ବଂଶୀ ଡାକୁଥିଲା ରାଧା
ବଂଶୀ ଡାକୁଥିଲା ରାଧା
ବଇଁଶୀ ତୋଳିଲା ଅପୂର୍ବ ମୂର୍ଛନା
ବାଜିଲା ଯାହାର କାନେ
ପୁଲକିତ ହେଲା ତନୁ ମନ ପ୍ରାଣ
ତରଙ୍ଗ ଉଠିଲା ମନେ I
ବନରେ ନାଚିଲେ ମୟୁର ମୟୁରୀ
ଆକାଶେ ନାଚିଲେ ମେଘ
ଯମୁନା ଯିବାକୁ ଗୋପ ଗୋପାଳୁଣୀ
ମଥାରେ ଭିଡିଲେ ପାଗ I
ରାଧାରାଣୀ ମୁଖେ ଖୁସି ଚହଟିଲା
ଆଖିରେ ଦେଲା ସେ ହସି
ଅତି ସରାଗରେ ସଜବାଜ ହେଲା
ଆଇନା ଆଗରେ ବସି I
ବଂଶୀ ଡାକୁଥିଲା ରାଧା ରାଧା ବୋଲି
କାହ୍ନା ରହିଥିଲା ଚାହିଁ
ବାହାରକୁ ଗୋଡ କାଢିଲେ ରାଧିକା
ଘରେ ପାରିଲେନି ରହି I
ଯମୁନା କୂଳରେ କଦମ୍ବ ମୂଳରେ
ହାତରେ ମୋହନ ବଂଶୀ
କାହ୍ନା ବସିଥିଲା ମଥାରୁ ଚନ୍ଦ୍ରିକା
ପଡିଲା ଭୂଇଁରେ ଖସି I
ଭାଙ୍ଗି ଯାଉଥିଲା ଧୈର୍ଯ୍ୟର ବନ୍ଧ
ଧାଇଁ ଆସୁଥିଲେ ରାଧା
ମୁରୁକି ମୁରୁକି ହସିଲେ କହ୍ନେଇଁ
କଟିଲା ବିରହ ବାଧା I
