ବାତାୟନ ପଥ ଡେଇଁ
ବାତାୟନ ପଥ ଡେଇଁ


ବାତାୟନ ପଥ ଡେଇଁ
ବାଳାରୁଣ ରେଣୁ
ପହିଲି କିରଣ ଛୁଇଁ
ଅଣୁ ପରମାଣୁ
ଗୋଟେ ନୂଆ ପୃଥିବୀ ଜନ୍ମିଯାଏ
ପ୍ରତି ସକାଳୁ ସକାଳୁ
ମେଞ୍ଚାଏ ରଙ୍ଗ ମାଖି ପକାଏ
ନିତି ଆକାଶ କୋଳୁ
ଆଉ ପୁରୁଣା ଚିତ୍ର ଚରିତ୍ର ଥୋଇଦେଇ
ନୂଆ ମୂଖା ପିନ୍ଧିପକାଏ
ନବ ବସନା ଦିଶିଯାଏ ଆପଣାଛାଏଁ
ବିଶ୍ୱାସ କରିବେ କି ନାହିଁ
ଜଣା ପଡୁନି
ନୂଆ ନୂଆ ଲାଗୁଛି ପୃଥିବୀ
କହି ପାରୁନି
ଆତ୍ମୀୟତାରେ ଆକ୍ତାମାକ୍ତା ସାହି
ଆଜି ନୂତନ ଆବରଣ
ଆକାଶକୁ ମୁଣ୍ଡ ଟେକିଛନ୍ତି
ମାଳ ମାଳ କୋଠାଘର ତୋରଣ
ଇଚ୍ଛାରେ ଅନିଚ୍ଛା ଅଣନିଃଶ୍ଵାସୀ ଅନ୍ତେବାସି
ସବୁ ସ୍ବପ୍ନପ୍ରବଣ ଯୌବନ ପ୍ରସ୍ରବଣ
ଦିନେ ଯେଉଁ ଘରେ
ଚଢ଼େଇର କିଚିରି ମିଚିରି ଗୀତରେ ଭାଙ୍
ଗୁଥିଲା ନିଦ
ଦିନେ ଯେଉଁ ଡାଳରେ
ଫୁଲ ମାନେ ଋତୁ ଅନୁସାରେ
ବଦଳେଉଥିଲେ ରଙ୍ଗ ସ୍ଵାଦ
ଆଜି ସେଠାରେ ଦାଦନର କରାଳ ରୂପ
ଶୂନ୍ୟସ୍ଥାନ ଢିପାଶୂନ୍ୟ
ବଂଶର ପାରିଲା ପୁଅ ଦେଶାନ୍ତର
ବୁଢ଼ା ହଡ଼ା କେଇଜଣ କାମୁଡି ପଡିଛନ୍ତି
ଅଗଣା ବଗିଚା ତଥା ଅବହେଳିତ ହେଣ୍ଟାଳ
ମନ୍ଦିର ମାଳମାଳ
ଛୁଟିରେ ବୋଧେ ଈଶ୍ବର
ଗଛରେ ଗହଳ ଚହଳ
ମାତ୍ର ବ୍ୟସ୍ତ ପତ୍ରଝଡ଼ାରେ
କୋରଡ଼ଗତ ଆଖି
ଆତୁର ଭୋକ ଶୋଷରେ
ଛଳନାପୂର୍ଣ୍ଣ ହୃଦୟ
ଲିପ୍ତ ପ୍ରତାରଣାରେ
ଆସୁନ ଆସ
ପୋଛିଦେବା ଲୁହ ଲହୁର ଲହର
ବସୁନ ବସ
ସଜେଇ ଦେବା ମେଞ୍ଚା ମେଞ୍ଚା ସ୍ବପ୍ନ ଆସର
କହୁନ କୁହ
ବନେଇବା ବଂଧୁମୟ ଆତ୍ମୀୟ ପରିବାର
ବୁଣୁନ ବୁଣ
ମୁଠା ମୁଠା ଚନ୍ଦନ ବନ୍ଦନ ଅଭିନନ୍ଦନ ସ୍ଵର