ବୃକ୍ଷ ସଂରକ୍ଷଣ
ବୃକ୍ଷ ସଂରକ୍ଷଣ
ସବୁଜିମା ଭରା ବନାନୀ
ଭରିଅଛି ଧରାରେ
ରାଣୀ ସମ ଦିଶେ ଧରଣୀ
ସବୁଜର ରଙ୍ଗରେ।
ଆଶ୍ରୟ ଦିଅନ୍ତି ଖଗଙ୍କୁ
ଛାଇ ପଥିକ ଗଣେ
ଶରୀରର ଅଙ୍ଗ ମାନଯେ
ଲାଗେ ଜନ କଲ୍ୟାଣେ।
ପୁଷ୍ପ,ଫଳ,କାଷ୍ଠ,ବଳକଳ
ସମସ୍ତେ ଲାଭଦାୟୀ
ଜୀବନ ବଞ୍ଚାନ୍ତି ପ୍ରାଣୀର
ଅମ୍ଲଜାନ ଯୋଗାଇ।
ଆସବାବପତ୍ର ଗୃହର
ଅଟେ ଦାନ ତାଙ୍କରି
ପ୍ରାଣବଳି ଦେଇ କରନ୍ତି
ପୁରା ଦାବୀ ଆମରି ।
ଅଙ୍ଗାରକାମ୍ଳର ବଦଳେ
ଅମ୍ଲଜାନ ଦିଅନ୍ତି
ପ୍ରତିଦାନେ ଆଶା କରିବା
କେବେ ଶିଖି ନାହାଁନ୍ତି।
ଆଧୁନିକ ସଭ୍ୟତା ନାମେ
ମନୁଷ୍ୟ ସ୍ବାର୍ଥପର
କ୍ରୁର ହୋଇ ନଷ୍ଟ କରୁଛି
ବୃକ୍ଷଙ୍କର ସଂସାର।
କଳକାରଖାନା ବସାଇ
ଜଙ୍ଗଲ କାଟିଥାଏ
ନଭଶ୍ଚୁମ୍ଭୀ ଅଟ୍ଟାଳିକାଯେ
ସେଠାରେ ଶୋଭାପାଏ।
ଛାୟାର ଶୀତଳତା ନାହିଁ
ନାହିଁ ପକ୍ଷୀଙ୍କ ରାବ
ପ୍ରଚଣ୍ଡ ରୌଦ୍ରର କବଳେ
ପଡିଅଛି ମାନବ।
ସମୁଦ୍ର ଜଳର ପତ୍ତନ
ବଢଇ ଧୀରେଧୀରେ
ସମ୍ପୂର୍ଣ୍ଣ ଧରା ଯେ ବୁଡିବ
ନିଶ୍ଚୟ ସାଗରରେ।
ସମୟ ଆସିଛି ଜାଗ୍ରତ
ହେବା ଆମେ ଆସରେ
ବଞ୍ଚାଇବା ବୃକ୍ଷରାଜିଙ୍କୁ
ଏକଜୁଟ ହୋଇରେ।
ରୋପିବା ଚାରାଗଛ ସବୁ
ହୋଇବେ ପଲ୍ଲବିତ
ପର୍ଯ୍ୟାବରଣ ସଂରକ୍ଷଣ
ହେବ ସତରେ ମିତ।
