ବିପର୍ଯ୍ୟସ୍ତ ପରିବେଶ
ବିପର୍ଯ୍ୟସ୍ତ ପରିବେଶ
କ୍ଷିତି ଆପ ତେଜ ବାୟୁ ଆକାଶାଦି ତତ୍ତ୍ୱ
ପ୍ରକୃତି ଆମର ଗଢା ପଞ୍ଚ ମହାଭୂତ।
କ୍ଷିତି ଆମ ମାଆ ଧରି ସାଗର ଜଙ୍ଗମ
ଝରଣାରୁ ନଦୀ ବହି ନଦୀର ସଙ୍ଗମ।
ନଦୀ ବହେ ସାଗରକୁ ବାଷ୍ପ ହୋଇ ଜଳ
ଆକାଶରେ ଘୁରିବୁଲେ ମୌସୁମୀର ବଳ।
ପବନ ସାଥେ ସଙ୍ଘର୍ଷ ଝରେ ବାରି ଧାରା
ଜଳଚକ୍ର ଏହି ମତେ ଚାଲେ ସସାଗରା ।
ପର୍ବତ ଜଙ୍ଗଲ ଥିଲେ ବରଷା ସହଜ
ଜଳ ସଂରକ୍ଷଣ ଯୋଗୁଁ ହରଷ ଉଦ୍ଭିଦ।
ପରିବେଶ ସୁରକ୍ଷିତ ଥିଲେ ଋତୁ ଚକ୍ର
ସମୟାନୁସାରେ ଘଟେ ହୁଏନାହିଁ ବକ୍ର।
ନଭ ଜଳ ସ୍ଥଳ ତିନି ମିଶି ପରିବେଶ
ବିପର୍ଯ୍ୟସ୍ତ କରେ ତାକୁ ଉନ୍ମତ୍ତ ମଣିଷ।
ଜଙ୍ଗଲକୁ ପଦା କଲା ପାହାଡକୁ ଚୁନା
ବସ୍ତୁବାଦର କବଳେ ପରିବେଶ ଚୁନା।
ପଲିଥିନ୍ ସାମଗ୍ରୀର ଅବାଧ ବ୍ୟବହାର
ଆପଣା ସୁଖରେ କଲା ସବୁ ଛାରଖାର।
ଜରିର ପାହାଡ ସହରର ପଦା ସ୍ଥାନେ
ଗୋରୁଗାଈଙ୍କ ଆହାର ଗୁଳ୍ମ ତରୁ ଜ୍ଞାନେ।
ନଦୀ ସ୍ରୋତେ ଜମାହୁଏ ସାଗର ଗର୍ଭରେ
ଜଳଚର ପ୍ରାଣୀଙ୍କ ଜୀବନ ଶଂକଟରେ।
ସର୍ବ ଭକ୍ଷୀ ମାନବକି ମୁକୁଳିବ ତହୁଁ
ବିଷାକ୍ତ କ୍ରିୟା ଉଦରେ ଫୁଲେ ଚାହୁଁ ଚାହୁଁ।
ରାସାୟନିକ ସାରର ଉଗ୍ର ବ୍ୟବହାର
କୀଟନାଶକ ଖାଦ୍ୟକୁ କରୁଛି ଅସାର।
ଓଜୋନ ସ୍ତରରେ ଫାଟ ଅତି ବାଇଗଣି
ସୂର୍ଯ୍ୟ ରଶ୍ମି ସୃଷ୍ଟି କରେ କର୍କଟ କାରିଣି।
ଗ୍ରୀଷ୍ମର ପ୍ରକୋପ ବଢି ସ୍ଫୁଟନାଙ୍କ ଛୁଏଁ
ଆଣ୍ଟାର୍କଟିକା ତରଳିବ ବିଶ୍ୱାସ କି ହୁଏ !
ସାଗର ଲଙ୍ଘିବ କୁଳ ପ୍ରଳୟ ସୂଚନା
ଆପଣା ହସ୍ତରେ ଜିହ୍ୱା ଛେଦି କଳପନା।
ବର୍ଷା ଆପେ ହୁଏନାହିଁ ମୌସୁମୀ ଦୁର୍ବଳ
ଶୀତ ଦିନରେ ଉତ୍ତାପ ଅବସ୍ଥା ବିକଳ !
ଶିଶୁଟିଏ ଜନ୍ମ ଦେଲେ ବୃକ୍ଷ ପାଞ୍ଚ ଗୋଟି
ରୋପଣ ନକରି ଦେଉଅଛୁ ବୃକ୍ଷ କାଟି।
ଥଳିଟିଏ ସଙ୍ଗେ ନେଇ ବଜାର ନ ଯାଇ
ଥରେ ବ୍ୟବହାର ଜରି ବ୍ୟାଗକୁ ରୁଣ୍ଡାଇ।
ନର୍ଦ୍ଦମା ଦୂଷିତ ଜଳ ନଦୀ ସମୁଦ୍ରରେ
ପଡି ମାତ୍ରାଧିକ ପ୍ରଦୂଷଣ ସୃଷ୍ଟି କରେ।
ବର୍ଜ୍ୟ ବସ୍ତୁ ପରିଚାଳନାର ଅବ୍ୟବସ୍ଥା
ଦେଖିଲେ ଭବିଷ୍ୟତର ଆସେ ନାହିଁ ଆସ୍ଥା।
ଭୁଜ ଭୂମିକମ୍ପ ମହାବାତ୍ୟା ଓଡିଶାର
ଉତ୍ତରାଖଣ୍ଡ ପ୍ରଳୟ ସୂଚନା ଶେଷର।
ସୁନାମୀ କ୍ୟାଟ୍ରିନା ଫାଇଲିନ୍ ହୁଡହୁଡ୍
ଫଣୀ ଫଣା ତୋଳି ଆସେ ଭୟ ଜଡସଡ।
କମ୍ପନ ଆଣେ ହୃଦୟେ ଅମ୍ପାନ ଭାବନା
ସୁନ୍ଦର ବନରେ ସ୍ଥଳ ଛୁଇଁବ କଳନା।
ସ୍ୱାଇନ୍ ଫ୍ଲୁ ଏଚ୍ ଆଇ ଭି କୋଭିଡ ଚପେଟ
ସାରା ବିଶ୍ବକୁ ଗିଳିଛି ବିଭୁ ବ୍ରହ୍ମ ଚୋଟ।
ନଭ ଜଳ ସ୍ଥଳ ତିନି ଶାନ୍ତ କରିବାକୁ
ପ୍ରଯତ୍ନ ଜରୁରୀ ଲୋଡା ଧ୍ୱଂସ ରୋକିବାକୁ।
ଔଷଧ ବନସ୍ପତିର ଶାନ୍ତି ବେଦ ବାଣୀ
ଭୁଲି ବାଟବଣା ମନୁପୁତ୍ରର କରଣୀ।
