ବଞ୍ଚିବାର ପଣ କରିଛି
ବଞ୍ଚିବାର ପଣ କରିଛି
ହୁତୁ ହୁତୁ ଜଳୁଥିବା ନିଆଁ ଲିଭି ଯାଇଛି
ଲାଲ ଅଙ୍ଗାର ଥଣ୍ଡା ହେଇଗଲାଣି
ଥଣ୍ଡା ପାଉଁଶ ଭିତରୁ ମୁଣ୍ଡ ଟେକୁଛି
ମରି ପାରିବି ବା କେମିତି
ମୁଁ ଯେ ବଞ୍ଚିବାର ପଣ କରିଛି ।
ଜୀବନ ଯୁଦ୍ଧରେ ଭେଟି ସାରିଛି
କେତେ କେତେ ଅଜେୟ ଶତ୍ରୁଙ୍କୁ
ଜୀବନେ ପାଇଛି କେତେ ଘୃଣା ପ୍ରତାରଣା
ଆଶ୍ୱାସନା ବାହାନାରେ ପୁଣି କେତେ ପ୍ରବଞ୍ଚନା।
ଛାତି ତଳେ ଚାପି ରଖିଛି ଅନ୍ତର କୋହକୁ
ଜବରଦସ୍ତ ବାନ୍ଧି ରଖିଛି ଆଖିର ଲୁହକୁ
ନା କୋହ କେବେ ବାହାରକୁ ଆସିଚି
ନା ଲୁହକୁ କେବେ ବହିବାକୁ ଦେଇଛି।
ଥରେ ନୁହେଁ ବାରଂବାର ଧୋକା
ଖାଇଛି
ବାରଂବାର ବିଶ୍ୱାସ ମୋ ଭାଙ୍ଗିଛି
କେତେ ଥର ତଳେ ପଡି ଉଠିଛି
ମୁଁ ଯେ ବଞ୍ଚିବାର ପଣ କରିଛି।
ସ୍ୱାର୍ଥପର ଦୁନିଆରେ ସମ୍ପର୍କର ସୁତା ଖିଅ
ଦୁର୍ବଳ ହେଇ ଛିଡି ଛିଡି ଯାଉଛି
ସନ୍ଦେହରେ
ସେଇ ରକ୍ତାକ୍ତ ସମ୍ପର୍କକୁ ହାତ ବଢ଼ାଇଛି।
ମୁଁ ଯେ ବଞ୍ଚିବାର ପଣ କରିଛି।
