STORYMIRROR

Pranati Mahapatra

Abstract Action

4  

Pranati Mahapatra

Abstract Action

ବିକ୍ଷିପ୍ତ

ବିକ୍ଷିପ୍ତ

1 min
235


ଶବ୍ଦ ଆଜି ବିକ୍ଷିପ୍ତ ହୋଇ ବୁଲୁଛି

ମହାକାଶରେ ଭସାବାଦଲ ପରି,

କେତେବେଳେ କଳାହାଣ୍ଡିଆ ତ

କେତେବେଳେ ପୁଣି ଧଳାବଉଦ,

ବିନ୍ଦୁ ବିନ୍ଦୁ ଜଳକଣିକା ତ ମିଶି ଯାଏ

ଫଳସ୍ଵରୁପ ସିନ୍ଧୁ ସୃଷ୍ଟି।

ନିଗିଡି ଆସୁଛି ସବୁ ,ଉତୁରିବା ଦେଖୁନାହିଁ,

ଗବଗବ ହୋଇ ଫୁଟୁଛି କେବଳ

ତତଲା ନିଆଁରେ ପୋଡ଼ି ପାଉଁଶ ହୋଇ ଯାଉଛି ପଛେ,

ଶବ୍ଦ ହୋଇ ଯାଇଛି ବାଟବଣା।


ଅନାହୁତ ଅତିଥି ପରି ଆସୁଛନ୍ତି ଯାଉଛନ୍ତି,

ଧରିବାକୁ ଚେଷ୍ଟା କଲେ କିଲିବିଲି କରୁଛନ୍ତି,

କାହିଁ ସମାଧିସ୍ଥ ତ ନୁହେଁ

କ'ଣ ହୋଇଛି,

ବିଜୁଳି ଅଛି, ଘଡ଼ଘଡି ବି ହେଉଛି

ଖାତା କଲମ ବି ଖୋଲା ପଡିଛି

କବିତା କି ଗଳ୍ପ 

କାହାର ଦେଖିନାହିଁ

ଯଦି ଋତୁ ନ ଥାଇ,ବର୍ଷା ହେଉଛି

ଶୀତ ହେଉଛି 

ତା ହେଲେ ଏ କବିତା ଗଲା କୁଆଡ଼େ

ଶବ୍ଦ ସବୁ ନିଖୋଜ କାହିଁକି

ମାଓବାଦୀ ଭୟରେ ନା

ମହାମାରୀ ଆତଙ୍କରେ

ଲକ୍ ଡାଉନରୁ ସଟ୍ ଡାଉନ ହୋଇ ଯାଇଛନ୍ତି ।


ସେଥିପାଇଁ ବୋଧେ ରାତି ଅଧରେ କୋଇଲିଟା ବାହୁନୁଛି

ଦିନସାରା ପେଚା ଗୁଡା ଫଡଫଡ଼୍ ହୋଇ ଉଡୁଛନ୍ତି,

ବାଳବୃଦ୍ଧ ସମାନ ନ୍ୟାୟରେ ପଞ୍ଚମ ଶ୍ରେଣୀ ପିଲାଟା ବାଳ ପାଚି ଧଳା ଆଉ

ପଚାଶ ବର୍ଷର ମୁଣ୍ଡଗୁଡା କଳା ମଚମଚ

ଗୁରୁମାନେ ଶିଷ୍ୟ ହୋଇ ପ୍ରଶ୍ନ ପରେ ପ୍ରଶ୍ନ ଲେଖି ଚାଲିଛନ୍ତି,

ଶିଷ୍ୟ ସବୁ ଉଭାନ ହୋଇ ଯାଇଛନ୍ତି ଇଉଟୁବ୍ ,ଭର୍ଚୁଆଲ ଭିଡିଓ ଭିତରେ।

ଶବ୍ଦ ମାନେ କେଉଁଠି ଆଉ ଧରାଦେବେ ମୋତେ।

ଅପେକ୍ଷା କରିଛି ବୀଣାପାଣିଙ୍କୁ ସୁମରଣା କରି ଭାବନା ସହ ଶବ୍ଦ ମାନଙ୍କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract