ବର୍ଣ୍ଣମାଳା ଠୁ ବିବର୍ଣ୍ଣ ଜୀବନ
ବର୍ଣ୍ଣମାଳା ଠୁ ବିବର୍ଣ୍ଣ ଜୀବନ


ଛୁଆଦିନେ
ଘୋଷାରୁ ଥିଲୁ ବର୍ଣ୍ଣମାଳା,
ଏବେ ଦିନଚର୍ଯ୍ୟା
ନିରସ ନ ହେଲେବି ଗତାନୁଗତିକ ।
ଆକାର ଆକୃତି ହରେଇ ସାରିଥିବା
ବର୍ଣ୍ଣରୁ ମୁକୁଳି
ସ୍ଵର ଖୋଜିବା ବେଳେ
ବାଟ ଓଗାଳି ବସେ ଜୀବନ ।
ସକାଳର ଖବର ପୃଷ୍ଠାରେ
ସେଇ ଦୁର୍ଘଟଣା, ଦୁଷ୍କର୍ମ, ରାଜନୀତି
ମହାନଦୀ ଚିନ୍ତା । ଏପଟେ
ଟ୍ରାଫିକ ଭିଡ଼, ଇଣ୍ଟରନେଟ ସ୍ଲୋ ।
ଧେତ୍ .....
ପଞ୍ଜୁରୀ ଭିତରୁ ମୁକୁଳିବା ବାଟ
ସରୁ, ଦୀର୍ଘ, ଅନ୍ଧାର ।
କ୍ଷୀରସିନ୍ଧୁଶାୟୀ ବିଷ୍ଣୁ ହୁଅନ୍ତୁ କି
ନିର୍ବାସିତ ଆଲେକଜାଣ୍ଡାର ,
ଜୀବନଠୁ ଏକ ନିରାପଦ ଦୂରତା
ଜୀବନଠୁ ଏକ ଯନ୍ତ୍ରଣା ସିକ୍ତ ନିର୍ବାସନ
ହିଁ ତ
ନିର୍ଜୀବ ବୀଣାରେ ସାତ ସ୍ଵର ତୋଳେ,
ଶବ୍ଦ ଫୁଟେ, ବାସେ
ମହକାଏ ଅନନ୍ତ କାଳକୁ ।
ବିବର୍ଣ୍ଣ ଲାଗୁଥିବା
ଜୀବନ ଭିତରେ ସନ୍ଧାନ ମିଳେ
ରଙ୍ଗର ଫରୁଆ ।।