ବୋଉର କଥା
ବୋଉର କଥା
ଦଶମାସ ଦଶଦିନ କଥା,
ସହିଯାଏ ଯିଏସବୁ ବ୍ୟଥା
ଭୋକ ନିଦ ସବୁ ଭୁଲେ,
ସିଏ ସଦା ମିଛ କହୁଥାଏ।
ଝାଳ,ଲୁହ ସବୁ ମିଶିଯାଏ,
ଓଠେ ତାର ହସ ଅଭିନୟ
ପୁରିଯାଏ ପରିବାର ପେଟ
ତା' ପେଟ ଖାଲି ରହିଯାଏ।
ପାହାନ୍ତିଆ ଠାରୁ ରାତିଯାଏ
ଦୁଇହାତ ହୁଏ ଦଶଭୁଜା
ଇଟା କାନ୍ଥର କୋଠରୀକୁ
ବୋଉ ପରା ଘର କରିଦିଏ।
ପରମ୍ପରା ପର୍ବପର୍ବାଣୀରେ
ପିଠାପଣା ଉଣା ହୁଏନାହିଁ
ପରିବାର ହସ ଦେଖି ବୋଉ
ତାର ସବୁ କଷ୍ଟ ଭୁଲିଯାଏ।
ପଣତେ ପୋଛି ଦେଇ ଲୁହ
ଲୁଚାଇକି ନିଜ ଛାତି କୋହ
ମାଗେ ନାହିଁ ନିଜପାଇଁ କିଛି
ପରିବାର ସୁଖ ସଦା ଚାହେଁ।
ଡାକ୍ତର ପରି ଦେହ ଜଗୁଥାଏ
ଓଷା ସବୁ ମନେ ରଖିଦିଏ
ତିଳେମାତ୍ର ନାହିଁ ହେଳା ତାର
ନାରୀ ସେ ସଦା ଲଢୁଥାଏ।
ସ୍ନେହ ତାର ଅସରନ୍ତି ନଦୀ,
ମମତାର ପାଲଟେ ସାଗର
କାନ୍ଦିକାନ୍ଦି ଭିଜାଏ ତକିଆ
ତା' କାନ୍ଦକୁ ଦେଖେନାହିଁ କିଏ।
ପିଲାମାନେ ହେଲେ ବଡ଼,
ବୋଉ କେବେ ହୁଏନି ପୁରୁଣା
ବିରକ୍ତ ହେଲେ ପିଲାଏ ବୋଉକୁ
ଯେ କେତେ କଷ୍ଟ ହୁଏ।
ସମସ୍ତଙ୍କୁ ମନଦେଇ ଶୁଣେ
କହିବାକୁ ପଡ଼େନାହିଁ ପାଳି
ତା' ର କଥା ଶୁଣିବା ବେଳକୁ
ପିଲାଙ୍କର ସମୟ ନହୁଏ।
ମା' ମନେ ଅଭିଶାପ ନାହିଁ,
ଯଦି କେବେ ଲୁହ ଗଡ଼ିଯାଏ
ଲୁହ କାଳେ ଆଣିବ ବିନାଶ
ଲୁହକୁ ସେ ଅଟକାଇ ଦିଏ।
