ବିଲୁଆ ନନାର ଦିଲ୍ଲୀ ସହର ବୁଲା
ବିଲୁଆ ନନାର ଦିଲ୍ଲୀ ସହର ବୁଲା
ବିଲୁଆ ନନା ବଡ଼ ଚାଲାକି
ଯାଇଥିଲା ଦିନେ ଦିଲ୍ଲୀ
ହଜିଲା ଜ୍ଞାନ ଉଡିଲା ଭେଳା
ଭାବିଲା କାହିଁ ଆସିଲି ।
ଖାଇଲା ପିଜା ପେଟିସ୍ ସେଠି
ଖାଇଲା ବରଗର୍
ମନ ନଥିଲା କାହିଁରେ ତାର
ଖୋଜେ ଜାମୁ, ଅଙ୍ଗୁର ।
ଦେଖିଲା ସେତ ଲାଲକିଲ୍ଲା
ଦେଖିଲା କୁତବ୍ ମିନାର
ଲଡ଼ୂ ଗଣେଶ, ଗୁରୁଦ୍ୱାର ବଙ୍ଗଳା
ପୁଣି ଲୋଟସ୍ ମନ୍ଦିର ।
ଲୁଚି ଲୁଚିକା ଛପି ଛପିକା
ଦିନ କିଛି ଗଲା ବିତି
ହେଲେ ନଖାଇ ନପିଇ ମଥା ଘୁରିଲା
ଦୁର୍ବଳ ହେଲା ଅତି ।
ସୁନ୍ଦର ତା' ବଣ ମୁଲକ
ସବୁଜିମାରେ ଭରା
କି ମନୋହର ଝରଣା କୂଳ
ପାହାଡ଼ ପର୍ବତ ଘେରା ।
କିପରି ଯିବ ବଣ ରାଇଜେ
ଭାଳି ସେ ହେଲେ ବସି
ବଡ଼ ଗହଳ ଦିଲ୍ଲୀ ସହର
ହେଲା ସେ ଅଣନିଃଶ୍ୱାସୀ ।
ଏକା ନିଃଶ୍ୱାସେ ଧାଇଁଲା ଦିନେ
ହୋଇଣ ବଣ ମୁହାଁ
ଛାଡ଼ିଲା ନିଶା ସହର ବୁଲା
ଦିଲ୍ଲୀ ସହର ମୋହ।
