ବନମାଳୀ ବିଜେ ଏବେ
ବନମାଳୀ ବିଜେ ଏବେ
ବନମାଳୀ ବିଜେ ଏବେ ଯମୁନାକୂଳେ,
ରାଧିକେ ଅଛନ୍ତି ତହିଁ ଗୋପିଙ୍କ ମେଳେ ।
କୁରଙ୍ଗୀ ହୋଇଛି ଛିଡ଼ା,
ହଂସ କରୁଛନ୍ତି କ୍ରୀଡା
ଆନନ୍ଦରେ ଯମୁନାର ଜଳ ଉଛୁଳେ ।
ବନମାଳୀ ବିଜେ ଏବେ ଯମୁନାକୂଳେ ।
ଯୁଗଳ ମୂରତି ଦେଖି ,
ପରିହାସ କରି ସଖି
କହନ୍ତି-ଗୋ ଚନ୍ଦ୍ରମୁଖୀ,
ମନେ ଆଉ ପଡ଼ିବୁକି-
ମୋହନଙ୍କ ସଙ୍ଗ ଏବେ ଲଭିଲ ହେଳେ ।
ବନମାଳୀ ବିଜେ ଏବେ ଯମୁନାକୂଳେ
କହୁଥିଲ କେତେ କରି,
ଆଗୋ ପ୍ରିୟ ସହଚରୀ
ହୋଇଲିଣି ଏତେ ସରି,
ଭେଟାଅ ମୁରଲୀଧାରୀ,
କୃତଜ୍ଞ ରହିବି-ଦେଖି ଶ୍ୟାମଙ୍କୁ ଡୋଳେ ।
ବନମାଳୀ ବିଜେ ଏବେ ଯମୁନାକୂଳେ
ମନମୋହନଙ୍କ ପାଶେ,
ମଜ୍ଜିଯାଅ ପ୍ରେମ ରସେ
ଆମ୍ଭେ ଯାଉଅଛୁ ବାସେ,
ଧରା ହେବୁ କାଳେ ଦୋଷେ-
ଆମଲାଗି ହୃଦେ ସ୍ଥାନ ରଖିବ ତିଳେ ।
ବନମାଳୀ ବିଜେ ଏବେ ଯମୁନାକୂଳେ

