ଫିକା ପଡ଼ିଲାଣି
ଫିକା ପଡ଼ିଲାଣି
ଗଜଲକ୍ଷ୍ମୀ ପୂଜାର ଝଲକ ଚମକ ତଳେ
କୁମାର ପୂର୍ଣମୀର ଚପଳଛନ୍ଦ ଚାନ୍ଦ
ଖେଳୁଛି ଆକାଶ ଅଗଣା କୋଳେ ହସି ମନ୍ଦ ମନ୍ଦ
ରହି ରହି ଶୁଭୁଛି ଫୁଲ ବଉଳବେଣୀ ଗୀତ
ସୁକୁମାରୀ କୁମାରୀ କଣ୍ଠରୁ କମ୍
ମୋବାଇଲ୍ ଟିଭି ପରଦାରୁ ବେଶି
ଜୋଛନା ପରଶ ପୀୟୁଷ ପାଇଁ
କାହିଁ ଦିଶୁନାହିଁ ଉଲ୍ଲସିତ ଲଳନା ମୀତ
ପ୍ରୀତି ପ୍ରଣୟର ଭାବନା ଉଦ୍ରେକ ଛାଡ଼
ଛାତ ଉପରେ ମୃଦୁ କଳରବ ନାହିଁ
କୁଆଁରୀ ମନରେ କାଉଁରି ଫେରାର୍
ଯୌବନ ଯୁଆରରେ ଭଟ୍ଟା ପଡିଲାଣି କୁଢ଼ କୁଢ଼
କୁମାରୀ ପୂଜନ ବନ୍ଦନ ସାଜ ଶୃଙ୍ଗାର
କାଳର କରାଳ ଗର୍ଭରେ ଲୀନ
ଭାବିବର ପାଇଁ ବିଭୁ ଆଶିର୍ବାଦ ପାଇଁ
ସରଳ ବିଶ୍ୱାସ ଆଶ୍ୱାସ ହୀନ
ମୃଦୁ କଳରବ ପୁଚି ଖେଳ ପାଶେ
ହସ କୈତୁକ ଚାନ୍ଦ ପୂଜା ବେଶେ
ସବୁ ମହଳଣ ସବୁ ରୁଗଣ
କର୍ପୁର ଉଡିଛି ଖାଲି କନା କାନ୍ଦେ ଶରତ ମହ୍ଲାର
ଆମ ପର୍ବ ପରମ୍ପରା ଆମ ଉତ୍କଳୀୟ ପର୍ବାଣୀ
ଧିରେ ଧିରେ ଦିଗଭ୍ରଷ୍ଟ କୀଟଦ୍ରଂଷ୍ଟ
ଆଧୁନିକତାର ଚାପରେ ଛାପରେ ନଷ୍ଟ
କହିବା କାହାକୁ ?
ନିଜ ମୁଣ୍ଡେ ନାହିଁ ଆଦର
ନିଜ ଘରେ ନାହିଁ ପାଳନ ପ୍ରଚାର ରାଗିଣୀ
ଘୋର ପରିତାପର ବିଷୟ
ଭୃଣହତ୍ୟା ଯୋଗୁଁ ଝିଅସଂଖ୍ଯା କମିଲାଣି
କୁମାରୀବିନା କୁମାରପୂର୍ଣ୍ଣିମା ଫିକା ପଡିଲାଣି
