ବିଘ୍ନ ବିନାଶନପ୍ରଭୁ ଗଜାନନ
ବିଘ୍ନ ବିନାଶନପ୍ରଭୁ ଗଜାନନ


ବିଘ୍ନ ବିନାଶନ ପ୍ରଭୁ ଗଜାନନ
ବିଘ୍ନରାଜ ବିଘ୍ନ ବିନାଶ କାରଣ
ବିଧୁର ଜୀବନେ ଆସ ବାରେ କ୍ଷଣେ
ବିନତ ଭାବନା କରୁଛି ଘେନ
ଆହେ ଅଗ୍ରପୂଜ୍ୟ ଗଜାନନ
ବିଘ୍ନ ନାଶ କରି ସଂହାରିବ ଅରି
ତବ ପାଦେ ନିବେଦନ ।
ଘନ ନୀଳ କାନ୍ତି ବଦନେ ପ୍ରଶାନ୍ତି
ଘୋଟିଲାଣି ପ୍ରଭୁ ଜୀବନେ ଦୁଃସ୍ଥିତି
ଘାଟ ଜଗିବାକୁ ବାଟ ଦେଖେଇବ
ଘୁମନ୍ତ ମୁଦ୍ରାରେ ନରଖି ଧ୍ୟାନ
ଆହେ ଆଗ୍ରପୂଜ୍ୟ ଗଜାନନ
ଘନରବ ସ୍ୱନେ ଆସ ମର୍ତ୍ତ୍ୟ ଧାମେ
ଏତିକି ଯେ ନିବେଦନ ।
ଜ୍ଞାନଦାତା ବୁଦ୍ଧିଦାତା ସିଦ୍ଧିଦାତା
ସର୍ବକାର୍ଯ୍ୟେ ଆଦ୍ୟେ ତୁମେ ଯେ ଗ୍ରହୀତା
ପୁଷ୍ପମାଲ୍ୟ ପୁଷ୍ପାଞ୍ଜଳି କର ଘେନା
ନୈବେଦ୍ୟ ହୃଦରୁ କର ବହନ
ଆହେ ଅଗ୍ରପୂଜ୍ୟ ଗଜାନନ
ପାର୍ବତୀ ନନ୍ଦନ ଘେନାକର ଦାନ
ଶରଣ ତବ ଚରଣ ।
ଏକଦନ୍ତ ଗଜାନନ ମୁଖ ଶୋଭା
ପ୍ରଜ୍ଞାଦୀପ୍ତ ଭାବ ଝଟକୁଛି ଆଭା
ଗଭାରେ କିରିଟ ହସ୍ତରେ ଲେଖନୀ
ପୋଥି ହସ୍ତେ ସଦା ଶୋଭା ବର୍ଦ୍ଧନ
ଆହେ ଅଗ୍ରପୂଜ୍ୟ ଗଜାନନ
ଲେଖନୀ ମୁନରେ କପାଳେ ଲିଖନ
ଆଶିଷ ରେ ଦିବ୍ୟଜ୍ଞାନ ।
ମୂଷିକ ବାହନେ ଧରାବତରଣ
ସନ୍ଥ ପାଳି ଦୁଷ୍ଟ କର ବିଦାରଣ
କାମନା ରହିତ ହୃଦୟରେ ପ୍ରୀତ
ମଧୁର ଭାଷରେ ଯେ ଆଲିଙ୍ଗନ
ଆହେ ଅଗ୍ରପୂଜ୍ୟ ଗଜାନନ
ବନ୍ଦନା କରୁଛି ଭକ୍ତି ପୁଷ୍ପାର୍ପିତେ
ବିଘ୍ନରାଜ ଗଜାନନ ।
ସମର୍ପି ଦେବାକୁ ନୈବେଦ୍ୟ ଆଧାରେ
କପିତ୍ ଥ ଜମ୍ବୁ ଫଳ ସାର ବାରେ
ଶ୍ରୀ ଫଳ ହସ୍ତରେ ଅଛି ଶରଧାରେ
ତୋଳିନିଅ ପ୍ରଭୁ ହେବି ମୁଁ ଧନ୍ୟ
ଆହେ ଅଗ୍ରପୂଜ୍ୟ ଗଜାନନ
ଅଜ୍ଞାନ ଅନ୍ଧକାର ଦୂର କର
ଚରଣେ ପଶେ ଶରଣ ।