ବର୍ଷା ଭିଜା ସେଇ ମାଟିର ମହକ
ବର୍ଷା ଭିଜା ସେଇ ମାଟିର ମହକ
ଆଦ୍ୟ ଶ୍ରାବଣର ଅସରା ବର୍ଷାରେ
ଭିଜି ଭିଜି ଦିନେ ଗଲି
ନିରୁତା ଉତ୍ସାହ ମନେ ଭରି ଦେଇ
ନିଜକୁ ସୁଦୃଢ କଲି l
କର୍ତ୍ତବ୍ୟ ପଥରେ ହେଲି ଆନମନା
ପ୍ରତିକୂଳ ସ୍ଥିତି ନେଇ
ବର୍ଷା ଭିଜା ସେଇ ମାଟିର ମହକ
ହୃଦୟକୁ ଗଲା ଛୁଇଁ l
ସାଇତା ସ୍ମୃତିର ଶ୍ୱେତ ପୋଥିଟିଏ
ଖୋଲିଗଲା ଆପେ ଆପେ
କହିଗଲା ସେତ ଶ୍ରବଣରେ ମୋର
ସ୍ମୃତି ଭିଜା ବାର୍ତ୍ତାଳାପେ l
ସେହି ପିଲାଦିନ ପଡିଆ ପ୍ରାନ୍ତରେ
ସାଥୀ ମେଳେ ଖୁସି ଖେଳ
ଗଡ଼ିଗଲା କାହିଁ ସମୟ ସ୍ରୋତରେ
ଭାବିବାକୁ ନାହିଁ ବେଳ l
କେତେଯେ ଭିଜିଛୁ ବରଷା ବାରିରେ
ଯିବା ଆସିବାର ପଥେ
ନଥିଲା ଖାତିରି ଅବା ଭୟ ଟିକେ
ଯାତ୍ରା ଦୃଢ଼ ମନୋରଥେ l
ଭିଜିଛି ବି କେବେ ବହି ବସ୍ତାନିର
ସୁକୋମଳ ଅଙ୍ଗ ରାଶି
କେତେ ଯତନରେ ମାଆ ପୁଣି
ତାକୁ ଶୁଖାଇଛି ବସି ବସି l
କେତେ ଆଦରରେ ଶରୀରକୁ ମୋର
ପଣତରେ ପୋଛିଦେଇ
ଆକଟ କରିଛି ଥଣ୍ଡା ଜ୍ଵର ହେବ
ଆଉ ଓଦା ହେବୁନାହିଁ l
ସେଇ ବେଳ ଆଜି ସ୍ମୃତି ପାଖୁଡ଼ାରୁ
ଝଡ଼ି ଝାଡ଼ି ଯାଏ ଧୀରେ
ମାଆର ଶରଧା ସ୍ନେହଭିଜା ବାଣୀ
ଅଛି କାହିଁ କେତେ ଦୂରେ l
ନିଜେ ଆଜି ପୁଣି ମାଆଟିଏ ହେଇ
ସନ୍ତାନ ସ୍ନେହରେ ଭିଜି
ଭୁଲି ଯାଏ ନିଜ ଦୁଃଖ ଓ କଷଣ
କର୍ତ୍ତବ୍ୟ କର୍ମରେ ମଜ୍ଜି l
ଚାହିଁ ଦେଖେ ପୁଣି ସେଇ ବର୍ଷାପାଣି
ବହିଯାଏ ଗାଆଁ ଦାଣ୍ଡେ
ଭିଜି ଭିଜି ପିଲା ଡଙ୍ଗା ଭସାଅନ୍ତି
କାଗଜରେ ଖଣ୍ଡେ ଖଣ୍ଡେ l
ଆଜି ଏ ବରଷା ଅନେକ ସ୍ମୃତର
ଶେଫାଳି ପରାଏ ଆସେ
ମନ ପ୍ରାଣକୁ ମୋ ସୁଗନ୍ଧିତ କରି
ଲୁଚି ଲୁଚି ସିଏ ହସେ l
ବୟସର ଏଇ ଅପରାହ୍ଣରେ
ଭିଜୁନି ଆଉ ମୁଁ କାହିଁ
ଭବ୍ୟ ଚେତନାରେ ଭିଜିବାକୁ ଖାଲି
ମନ ମୋ ଦେଉଛି କହି l
ପ୍ରଭୁ ଜଗନ୍ନାଥ ହେଇଛି ମୁଁ କ୍ଲାନ୍ତ
ନାରୀଚିକା ପଥେ ଭିଜି
ଛାଡ଼ି ମୋହମାୟା ମନ ମୋ ଚାହୁଁଛି
ତୁମ ଠାରେ ଯିବି ହଜି l