ବିଶ୍ୱାସ
ବିଶ୍ୱାସ
ବିଶ୍ୱାସ ଅଟଇ ତିନୋଟି ଅକ୍ଷର
ବହୁତ ମହତ୍ତ୍ୱ ତାର
ବିଶ୍ୱାସେ ମିଳନ୍ତି ହରି, କିନ୍ତୁ ତର୍କେ
ଚାଲିଯାନ୍ତି ବହୁଦୂର ।
ଜଗନ୍ନାଥ ଦାସ ଭାଗବତ ଗ୍ରନ୍ଥେ
ବିଶ୍ୱାସ ର ମୂଳ ମନ୍ତ୍ର
ଲେଖିଯାଇଛନ୍ତି ବିଶ୍ୱାସ ମୂଳରେ
ରହିଛି ସାରା ଜଗତ ।
ବିଶ୍ୱାସ ବଳରେ ସମ୍ପର୍କର ସେତୁ
ମଜଭୂତ ହୋଇଥାଏ
ଅବିଶ୍ୱାସୀ ଜନ ବୁଝେନି ମହତ୍ତ୍ୱ
ସମ୍ପର୍କ ଦୁରେଇ ଯାଏ ।
ବିଶ୍ୱାସ ଜନ୍ମିବା ପାଇଁ ଲାଗିଯାଏ
ଦିନ, ବାର, ମାସ, ବର୍ଷ
ଏକ ମୁହୂର୍ତ୍ତରେ ନଷ୍ଟ ହୋଇଯାଏ
ହୋଇଯାଏ ଅବିଶ୍ୱାସ ।
ଥରେ ଯେଉଁ ଲୋକ ଅବିଶ୍ୱାସୀ ହେଲା
ବଂଚିଥିଲେ ଜୀବନରେ
କେବେହେଲେ ତାକୁ ବିଶ୍ୱାସ ଯିବନି
ରହିବ ତାହାଠୁ ଦୂରେ ।
କିଛି ଲୋକ ରହିଛନ୍ତି ପୃଥିବୀରେ
ବିଶ୍ୱାସୀ କଥା କହନ୍ତି
ଅଣ୍ଟିରେ ପଶିଣ ତଣ୍ଟିରେ ଛୁରିକି
ଅନାୟାସେ ମାରିଥାନ୍ତି ।
ବିଶ୍ୱାସରେ ବିଷ ଦିଏ ଯେଉଁ ନର
ଘାତକ ଅଟଇ ସେହୁ
ଅନ୍ତର ଭିତରେ ହଳାହଳ ବିଷ
ମୁଖରୁ ଝରଇ ମଧୁ ।
ଅଚିହ୍ନା ଓ ଅପରିଚିତ ଲୋକଙ୍କୁ
କରିବ ନାହିଁ ବିଶ୍ୱାସ
ସରଳ ବିଶ୍ୱାସ ଜନ୍ମାଇ ହୃଦୟେ
କରିଦେବେ ସର୍ବନାଶ ।
ବିଶ୍ୱାସ ଜନ୍ମିବା ପାଇଁ ଲାଗିଯାଏ
ଦିନ, ବାର, ମାସ, ବର୍ଷ
ଏକ ମୁହୂର୍ତ୍ତରେ ନଷ୍ଟ ହୋଇଯାଏ
ହୋଇଗଲେ ଅବିଶ୍ୱାସ ।
ଦୁର୍ଜନ ଲୋକଙ୍କୁ ବିଶ୍ୱାସ କରିଲେ
ପରିସ୍ଥିତି ଭୟାବହ
କେତେବେଳେ ତାଙ୍କ ହସ୍ତେ ପ୍ରାଣଯିବ
ସେଥିରେ ନାହିଁ ସନ୍ଦେହ ।
କାହାରି ବେଶ ଭୁଷା କୁ ଦେଖି କେବେ
ବିଶ୍ୱାସ କରିବ ନାହିଁ
ତପସ୍ୱି ବେଶରେ ରାବଣ ସୀତାଙ୍କୁ
ନେଇଥିଲା ଟି ଚୋରାଇ ।
ଏ କଳିଯୁଗରେ ଗେରୁଆ ବସନ
ପିନ୍ଧି ବାବା ବୁଲୁଛନ୍ତି
ଛଦ୍ମ ଆବରଣ ତଳେ ରହିକରି
କରୁଅଛନ୍ତି ଦୁର୍ନୀତି ।
ସେମାନଙ୍କୁ ବିଶ୍ୱାସ କରିଲେ ତୁମ
ଜୀବନ ହେବ ଅସାର
ବିଶ୍ୱାସ ଭକ୍ତିରେ ସନ୍ତୁଷ୍ଟ ଶ୍ରୀହରି
ତାଙ୍କ ପାଦ ଧ୍ୟାନ କର ।
