଇ ଗେଣ୍ଡାଳିଆ ଦଳ
ଉଡ଼ି ଉଡ଼ି ଯାଏ ଦୂରେ
ଚାହୁଁ ଚାହୁଁ ନୀଳ ଦିଗବଳୟ କୋଳେ
ମିଳିଯାଏ ପଲକରେ।୧୦।
ସଞ୍ଜ ହୋଇଗଲେ ମିଞ୍ଜି ମିଞ୍ଜି ହୋଇ
ତାରା ଫୁଲ ଉଠେ ଫୁଟି
ଚଉରା ମୂଳରେ ପଲ୍ଲୀ ବଧୂ ମିଳି
ଜାଳି ଦିଏ ସଂଜବତି।୧୧।
କଳା କିଟି କି ଟି ଅନ୍ଧାର ରାତିରେ
ଟିକି ଟିକି ତାରାଗଣେ
ମିଟି ମିଟି ହୋଇ ଚାହିଁ ରହିଛନ୍ତି
ନିର୍ମଳ ନୀଳ ଗଗନେ।୧୨।
କଇଁ କଇଁ କାନ୍ଦେ କଅଁଳ ଶିଶୁଟି
ମିଟି ମିଟି କରି ଆଖି,
ଦରୋଟି ଭାଷାକୁ ଖିଲି ଖିଲି ହସ
ମନ ରହିଯାଏ ଲାଖି।୧୩।
ମନ୍ଦ ମନ୍ଦ ବହେ ଶୀତଳ ପବନ
ଉଲ୍ଲସିତ ତନୁ ମନ
ବିରହ ବେଦନା ବଳରେ ବ୍ୟାକୁଳ
ତରୁଣ ତରୁଣୀଗଣ।୧୪।
