ବୋଉ
ବୋଉ
ବୋଉ ।
ରାତି ନ ପାହୁଣୁ
ଫଜେରା ନ ଫାଟୁଣୁ
କେଡ଼େ ସୁନ୍ଦର ଭାବେ ଗଢ଼ିସାରିଲୁଣି
ତୋ ଚାରି ପାଖର ପୃଥିବୀକୁ ।
ଗତକାଲିର ଧୂଳି ଓ ଅଳିଆ ସବୁ
ଚାଲିଗଲେଣି ତୋ ସ୍ପର୍ଶରେ
ଗୋବର ପାଣିରେ ପବିତ୍ର ହେଲାଣି
ଘର ଚାରିପାଖ , ଦାଣ୍ଡ ଦୁଆର ।
ଆଉ କିଛି ସମୟ ପରେ ହିଁ
ତୁ ଯିବୁ ଠାକୁରଘରକୁ
ଓଂ ଜୟ ଜଗନ୍ନାଥ ସ୍ୱାମୀ କହି
କାଳିଆର ଜୟଗାନ କରି
ନିଜ ପିଲାମାନଙ୍କ ପାଇଁ
ମାଗିନେବୁ ଶୁଭକାମନା
ଆଶୀର୍ବାଦ ସବୁକୁ ।
ତୋ ବିନା
ଆଉ କିଏ ଗଢ଼ିପାରେ ଯେ
ସ୍ୱପ୍ନବିଭୋର ପୃଥିବୀଟେ ଆମ ପାଇଁ
ଆଉ କିଏ
ଚାଲିବା ଶିଖାଏ ଯେ ହାତଧରି ।
ନ ଖାଇଲେ
ଆଉ କିଏ ଗଢ଼ିପାରେ କାହାଣୀଟେ
ହେଇ ଆସିଲାଣି ଫୁଲଶୁଙ୍ଗା ବା'ଜୀ
ନେଇଯିବ ତା ମୁଣାରେ ଭରି ।
ତୋ ପଣତ ବଡ଼ଦେଉଳର ନେତ,
ଲକ୍ଷେ ମିଦାସ୍ ର କୁହୁକ ତୋ ସ୍ପର୍ଶ,
ତୋ ଆଖି ଆଶାର ଆକାଶ ।
ତୁ ତ ସବୁବେଳେ ତୁ
ଆଉ କାହା ସହିତ
କାହିଁକି ତଉଲିବି ଯେ !
ତୋ ପାଇଁ ଦେଖିହୁଏ
ସ୍ୱପ୍ନର ଦିଗ୍ ବଳୟକୁ ,
ଲାଗେ ଯେମିତି ମାପିହେବ
ଆକାଶର ବିଶାଳତା ,
ସମୁଦ୍ରର ଗଭୀରତାକୁ ।
ଦୁନିଆର ଯେତେସବୁ ଅସାଧ୍ୟତା
ତା ଉପରେ
ମୋ ପାରିଲାପଣର ବିଜୟ
ସବୁକିଛି ତୋ ପାଇଁ ।
ବୋଉ ।
ଦେବଦତ୍ତ ମିଶ୍ର