ବ୍ରହ୍ମଚାରିଣୀ
ବ୍ରହ୍ମଚାରିଣୀ


ଜୟ ଜୟ ବ୍ରହ୍ମଚାରିଣୀ ଦୁର୍ଗା ଉମା ଅପର୍ଣ୍ଣା
ଅସୀମ ମହିମାମୟୀଗୋ ଅନ୍ନପୂର୍ଣ୍ଣା ଅବର୍ଣ୍ଣା।
ନବରାତ୍ରି ପୂଜା ଦ୍ବିତୀୟ ଦିନେ ତୁମେଗୋ ମାଆ
ଆସ ଅବତରି ଧରାକୁ ହୁଅ ଭକତେ ସାହା।
ଧୈର୍ଯ୍ୟ ର ସ୍ବରୂପ ମାଆଗୋ ତୁମେ ଶକ୍ତି ରୂପିଣୀ
ତେଜରେ ତ ତେଜମୟୀଗୋ ଦେବୀ ତପଚାରିଣୀ ।
ଶିବ ପୁରାଣ ରେ ବର୍ଣିତ ତୁମ ଜନ୍ମ କାହାଣୀ
ଦେବୀ ଭାଗବତ ମହିମା ତୁମ ଯାଏ ବଖାଣୀ।
ଜଗତ ମଙ୍ଗଳ ପାଇଁକି ତୁମ ହୋଇଲା ସୃଷ୍ଟି
ତୁମରି ଆଶିଷେ ହୁଅଇ ମାଆ ଅମୃତ ବୃଷ୍ଟି।
ଗିରିରାଜ ଜେମା ରୂପରେ ତୁମେ ଜନମ ନେଲ
ସତୀ ରୁ ପାର୍ବତୀ ରୂପରେ ବ୍ରହ୍ମଚାରିଣୀ ହେଲ।
ଦକ୍ଷ ପ୍ରଜାପତି ନନ୍ଦିନୀ ରୂପେ ମାଆ ଯେ ସତୀ
ପିତାଙ୍କର ଇଚ୍ଛା ବିରୁଦ୍ଧେ ଶିବେ ବରିଲେ ପତି।
ଦକ୍ଷ ରାଜା ରାଗେ ଜର୍ଜର କଥା ନପାରି ସହି
ଯଜ୍ଞ ଆୟୋଜନ କରିଲେ ନିଜ ଉଆସେ ସେହି।
ସମସ୍ତଙ୍କୁ ନିମନ୍ତ୍ରିଲେ ସେ ଯଜ୍ଞ ଦେଖିବା ପାଇଁ
ଝିଅ ଜ୍ବାଇଁ ଙ୍କୁ ତ ଯଜ୍ଞକୁ ତାଙ୍କ ଡାକିଲେ ନାହିଁ।
ବାଧିଲା କଥାଟି ସତୀଙ୍କୁ ହେଲା ଅଥୟ ମନ
ପିତ୍ରାଳୟ ଯିବା ପାଇଁକି ସେତ ହେଲେ ଉଛ୍ଛନ।
ସ୍ବାମୀ ଶଙ୍କର ଙ୍କ ପାଖରେ ଦେବୀ କରି ମିନତି
ବିନା ନିମନ୍ତ୍ରଣେ ଚଳିଲେ ପିତ୍ରାଳୟକୁ ସତୀ
ସତୀଙ୍କୁ ତ ଯେବେ ଦେଖିଲେ ପିତା ଦକ୍ଷ ରାଜନ
ନ ଶଙ୍ଖୁଳି ଦେଲେ କନ୍ୟାକୁ ତହିଁ ସେ ଅପମାନ ।
ଅପମାନ ସହିନପାରି ସତୀ ଯଜ୍ଞ କୁଣ୍ଡରେ
ଝାସଦେଇ ଦେଲେ ଜୀବନ ସେହି ଅଗ୍ନି ପୀଣ୍ଡ ରେ।
ମହାଦେବ ଯୋଗ ବଳରେ ସବୁ ଜାଣି ପାରିଲେ
କ୍ରୋଧରେ ଅସ୍ଥିର ହୋଇସେ ଯଜ୍ଞ ସ୍ଥଳେ ଆସିଲେ
