ବନ୍ଧୁ ସିଏ
ବନ୍ଧୁ ସିଏ


ବନ୍ଧୁ ସିଏ ଯିଏ ହାତ ଛାଡେ ନାହିଁ
ଆନନ୍ଦ, ବିଷାଦ କାଳେ,
ଶ୍ମଶାନ ର ସାଥୀ ରାଜ ଦ୍ବାରେ ମିଳେ
ସ୍ନେହ ର ଅମୃତ ଢାଳେ ।
ନ ଡାକିଲେ ଆସେ ଅଭିମାନ ନାହିଁ
ଉତ୍ସବ ବ୍ୟସନ ଦିନ,
ଅକାତରେ ଦିଏ ଯାହା ଅଛି ତା'ର
ନ ହଉଇ ଅବସନ୍ନ ।
ଦୂରୁ ଦେଖି ହସେ କୋଳାଗ୍ରତ କରେ
କହେ ମିଠା ମିଠା କଥା,
ତାହାରି ପରଶେ ଦୁଃଖ ଦୂର ହୁଏ
ଦୂରେ ଚାଲି ଯାଏ ବ୍ୟଥା ।
ଅଦ୍ୱିତୀୟ ସିଏ ହୃଦ ତା' ଉଦାର
ଲହୁଣି ନୁହେଁ ତା' ସମ,
ଆହାର ବେଭାର ଅତି ମନୋରମ
ମଣିଷ ମଧ୍ୟେ ଉତ୍ତମ ।
ଗୁପତ ରଖଇ ପ୍ରକଟ ନ କରେ
ବନ୍ଧୁ ଯାହା କହିଥାଏ,
ଭାଇ ସମ କେବେ ସାଙ୍ଗ ନ ଛାଡ଼ଇ
ଲଢିଥାଏ ଶେଷ ଯାଏ ।
ଏପରି ସଖା ଯେ ବିରଳ ଏ କାଳେ
ଏହା ଆଈମା କାହାଣୀ,
ସମସ୍ତେ ନିଅନ୍ତି କେହି ନ ଦିଅନ୍ତି
ମୁଖରେ ମଧୁର ବାଣୀ ।