ବୋଝ
ବୋଝ
ଜୀବନ ଯାତ୍ରାରେ ଆମେ ସବୁ ଯାତ୍ରୀ
ଅବିରତ ଆମ ଗତି ।
ଜଞ୍ଜାଳର ବୋଝ ବୋହି ଆପଣାର
ବାଟ ଧରି ଚାଲିଛନ୍ତି।।
କେ ଯାଉଛି ଆଗେ କେ ଆସଇ ପଛେ
ଲକ୍ଷ୍ୟ ସଭିଙ୍କର ଏକ ।
ଅନ୍ତୁଡି ଉମେହି ମଶାଣିର ଜୂଇ
ମଝିରେ ଆମେ ପଥିକ ।।
ରୋଗ ଶୋକ ଦୁଃଖ ଅଭାବ ବିମୁଖ
ବଇଶାଖ ଝାଞ୍ଜି ପ୍ରାୟ।
ଚିନ୍ତା ଈର୍ଷା ଦ୍ୱେଷ ଇନ୍ଦ୍ରୀ ଅଭିଳାଷ
ଜୀବନ୍ତେ ଦେହର ଦାହ।।
କାମନା ବାସନା ବଢାଏ ଯାତନା
ଜୀବନ ଗତି ପଥରେ।
ଜୀବ ଥିଲେ ଲୋଭ ଅବଶ୍ୟ ହୋଇବ
ଲୋଭୀ ହିଁ କୁକର୍ମ କରେ।।
ଜୀବନ ନିର୍ବାହ ନିମିତ୍ତ ସଂଗ୍ରହ
କରିବା ସୀମିତ ଧନ ।
ସତ୍ୟ ନିଷ୍ଠ ହୋଇ ପରିଶ୍ରମ କଲେ
ସଫଳ ହେବ ଜୀବନ।।
ଶୁଭ ଚିନ୍ତନରେ ବିବେକ ବିଚାରେ
କରି ଇନ୍ଦ୍ରିୟ ଦମନ ।
ଅଭ୍ୟାସେ ଆଦରି ଯୋଗ ପ୍ରାଣାୟମ
ସେବୁଥିବ ଗୁରୁଜନ।।
ନିରୋଗ ଶରୀର ମନ ହେବ ସ୍ଥିର
ଦୁଃଖ ହୋଇ ଉପଶମ।
ପ୍ରେମ ତ୍ୟାଗ ଭାବ ସଦା ଆଚରିବ
ଜିତିବ ସଭିଙ୍କ ମନ।।
ଦୁର୍ବହ ବୋଝର ଦୂର ହେବ ଭାର
ମାନ ଏହି ଚାରିପଦ।
ହସି ହସାଇବ ଏ ସାରା ସଂସାର
ନ ରହିବ ଅବସାଦ ।।