ସତୀଙ୍କର ଦଗ୍ଧ ଶରୀର ଶିବ କାନ୍ଧେ ଧରିଲେ
କ୍ରୋଧରେ ଶଙ୍କର ତାଣ୍ଡବ ନୃତ୍ୟ ତହିଁ କରିଲେ।
ଦେବ ଦେବ ମହାଦେବ ଙ୍କ ସେହି କରାଳ ମୂର୍ତ୍ତି
ଦେଖି ଥରହର ସକଳେ ଧ୍ବଂସ ହେବକି ସୃଷ୍ଟି।
ସୃଷ୍ଟି ରକ୍ଷା ପାଇଁ ବିଷ୍ଣୁ ଙ୍କୁ ସର୍ବେ ପ୍ରାର୍ଥନା କଲେ
ଗରୁଡ଼ ପୃଷ୍ଠରେ ବିଷ୍ଣୁ ଯେ ଯଜ୍ଞ ସ୍ଥଳେ ମିଳିଲେ ।
ଚକ୍ରପାଣି ତାଙ୍କ ଚକ୍ର ରେ ସତୀଙ୍କର ଶରୀର
ଖଣ୍ଡ ଖଣ୍ଡ କରି ଦେବାରୁ ଶିବ ହୋଇଲେ ସ୍ଥିର ।
ତତକ୍ଷଣାତ୍ ଶିବ ସେ ସ୍ଥାନ ପରିତ୍ୟାଗ ଯେ କଲେ
ଘୋର ଅରଣ୍ୟ ରେ ପ୍ରବେଶି ତପ ସାଧନ କଲେ ।
ଆଦିମାତା ରୂପେ ସତୀଙ୍କ ମୂର୍ତ୍ତି ହେଲା ପୂଜିତ
ଦେବତା କିନ୍ନର ସମସ୍ତେ ହେଲେ ମାଆଙ୍କ ଭକ୍ତ।
ତାରକାସୁରର କବଳୁ ପାଇବାକୁ ମୁକତି
ମାଆଙ୍କୁ ଜନମ ନେବାକୁ ଦେବେ, କଲେ ମିନତି।
କଥା ରଖି ମାଆ ଜନ୍ମିଲେ ଗିରି ରାଜାଙ୍କ ଘରେ
ପର୍ବତ ରାଜା ଙ୍କ ନନ୍ଦିନୀ ସେତ ପାର୍ବତୀ ହେଲେ ।
ଶିବଙ୍କୁ ପାଇବା ପାଇଁକି ଘୋର ତପସ୍ୟା କଲେ
ରାଜ ଜେମା ସୁଖ ନିମିଷେ ସବୁ ପାଶୋରି ଦେଲେ।
ଏମିତି କଠୋର ତପସ୍ୟା ମାତା କରିଲେ ତହିଁ
ଶୀତ ଖରା ବର୍ଷା କାକର ସବୁ ଗଲେ ସେ ସହି ।
ବିନା ଫଳ ମୂଳ ଆହାର ଜଳ ଛୁଇଁଲେ ନାହିଁ
ମୁନି ଋଷି ହେଲେ ଆଶ୍ଚର୍ଯ୍ୟ ଦେଖି ନିଷ୍ଠା କୁ ସେହି।
କ୍ଷୀଣ ହୋଇଗଲା ମାଆଙ୍କ ସେହି ସୁନ୍ଦର ରୂପ
ଶିବଙ୍କୁ ତୋଷିବା ପାଇକି ତାଙ୍କ କଠୋର ତପ।
ମାଆଙ୍କର ଘୋର ତପସ୍ୟା ଦେଖି ସେ ଋଷି ମୁନି
କହିଲେ ଧନ୍ୟ ହେ ଧ'ନ୍ଯ ମାଆ ବ୍ରହ୍ମଚାରିଣୀ।
ଘୋର ତପସ୍ୟା ରେ ରତଯେ ଥିବାରୁ ତ ଜନନୀ
