ବ୍ୟକ୍ତିତ୍ଵର କ୍ଲେଶ
ବ୍ୟକ୍ତିତ୍ଵର କ୍ଲେଶ
ପଣ ପଣ ରାଣ ଭାଙ୍ଗୁଛି ପ୍ରତିକ୍ଷଣ
ପଣକିଆ ପରି ଘୋଷୁଛି କ୍ଷଣ କ୍ଷଣ
କ୍ଷଣ ଭଙ୍ଗୁର ଜୀବନ
ଭୀଷ୍ମ ପ୍ରତିଜ୍ଞା ବି ଆଜି ସନ୍ଦିହାନ
ବଡ଼ ବଡ ବଡ଼ପଣ୍ଡାମାନେ
ମହାପ୍ରସାଦ ଖାଇ
ଗଙ୍ଗାଜଳ ପାଇ
ଭୂଲି ଯାଆନ୍ତି
ରାଣ ପଛର ରହସ୍ୟ
ପଣ ପଛର ପ୍ରେରଣା
କହିବା କାହାକୁ
ସବୁ ପରା ମିଛ ହୁନିଆର ଭିଆଣ
ପଣ ଭାଙ୍ଗିବାକୁ ଫଣଫଣ ଭଣଭଣ
ଯେମିତି
ଶେଷଥର ଶୋଷି ନେବି
ଛାଡିଦେବି ସାପ ବିଡ଼ି
ଶେଷଥର ଟାଣି ଦେବି
ଛାଡିଦେବି ଉଇଲସ୍ ଫ୍ଲାକ୍ ଗାରେଟ୍
ଶେଷଥର ଘଷିଦେବି
ଛାଡିଦେବି ସମଲେଶ୍ଵରୀ ଗୁଡ଼ାଖୁ
ଶେଷଥର ଢୋକି ଦେବି
ଛାଡିଦେବି ଦେଶୀ ବିଦେଶୀ ମଦିରା
ଶେଷଥର ନାଚି ଦେବି
ଛାଡିଦେବି ଡିଜେ ଆଗରେ ନାଗିନ୍ ନାଚ
ଶେଷଥର ପେଟଭର୍ତ୍ତି ଖାଇନେବି
ମାଛ ମାଉଁସ ଚିକେନ୍ ବିରିୟାନି
କାଲିର ସୁର୍ଯ୍ୟୋଦୟ
ଦେଖିବ ଅଭ୍ୟୁଦୟ
ପାଇବ ଭିନ୍ନ ଜଣେ ଭାରତୀୟ
ଶହେରୁ ଜଣେ ମାନୁଥିବ
କାହାଣେ କାହାଣେ ଦୁର୍ବଳ ଦର୍ପଧାରୀ
ନୂଆବର୍ଷ ଜିରୋ ନାଇଟ୍ ରେ
ଜନ୍ମଦିନର ଭୋରି ଭୋଜନ ପରେ ପରେ
ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ଭାଟକାରୀ
ଦୁର୍ବଳ ଚିନ୍ତାକଳ୍ପ ମାତ୍ର
ଇଚ୍ଛା ପ୍ରବଳ
ଚପଳ ଦୃଷ୍ଟିକୋଣ ମାତ୍ର
ଆଶା ଦୁର୍ବଳ
ତରଳ ବାକ୍ୟ ବିନୋଦନ ମାତ୍ର
ସଂକଳ୍ପ ର୍ନିବଳ
ସବୁ ବ୍ୟକ୍ତିର ଦୋଷ ନୁହଁ
ବ୍ୟକ୍ତିତ୍ଵର କ୍ଲେଶ
ମିଛ ଫୁଟାଣିର କଷଟି ନୁହଁ
ନବ କଳେବର ଦୋଷ ।
