ବଡ଼ ଭାଇ
ବଡ଼ ଭାଇ
ମାଟିର ମହକ ମମତାର ରେଣୁ
ମିଶିହୁଏ ଯେବେ ନଈ
ସେ ନଈ କୂଳରେ ବସିଛି ନାଉରୀ
ଧରମର ଡ଼ଙ୍ଗା ନେଇ
ସେ ମୋ ବଡ଼ ଭାଇ...।
ଭରଷାର ସେତୁ ଭାସିନାହିଁ କେବେ
ଉଚ୍ଛୁଳା ପାଣିର ଧାରେ
ସ୍ନେହର ଦଉଡ଼ି ବାନ୍ଧି ଦେଇଅଛି
ଜୀବନର ଅଗଣାରେ ।
ସୁଖର ସପନ ଧରେଇ ଦେଇଛି
ଆଞ୍ଜୁଳାଏ ଦୁଃଖ ପିଇ
ସେ ମୋ ବଡ଼ ଭାଇ ...।
ପ୍ରେମର ପରଶେ ଭିଜେଇ ଦେଇଛି
ଭଲ ପାଇବାର ରଙ୍ଗ
ସେନେହର ସରୁ ସୂତାରେ ବାନ୍ଧିଛି
ଅଥଳ ଆଶାର ମଙ୍ଗ।
ଆପଣା ପଣରେ ସଜେଇଛି ମୋତେ
ମୋ ପରିକା ସାଥୀ ପାଇ
ସେ ମୋ ବଡ଼ ଭାଇ...।
