ବିଶ୍ବାସରେ ବିଷ ଭରନା କେହି
ବିଶ୍ବାସରେ ବିଷ ଭରନା କେହି
ବିଶ୍ବାସ ସାଥିରେ ବନ୍ଧୁତା କରିଲେ
ରହେ ନାହିଁ ଟିକେ ବି ଅବଶୋଷ
ହୃଦୟ ଉଛୁଳେ ହରଷ ବିଭୋରେ
ମନଟି ଲଭଇ ସଦା ସନ୍ତୋଷ ।
ହୋଇ ସ୍ବାର୍ଥ ବଶ ମନର କଳସ
ପୂରିଗଲା ଯେବେ ବିଷ ଜଳରେ
କେଉଁ ଲାଭ ହେବ କାହାର ବା ଶୁଭ
ବେଦନା କେବଳ ବଢେ ଏଥିରେ ।
ଭରସା ତୁଟଇ ସମ୍ପର୍କ ଛିଣ୍ଡଇ
ଭୁଷୁଡ଼ଇ ଉଭୟ ମନୋବଳ
ଯେତେ ବି ଅମୃତ ସିଞ୍ଚିଲେ ପଛରେ
ମୂଲ୍ୟହୀନ ପରା ତାହାର ଫଳ ।
ଅଢେଇ ଦିନିଆ ମଣିଷ ଜୀବନ
ସିନା ବିଶ୍ବାସକୁ ନେଲେ କୋଳେଇ
ଭରସା ଜୀଇଁବ ଆଶା ନ ମରିବ
ଜଣେ ରହିଥିବ ଆନର ଛାଇ ।
ଛଳନା ଜୁଇରେ ହୃଦୟ ଜଳିଲେ
ହସଖୁସି ସୁଖ ସବୁ ଲିଭଇ
ତେଣୁ ସମ୍ପର୍କକୁ ଭିଡ଼ି ଧରିବାକୁ
ବିଶ୍ବାସରେ ବିଷ ଭରନା କେହି ।
