Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jagannath Barik

Inspirational

4  

Jagannath Barik

Inspirational

ବିପନ୍ନ ସରଣୀ

ବିପନ୍ନ ସରଣୀ

2 mins
285


କାଗଜ କଲମ ଚାଷ ଛାଡ଼ି ଏବେ ଵିଲ ଚାଷେ ମନ ଦେଇଛି

ସତୁରି ବର୍ଷରେ ଟ୍ରାକ୍ଟର ପଛରେ କଲବଲ ହୋଇ ଧାଇଁଛି |

ନାଆଁକୁ ଟ୍ରାକ୍ଟର ଖାଲି ବିଦାଗାର ଘାସକୁ ଘୋଡ଼ାଇ ଦେଉଛି

କଲମୀ ହେଉଛି ତେଜ ପ୍ରକାଶୁଛି ସବୁଜ ସୁଷମା ବହୁଛି |

ଚାରି ଓଡ଼ ଚାଷ ହୋଇ ସାରିଲାଣି ଦୁବ ଘାସ ଶାଖା ମେଲୁଛି

ଚକି ଉଠୁନାହିଁ ମୁଥା ମରୁନାହିଁ ଦେଖିଦେଲେ ଦେହ ସଲୁଛି |

ଘଣ୍ଟାଏ ଚଷିଲେ ଆଠଶହ ଟଙ୍କା ଦେବାରେ ହାଡ଼କୁ ବାଧୁଛି

ପନ୍ଦର ହଜାର ସରିଲାଣି ପୁଣି ପନ୍ଦର ସରିବ ଭାବୁଛି |

କଣ ହାଣିବାକୁ ହିଡ଼ ବାନ୍ଧିବାକୁ ଲୋକ ଯଦି ଖୋଜାପଡୁଛି

ତିନି ଘଣ୍ଟା ପାଇଁ ତିନିଶତ ଟଙ୍କା ତଥାପି ଅମଙ୍ଗ ହେଉଛି |

ଉଠି ବସି ଏବେ ମୁଲିଆ ଅଭାବେ ବାଧ୍ୟରେ କୋଦାଳ ଧରୁଛି

ମନେ ଅଛି ବଳ ଶରୀର ଦୁର୍ବଳ ଅଣ୍ଟା ପିଠି ବ୍ୟଥା ହେଉଛି |

ସାହିତ୍ୟ ସାଧନା ସମାଜ ସେବାରୁ ନିଜକୁ ଦୂରେଇ ଦେଉଛି

ଅମୃତ ସରଣୀ ଛାଡ଼ି ଜଞ୍ଜାଳର ଵିଷ ପଙ୍କେ ପଡ଼ି ମରୁଛି |

ଜ୍ଞାନୀ ଗୁଣୀଙ୍କର କାବ୍ୟ କବିତାର ପଠନୁ ବଞ୍ଚିତ ହେଉଛି

ଅକ୍ଷୟ ଧନକୁ ପାଦରେ ଆଡ଼େଇ ଲୋଭ ସ୍ୱାର୍ଥ ପଛେ ଧାଉଁଛି |

ଟଙ୍କିକା ଚାଉଳ ପାଞ୍ଚ ଟଙ୍କି ଥାଳ ଚାଷକୁ ବୁଡ଼ାଇ ଦେଉଛି

ମୁଲିଆ ଶବଦ ଲଙ୍କା କଟକରେ ହରି ଶବ୍ଦ ବୋଧ ହେଉଛି |

ଚଷା ପିଲା ହୋଇ ଜମିକୁ ପଡ଼ିଆ ପକାଇବା ଶ୍ରେୟ ନୋହୁଛି

କ୍ଷତି ସହି ସହି ଶ୍ରମ ଦେଇ ଦେଇ ସବୁତ ବେକାର ହେଉଛି |

ପ୍ରିୟ ସରକାର ମାଗଣାରେ ସବୁ ରାସନ ଯୋଗାଇ ଦେଉଛି

ମାଆର ପେଟରୁ ମଶାଣି ପର୍ଯ୍ୟନ୍ତ ସକଳ ବ୍ୟବସ୍ଥା ଖଂଜୁଛି |

ଲାଗି ଖାଇବାଠୁ ମାଗି ଖାଇବାକୁ ଲୋକଙ୍କ ପସନ୍ଦ ହେଉଛି

ଉଚ୍ଚ ଉଚ୍ଚାସନେ ନୀଚେ ସୁଖାସନେ ମଧ୍ୟବିତ୍ତ ଖାଲି ମରୁଛି |

ବାଇକ ସହିତ ସ୍ମାର୍ଟ ଫୋନ ଆଜି ଘରେ ଘରେ ମନ ମୋହୁଛି

ପ୍ରଧାନ ମନ୍ତ୍ରୀଙ୍କ ଆବାସ ଯୋଜନା କୋଠାଘର ମିଳି ଯାଉଛି |

ଚାଷ କାମେ ମାଟି କାଦୁଆ ହେବାକୁ କାହାର ତ ଇଚ୍ଛା ନୋହୁଛି 

ଦାଦନ ଖଟିବା ବିଦେଶ କରିବା ମନୋବୃତ୍ତି ଦେହ ସହୁଛି |

ଅଧା ବିଲବାଡି ପଡ଼ିଆ ପଡ଼ିଛି ଘାସ ଛଣ ବଣ ହେଉଛି |

ପଚାଶ ହଜାର ଖରଚ କରିକି ଦଶ ହଜାର ମୁଁ ପାଉଛି

କିନ୍ତୁ ଭିଟା ମାଟି ଛାଡ଼ିବି ନାହିଁ ମୁଁ ମମତାର ମୁଲ ଶୁଝୁଛି |

ଭଙ୍ଗା ଘରେ ମୋର ମାଟି ଲେସା ଚାଲେ ଛପରତ ଉଡ଼ି ଯାଇଛି

ପଡ଼ି କାର୍ଡ ନାହିଁ ଶ୍ରମ କାର୍ଡ ନାହିଁ ଶୂନ୍ୟେ ଜଳ ଜଳ ଚାହିଁଛି |

ମାଟି ମାଆର ମୁଁ ଶ୍ରେଷ୍ଠ ସନ୍ତାନ ବିପନ୍ନ ସରଣୀ ଧରିଛି 

ଜଗତ ମୁଖରେ ଅନ୍ନ ମୁଠି ଦେଇ ତ୍ୟାଗର ମହତ୍ୱ ବୁଝିଛି |

ଦୀପ ଶିଖା ପରି ନିଜେ ଜଳି ଜଳି ଆନକୁ ଆଲୋକ ଦେଉଛି

ଆଖିର ଲୁହକୁ ଓଠେ ପିଇ ଦେଇ ଝଡ଼ର ଇଗଲ ସାଜୁଛି |

ଚାଷରୁ ବିମୁଖ ଯୁବ ଶକ୍ତି ପାଇଁ ଘୋର ଅନ୍ଧକାର ଆସୁଛି

ଖାଦ୍ୟାଭାବ ଆଉ ଦୁର୍ଭିକ୍ଷକବଳେ ଶରବ୍ୟ ହୋଇବେ ଲାଗୁଛି |

ଅଳସୁଆ ଏବେ ସୁଖ ପାଉଅଛି ଦୁଃଖର ସମୟ ଆସୁଛି

ବେଳୁ ସାବଧାନ ହୁଅ ଭାଗ୍ୟବାନ ଏତିକି କାମନା କରୁଛି |



Rate this content
Log in