ଜଗତେ ହୋଇଲେ ବିଦିତ ଦେବୀ ବ୍ରହ୍ମଚାରିଣୀ।
ବିଷ୍ଣୁ ଙ୍କ ଆଦେଶେ ମଦନ ଏଣେ କାମ କମାଣେ
ସୃଷ୍ଟି ରକ୍ଷା ପାଇଁ ଶିବଙ୍କ ତପ ସେ ଭାଙ୍ଗି ଦେଲେ।
ଶିବ ପାର୍ବତୀଙ୍କ ବିବାହ ମହା ଆନନ୍ଦେ ହେଲା
ତାରକାସୁରର ନିଧନ ପଥ ମିଳିଯେ ଗଲା।
ଶିବଙ୍କ ଘରଣୀ ପାର୍ବତୀ ବ୍ରହ୍ମଚାରିଣୀ ରୂପେ
ପାଇବା ପାଇଁକି ଆଶିଷ ଭକ୍ତ ମାଆଙ୍କୁ ଜପେ।
ବ୍ରହ୍ମଚାରିଣୀ ହେ ମାଆଗୋ ଦେବୀ ଶାନ୍ତି ରୂପିଣୀ
କମଣ୍ଡଳୁ ଜପା ମାଳିଯେ ବେନି ହସ୍ତେ ଧାରିଣୀ।
ଶାନ୍ତ କମନୀୟ ରୂପରେ ମାଆ ହୁଅଗୋ ବିଜେ
ସଙ୍କଟୁ ତରିବା ପାଇଁକି ସାରା ଦୁନିଆ ପୂଜେ।
ବୈରାଗ୍ୟ ତ୍ୟାଗ ର ପ୍ରତିକ, ତୁମେ ଶିଦ୍ଧି ଦାୟିନୀ
କଠିନ ପଥକୁ ସରଳ ତୁମେ କର ଜନନୀ।
ତୁମେତ ସଞ୍ଜମ ଶୃଙ୍ଖଳା ଦିବ୍ୟ ମାର୍ଗ ଦର୍ଶିନୀ
ଚିନ୍ତା ଅବସାଦୁ ମାଆଗୋ ତୁମେ ମୁକ୍ତି ଦାୟିନୀ।
ଦୂରାରୋଗ୍ୟ ବ୍ୟାଧି କବଳୁ ମାଆ ଦିଅ ମୁକତି
ସବୁଠି ବିଜୟ ହେବାକୁ ଭରି ଦିଅ ଶକତି।
ଧୂପ ଦୀପ ଫଳ ପୁଷ୍ପ ରେ ମାଆଙ୍କର ଅର୍ଚ୍ଚନା
ଉଛୁଳେ ଗଗନ ପବନ ମାଆଙ୍କର ବନ୍ଦନା।
ଶିଦ୍ଧି ସଫଳତା ପାଇବା ପାଇଁ ନିଷ୍ଠାରେ ସେତ
ମାଆଙ୍କ ପାଦରେ ହୁଅନ୍ତି ଭକ୍ତମାନେ ଆଶ୍ରିତ।
ଭାବ ଭକତିରେ ମାଆଙ୍କୁ ସବୁ କରନ୍ତି ଧ୍ଯାନ
ମାଆଙ୍କ ଆଶିଷେ ହୁଅଇ ମନ ପରାଣ ଧନ୍ୟ।
ଜୟ ମାଆ ବ୍ରହ୍ମଚାରିଣୀ ଜୟ ମଙ୍ଗଳ ମୟୀ
ତୁମ କଥା ଗାଥା ଗାଇଲୁ ତୁମ ଚରଣ ଧ୍ଯାଇ।
ତୁମରି ଆଶିଷେ ହସୁ ମା ଏଇ ସାରା ସଂସାର
ଅନୀତି ଅନ୍ଯାୟ ସଂସାରୁ ମାଆ ହେଉଗୋ ଦୂର ।
ତୁମରି ଚରଣେ ମାଆଗୋ ଆମ ଶତ ପ୍ରଣତି
ରଖିଥିବ ଆମ ଉପରେ ତୁମ ମଙ୍ଗଳ ଦୃଷ୍ଟି।