ବନସ୍ତେ ଡାକିଲାନି ଏସନ ଗଜ
ବନସ୍ତେ ଡାକିଲାନି ଏସନ ଗଜ
ଶୁଣିଲି ସୁମଧୁର ଗୀତଟିଏ ଦୂର ଦର୍ଶନ ପରଦାରେ ,
ବନସ୍ତେ ଡାକିଲା ଗଜ ପୁଣି ଆସିଛି ରଜ ବରଷ ପରେ ,
ଆଜି ହେବା ସଜବାଜ ଲୋ ପହିଲି ରଜ କାଲି ଆସେରେ ,
ମନ ହେଲା ଛନ ଛନ ବୁଲିଗଲି ଆମ ସାହିରେ । ୧
ସୂଚନା ପାଇଲିନି କେଉଁ ଜଣଙ୍କ ଘରେ ,
ହେଉନଥିଲା ଗୁଣ୍ଡ ଜିରା ଲଙ୍କା ଶୀଳରେ ,
କିଏ କରିବ ଆଜିକାଲି ଚଳିଯାଏ ଦୋକାନ ଖରିଦା ପକେଟରେ ,
ସମ ଦଶା ପାଇଲି ହଳଦୀ ବଟା ପ୍ରଥା ସଜବାଜ ଦିନରେ ।୨
ଦାନ୍ତ କାଠି କଟା ପାଇଁ ଆଉ ବୁଢ଼ୀ ମା ଯାଇନି ,
କୁହେ ବ୍ରସ ଯୁଗରେ ସେ ଗୁଡାକ ହଜିଗଲାଣି ,
କଦଳୀ ପାଟୁଆ ଆଉ ସଜା ହୋଇନି ,
ପୁରୁଣା କଥା ହିଲି ପିନ୍ଧିବା ଛାଡି ଭୂଆଶୁଣି ପାଟୁଙ୍ଗା ଜମା ପିନ୍ଧିବନି । ୩
ପୋଡ଼ ପିଠା ପାଇଁ କଦଳୀ ପତ୍ର ଅଙ୍ଗାର ଘଷି ଫେଡା ଲୋଡ଼ା ପଡୁନି ,
ଓଭନ ପ୍ରେସର ନନଷ୍ଟିକରେ ସେ ପୋଡ଼ପିଠା ସ୍ୱାଦ ଆଉ ମୋତେ ମିଳୁନି ,
ଗାଁ ଝିଅ ରଜରେ ସାହି ପଡିଶା ବୁଲୁନି ,
ହୁଆଟସାପ ଫେସଵୁକ ଟିକିଟକରେ ମନ ବୁଡ଼ିଲାଣି । ୪
ଲୁଡୁ ବାଗୁଡି କବାଡ଼ି ଖେଳ ହେବନି ସତରେ ,
ଗାଁ ଟୋକା ବୁଡିଯାଇଛି ମୋବାଇଲ ଚାଟିଙ୍ଗରେ ,
ଆମ୍ବ ତୋଟା ନାହିଁ ଦୋଳି ଝୁଲିବାକୁ ସାଙ୍ଗରେ ,
ପ୍ଲାଷ୍ଟିକ ରାଶି ଟାଙ୍ଗି ଗୀତା ଭଉଣୀ ଝୁଲେ ବାଲକୁନିରେ । ୫
ରଜ ପାଳନ ହୁଏ କାହିଁକି ଜାଣେନି ଝିଅଟିଏ ,
ପଚାରିଲେ କୁହେ ରୁହ ଇଉଟୁବ ଗୁଗୁଲ ଖୋଜି କହୁଛି ଟିକିଏ ,
ତେଣେ ପାଦରେ ନାହିଁ ଅଳତା ଗାରଟିଏ ,
ତଥାପି ମୁଁ ରଜର କୁମାରୀ ଜିନ୍ ଟପ ପିନ୍ଧି କୁହେ ଓଡ଼ିଆ ଝିଅଟିଏ । ୬
