STORYMIRROR

SARATA KUMAR DAS

Inspirational Others

3  

SARATA KUMAR DAS

Inspirational Others

ବୋଇତ ବନ୍ଦାଣ-ମୂକସାକ୍ଷୀ ଐତିହ୍ୟର

ବୋଇତ ବନ୍ଦାଣ-ମୂକସାକ୍ଷୀ ଐତିହ୍ୟର

1 min
452


ବୋଇତ ବନ୍ଦାଣ 

ଉତ୍କଳୀୟ ପରମ୍ପରା 

ମୂକସାକ୍ଷୀ ଗରିମାର ,

ଅମ୍ଳାନ ସାକ୍ଷର

ଏ ପୁଣ୍ୟ ମାଟି ମା'

ସଭ୍ୟତା ଓ ସଂସ୍କୃତିର 

ପୁଣି ଆମ ସ୍ବର୍ଣ୍ଣାଭ ଐତିହ୍ୟର । 


"ଆ--କା--ମା--ବୈ

ପାନ,ଗୁଆ ଥୋଇ

ପାନ ଗୁଆ ତୋର

ମାସକ ଧରମ ମୋର ।"-

କେତୋଟି ନିର୍ଜୀବ ଶବ୍ଦର 

ମଧୁର ଝଙ୍କାର ନୁହେଁ ,

ବରଂ ଆମ ସୁଉଚ୍ଚ ଐତିହ୍ୟର

ପବିତ୍ର ବୈଶିଷ୍ଟ୍ୟ ,

ସମୃଦ୍ଧ ଅତୀତର

ଗୌରବମୟ ଅନ୍ତଃସ୍ବର ,

ପ୍ରୟ ଅଢେଇ ହଜାର ବର୍ଷର 

ଅବିଶ୍ବସନୀୟ କୀର୍ତ୍ତିଭରା

ଏକ ମଂଜୁଳ ଜାଜ୍ବଲ୍ଯମାନ ଐତିହ୍ୟର

ମଧୁମୟ ନବ ପୁଲକ ।


କାର୍ତ୍ତିକ ପୂର୍ଣ୍ଣିମାର ପାହାନ୍ତି ସକାଳ

ମୁଖରିତ ହୁଏ 

ଧୂପ-ଦୀପ-ଘଣ୍ଟ-ଘଣ୍ଟାର

ମଙ୍ଗଳ ଆଳତିରେ

ଦୀପର ସ୍ତୀମିତ ଆଲୋକର

ଅନ୍ତର୍ହିତ ହୁଏ ରାତିର ପ୍ରହର,

ସୂର୍ଯ୍ୟଙ୍କର ଆଗମନେ ସକାଳ ଆସେ

ବୁଣିଦିଏ ମୁଠା ମୁଠା ମୁରୁଜ 

ଭିଜିଯାଏ ମନ 

ବିମୋହିତ ହୁଏ ପ୍ରାଣ

ଭାସିଯାଏ ସଗର୍ବେ 

କଦଳୀ ପାଟୁଆର ଡଙ୍ଗା

ମନେପଡେ 'ବୋଇତ ବିଜୟ' ର ସ୍ମୃତି

ଅପହଞ୍ଚ ହଜିଲା ଦିନର ।


କଳିଙ୍ଗ ନୌବାଣିଜ୍ୟର ଇତିହାସ 

ଅତୀବ ପୁରୁଣା ଅତୀବ ସମୃଦ୍ଧ 

ମହାମେଘବାହାନ ଐର ଖାରବେଳଙ୍କ 

ସମୟରୁ ଆହୁରି ପୁରୁଣା,

ତଥ୍ୟ ଯାହା ବିଦ୍ୟମାନ

ବିଶ୍ବାସରେ ଭରପୂର

କୌଟିଲ୍ୟଙ୍କ 'ଅର୍ଥଶାସ୍ତ୍ର' 

ଅବା 'ବୌଦ୍ଧ ଜାତକ' ରେ

ରହିଛି ପ୍ରତ୍ୟକ୍ଷ ପ୍ରମାଣ ।


ବୋଇତ ମେଲି

ଅଥଳ ଦରିଆ ବୁକେ 

ଆମ ସାଧବପୁଅଙ୍କ ଯାତ୍ରା ଦୂରଦେଶ

ପୂର୍ବ-ଦକ୍ଷିଣରେ ଇନ୍ଦୋନେସିଆ-

ବାଲି,ଜାଭା,ବୋର୍ଣ୍ଣିଓ,ସୁମାତ୍ରା ସହିତ

ଥାଇଲାଣ୍ଡ, ମାଲେସିଆ, 

କାମ୍ବୋଡିଆ, ଜାପାନ, ଶ୍ରୀଲଙ୍କା 

ପୁଣି ପଶ୍ଚିମରେ ଆରବ ଓ 

ପୂର୍ବ ଆଫ୍ରିକା ପର୍ଯ୍ୟନ୍ତ -

ଏକ ସୁଦୀର୍ଘ ଓ ସୁସଜ୍ଜିତ

ଜାଜ୍ବଲ୍ଯମାନ ବାଣିଜ୍ୟ ଯାତ୍ରା 

ଧନ ରତ୍ନର ଆଧାର ସହିତ

ଧର୍ମ, କଳା , ସଂସ୍କୃତି ଓ ପରମ୍ପରାର 

ପ୍ରଚାର ପ୍ରସାର 

ଉଡୁଥିଲା ବିଜୟର ଧ୍ବଜା ଫରଫର ।


ମହାନଦୀର ବାଲୁକା ପ୍ରାନ୍ତରୁ

ବାଲିଦ୍ବୀପ ଯାତ୍ରା ବୋଲି ରହିଛି ବିଶ୍ବାସ 

ସେଥିପାଇଁ ତ ଯେତକ ଆୟୋଜନ 

ବରଷ ହଜାର କଟକର

ଐତିହାସିକ 'ବାଲିଯାତ୍ରା' 

ପବିତ୍ର ସ୍ମାରକ ଐତିହ୍ୟର

ପୁଣି ଓଡିଆ ଜାତିର 

ସାଂସ୍କୃତିକ ଅସ୍ମିତାର ।


ଏବେ ସମୟ ଆସିଛି 

ହାତ ମୁଠାକୁ ପଥର ଭଳି ଟାଣ କରି

ବଜ୍ର ଶପଥ ନେବାର ,

ଅବକ୍ଷୟମାଣ ସଂସ୍କୃତିକୁ ପୁନଶ୍ଚ 

ଉଜ୍ଜୀବିତ କରିବାର ସକଳ ପ୍ରୟାସ ,

ବସ୍ତୁବାଦର ବହଳ ଅନ୍ଧାର ଭିତରେ 

ଆମ ପ୍ରାଚୀନ ସଂସ୍କୃତି ଓ ଐତିହ୍ୟର

ଉଜ୍ବଳ ଆଲୋକରେ ଆଲୋକିତ ହେବାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational