ବିଫଳ ପ୍ରେମିକ
ବିଫଳ ପ୍ରେମିକ
ମୁଁ ଥିଲି ଦିନେ ପୁରନ୍ତା ଘରର ଖାନଦାନୀ ଦାୟାଦ
ପଢ଼ୁଥିଲି ପାଠ ମହାବିଦ୍ୟାଳୟେ ନରଖି ଖେଦ ll
ଏକ ମାତ୍ର ସନ୍ତାନ ଭବିଷ୍ୟତର ଫୁଲାଫାଙ୍କିଆ
ମନେ ମନେ ହୋଇ ଗର୍ବିତ ପ୍ରେମେ ବାଙ୍କଚୁଳିଆ ll
ସବିତା ନାମ ଥିଲା ତାର ମୋର ସେ ସହପାଠୀନୀ
ରୌପ୍ୟ ସମୟ ବିଂଶ ଶତାବ୍ଦୀର ମୋ ଅନୁଗାମିନୀ ll
ହସଖୁସି ଗପସପ ଖାଦ୍ୟ ପାନୀୟର ଆସର ସଦା
ଜମି ଯାଇଥିଲା ପରସ୍ପର ହୃଦୟେ ଭାବରାଜି ନିଦା
ଦିନେ ବାସନ୍ତୀ ଅପରାହ୍ନେ ଯାଇଥିଲୁ ପୁରୀ ଦର୍ଶନେ
ଶ୍ରୀକ୍ଷେତ୍ର ବେଳାଭୂମି ସେଯେ ବିଖ୍ୟାତ ତିନି ଭୁବନେ ll
ମନ ବଳେଇଲା ସବିତା କରିବାକୁ ସ୍ନାନ ସାଗରରେ
ବାରଣ ସତ୍ତ୍ୱେ ଧାଇଁ ପଶିଲା ଉଜାଣି ଉର୍ମିମାଳାରେ ll
ଅପରାହ୍ନର ରବି ଯାଉଥିଲେ ଡୁବି ଛାଡ଼ି ଗୋଲାପୀ
ଦୂର ଦିଗବଳୟ ତଳକୁ ସତେ ଯେପରି ପ୍ରେମୀତପୀ ll
ସବିତା ମୋ ପ୍ରେୟସୀ ସ୍ନାନ ଭୋଳେ ମଗନ ତଥାପି
ଭୁଲିଥିଲା ମତେ ବୋଧେ ମନେ ସାଗର ପ୍ରେମ ଥାପି ll
ଭୁତଳ ଉର୍ମିସ୍ରୋତର ପ୍ରାବଲ୍ୟ ଅମାବାସ୍ୟାର ତିଥି
ନେଲାଟାଣି ସ୍ନାନରତା ସବିତାକୁ ତାର ସାଗର ପ୍ରୀତି ll
ବସିଥିଲି ଏକାକୀ ମୁଁ ସେଦିନ ଗୋଧୂଳି ଲଗନେ
ସାଗରତୀରେ କରି ଉପଭୋଗ ଦୃଶ୍ୟ ଆନନ୍ଦିତ ମନେ ll
ଅନ୍ୟମନସ୍କତା ସହସା କଲା ମତେ ମନସ୍କତା ତଦା
ଚାହିଁଲି ନଥିଲା ଉର୍ମିମାଳା କୋଳେ ମୋ ସବିତା କଦା ll
ଆଖିରୁ ଝରିପଡ଼ିଲା ଅଶ୍ରୁ ବେଦନାସିକ୍ତ କରି ମନ ପ୍ରାଣ
ଅକାଳ ବିଚ୍ଛେଦ କଲା ବିହି ମୋତେ ପ୍ରେମହରା ମନ ll
ଦୂର ଦିଗବଳୟ ତଳେ ରବି ଯାଇଥିଲେ ଫେରି ସେବେ
ସେବେ ହୋଇଥିଲା ଅସ୍ତ ଜୀବନ-ରବି ସବିତାର ଭବେ ll
ନିଷ୍ଠୁର ସାଗରର ତଳୁଆ ତରଙ୍ଗ ସ୍ରୋତ ନେଇଥିଲା
ମୋ ପ୍ରିୟାକୁ ମୋ ପାଖୁ ଟାଣି ନିରିମାଖି ମୋତେ କଲା ll
କରିଥିଲି ଅଭିଳାଷ ଜଣେ ଜୀବନ ସାଥି ସବିତା ପରି
ମାତ୍ର ବାମ ମୋ କପାଳ ବଞ୍ଚିଲି ମୁଁ ବିଫଳ ପ୍ରେମିକପରି ll
ନଥିଲା ଆକାଶେ ଭାସ୍ୱତ ଚନ୍ଦ୍ରମା ମାତ୍ର କୂଳେ ଜନରବ
ଗଡ଼ାଇ ଲୁହ ଟୋପା ଡାକିଲି ଜଗାକୁ ନହୋଇ ନୀରବ ll

