ବିଫଳତା ସଫଳତା
ବିଫଳତା ସଫଳତା
ବିଫଳତା ଆସେ ଜୀବନରେ ଯେବେ
ଘନ ଅନ୍ଧକାର ନେଇ ,
ଅସହାୟବୋଧ ଆବୋରି କହଇ
"ଅପାରଗ ଗଲୁ ହୋଇ"। [୧]
ଜୀବନଟା ଲାଗେ ଉଦାସ-ଉଦାସ
ନିସ୍ତେଜ ସରାଗ ହୀନ,
ସ୍ପନ୍ଦନ ବିହୀନ, ପ୍ରତିକ୍ରିୟା ହୀନ,
ଚେତାରୁ ଚେତନା ଶୂନ୍ୟ । [୨]
ଯାତନାରେ ଜଳି ଧୂଆଁ ଧୂଆଁ ହୁଏ
ଅଶାନ୍ତ ମନ, ହୃଦୟ ,
ଆକତା ମାକତା ମନ ପକ୍ଷୀ ସତେ
ଜଡ ମୃତବତ ପ୍ରାୟ । [୩]
ଖୋଲା ଆକାଶର ଭାରି ଭାରି ପଣ
ମଥାନକୁ ଛୁଇଁ ଯାଏଁ ,
ଅନିଶ୍ଚିତତାର ଗରୁଭାରେ ପାଦ-
ତଳ ମାଟି ଧସିଯାଏ । [୪]
ଦୁଃଖ ନିରାଶାର ପ୍ରଚଣ୍ଡ ତାପରେ
ଝାଉଁଳେ ଜୀବନ ଲତା,
ବିଫଳତା-ଅଟ୍ଟହାସ୍ୟ ଭାଙ୍ଗିଦିଏ
ମନ ତଳ ନୀରବତା। [୫]
ଅସରେ ବରଷା ଶେଷେ ଦେଖାଦେଇ
ଆଶାର ଇନ୍ଦିରଧନୁ,
ନିରାଶ ମନରେ ପୁଲକ ଜଗାଇ
ଖୁସିରେ ଭିଜାଏ ତନୁ । [୬]
କାର ଯାଦୁକରୀ କୋମଳ ପରଶେ
ହୃଦୟ ଦୁଆର ଖୋଲି,
ଯାତନାର ଧୂଆଁ ଆକାଶକୁ ଧାଏଁ
ବୁକୁତଳ କରି ଖାଲି । [୭]
ସଫଳତା ଆସେ ସନ୍ନ୍ୟାସୀଟି ପରି
ସନ୍ତର୍ପଣେ ପାଦ ଥାପି,
ଆତ୍ମ ପ୍ରଶାନ୍ତିର ଶିହରଣ ଜାଗେ
ଆତ୍ମା ହୋଇଯାଏ ଖୁସି । [୮]
ବିପଦ ବେଳାରେ ଅଧୀର ନହୋଇ
କରମରେ ଦେବା ମନ,
କଥା ରହିଅଛି; "ବିଫଳତା ପରା-
ସଫଳତାର ସୋପାନ" । [୯]
ନଶ୍ଵର ଶରୀର ସଂସାରରେ କେବେ
ଚିର ହୋଇ ରହିନାହିଁ,
ଅଳିକ ଜୀବନ ଯେମିତି ମିଳିଛି
ଆନନ୍ଦରେ ଯିବା ଜୀଇଁ । [୧୦]
