STORYMIRROR

Ramachandra Bhutia

Abstract Others Children

4  

Ramachandra Bhutia

Abstract Others Children

ବର୍ଷା ଯେବେ ଆସେ

ବର୍ଷା ଯେବେ ଆସେ

1 min
333

ବର୍ଷା ଯେବେ ଆସେ

ସବୁଜ ସୁନ୍ଦର ଦିଶେ

ଧରା ଭରା ନବରସେ

କୀଟୁ ବ୍ରହ୍ମ ଯାଏ ହୁଅନ୍ତି ତୃପତ

ଚର୍ତୁମାସ୍ୟା ବର୍ଷା ମାସେ ।।୧।।


ବର୍ଷା ଯେବେ ଆସେ

ମାଟିର ମହକ ବାସେ

ଚଷା ଭାଇ ହଳ ଚଷେ

ଧରଣୀ ରାଣୀଟି ଶାଗୁଆ ଶାଢୀରେ

ସରମି ସରମୀ ହସେ।।୨।।


ବର୍ଷା ଯେବେ ଆସେ

ସାଧବ ବୋହୁଟି ଦିଶେ

ଧୀରେ ଚାଲୁଥାଏ ଘାସେ

ନାଲି ଟୁକୁଟୁକୁ ଦେହଟି ତାହାର

ଆହା କି ସୁନ୍ଦର ଦିଶେ।।୩।।


ବର୍ଷା ଯେବେ ଆସେ

ଓଳିଆରୁ ପାଣି ଖସେ

ଇନ୍ଦ୍ରଧନୁ ଟି ଆକାଶେ

ରଙ୍ଗୋଳି ମୁରୁଜ ସୁରୁଜ ବିଞ୍ଚିଛି

ପୃଥ୍ୱୀର ଲଲାଟ ପାଶେ।।୪।।


ବର୍ଷା ଯେବେ ଆସେ

କେତେ ଯେ ପରବ ଆସେ

ଚିତଉ ପିଠାଉ ବାସେ

ରଜ ପରବ ଠୁ ଶ୍ରୀଗଣେଶ ପୂଜା

ମନେ କେ ହିସାବ କଷେ।।୫।।


ବର୍ଷା ଯେବେ ଆସେ

ମୁଖରିତ ଗାଁ ପ୍ରଦୋଷେ

ମଣ୍ଡୁକ ମାନଙ୍କ ହସେ

ପିଣ୍ଡାରେ ମୁରବି ମାମଲତକାର 

ମାନଙ୍କ ସଭା ଯେ ବସେ।। ୬।।


ବର୍ଷା ଯେବେ ଆସେ

ଦୁଃଖୀ ମୁଣ୍ଡେ ଚିନ୍ତା ପଶେ

ସ୍ବାମୀକୁ କୁହେ ତା' ରୋଷେ

କେମିତି ଚଳିବା ଘରେ ପରା ନାହିଁ

ଚାଉଳ କି ଖୁଦ ପୋଷେ।।୭।।


ବର୍ଷା ଯେବେ ଆସେ

ଗଡ଼ିଆ ପୋଖରୀ ଭାସେ

ନଦୀରେ ବଢ଼ି ତ ଆସେ

କେତେ ମହାଦ୍ରୁମ ହୋଇ ଅସହାୟ

କୂଳ ଛାଡ଼ି ଜଳେ ଧସେ।।୮।।


ବର୍ଷା ଯେବେ ଆସେ

ଖୁସିରେ କିଏ ସେ ହସେ

କାହା ପାଇଁ ଦୁଃଖ ଆସେ

କା ଘର ଉଛୁଳେ ହସ ଲହରୀ ରେ

କେ ଦୁଃଖ ଦରିଆରେ ଭାସେ।।୯।।


ବର୍ଷା ଯେବେ ଆସେ

ପ୍ରଚଣ୍ଡ ନିଦାଘ ଶେଷେ

ନବ ପୁଲକର ଆଶେ

ବସୁନ୍ଧରା ଆମ ହୁଏ ପୁଲକିତ

ନବ ଜୀବନ ଉଲ୍ଲାସେ।।୧୦।।


Rate this content
Log in

Similar oriya poem from Abstract