ବିଚିତ୍ର ଲାଗେ ଆଜି
ବିଚିତ୍ର ଲାଗେ ଆଜି
ନୁହଁଇ ମିଛ କହିଲେ ସତ
ସମ୍ପର୍କ ଯାଏ ଭାଙ୍ଗି ,
ସାଧୁ ବୋଲାଏ ମିଛୁଆ ଆଜ୍ଞା
ସତୁଆ ହୁଏ ଦାଗୀ ।
ଏଇଟା ସତ ଯେ ବ୍ଯକ୍ତି ସ୍ପଷ୍ଟ
ସିଧାସଳଖ କହେ,
ତା'କଥା ତୀବ୍ର ପୁଣି କଠୋର
କାନକୁ ଲାଗିଥାଏ ।
ଏଭଳି ଲୋକ ଜୀବନେ ମାତ୍ର
ଦିଅନ୍ତି ନାହିଁ ଧୋକା,
କଥା ଦେଇକି କଥା ରଖିବା
ତାଙ୍କ ଜାତକେ ଲେଖା ।
ଏ କଥା କାହୁଁ କିଏ ବୁଝିବ
ଏହାଙ୍କ ନାହିଁ ସ୍ଥାନ,
କଳି ଯୁଗର ଏ ଅଟେ ନ୍ୟାୟ
ସତ୍ୟକୁ ଅପମାନ ।
ତଥାପି ବାଟ ନ ବଦଳାଅ
ଯିଏ କହିଛ ସ୍ପଷ୍ଟ,
କିଛିଟା ଝଡ଼ ଆସି ଜୀବନେ
ସଫା କରଇ ପଥ ।
କିଛିଟା କଷ୍ଟ କଥାକୁ ଏଠି
ସହିବାକୁ ତ ପଡେ,
କିଛିଟା କାମ ଇଚ୍ଛା ନ ଥିଲେ
କରିବାକୁ ହିଁ ପଡ଼େ ।
ଆମକୁ ଦେଖି ଲୋକେ ଗାଆନ୍ତି
ଆମର ମନ୍ଦ କୀର୍ତ୍ତି,
କିଏ ବା କାହିଁ ବୁଝିବ ଆମ
ଭିତିରି ପରିସ୍ଥିତି?
ଆମେତ ଠିକ୍ ଦୁନିଆଁ ଭୁଲ୍
ସନ୍ଦେହ କରୁଥାଅ,
ଗାଡ଼ିରେ ଭାଇ ଭଉଣୀ ଗଲେ
ଫୁସୁରୁ ଫାସର ହୁଅ ।
ସଚ୍ଚୋଟ ଲୋକ ଏଥିରେ ଲକ୍ଷ୍ୟ
ନ ଦେଇ ଚାଲେ ବାଟ,
ଖଳ ଦୁର୍ବୁଦ୍ଧି ଲୋକଟି କିନ୍ତୁ
ମାରି ଚାଲଇ ଚୋଟ ।
ଏହାଠୁ ଆଉ ଅଧିକ ଆଶା
କି କରାଯାଇ ପାରେ,
ପ୍ଲାଷ୍ଟିକ ଫୁଲ ଭଳି ମଣିଷ
ଆଜି ଏ ସମାଜରେ ।
ବାସ୍ନା ନାହିଁ ତ ଆଜି ଆମେ ତ
ଯେଣୁ ମେକପ ହେଲୁ,
ଚାଖଣ୍ଡେ ପିନ୍ଧି ଶାଳୀନ ତେଜି
ଲଜ୍ଜାକୁ ଫିଙ୍ଗି ଦେଲୁ ।
ବାପାଙ୍କୁ ଡାଡି ବୋଉକୁ ମମି
ଡାକି ଭୁଲିଲୁ ଭକ୍ତି,
ପଖାଳ ଭୁଲି ପିଜା ଖାଇଲେ
ଆସିବ କୋଉ ଶକ୍ତି?
ସ୍ବାର୍ଥରେ ପଡ଼ି ଜ୍ଞାନ ସଂହାରି
ଟଙ୍କାକୁ କଲୁ ବଡ଼,
ମାନବିକତା କାହୁଁ ଆସିବ
କେବଳ ମୁହଁ ତୋଡ ।
ଧର୍ମକୁ ଆଖି ମାରିବା ଆମ
ଆଦ୍ଧତ ହୋଇଲାଣି,
କିପରି ସଦଜ୍ଞାନ ମିଳିବ
ପାରୁନି ଆଜି ଜାଣି ।
ଶୁଣିଛି ପୁରାଣ ପାରାୟଣ
ସତ୍ସଙ୍ଗ ଗୀତା ଜ୍ଞାନ,
ଆମ ଜୀବନ ଗଢ଼ି ତୋଳିବ
କୁହନ୍ତି ବିଜ୍ଞଜନ ।
