ବିଚିତ୍ର ବିଧାନ
ବିଚିତ୍ର ବିଧାନ
ମନରେ ହଜାରେ ଦୁଃଖ ଥିଲେ ଥାଉ
ମୁଖେ ରଖିଥାଅ ହସ ,
ଦୁନିଆରେ କେହି ମନ ଦେଖନ୍ତିନି
ଦେଖନ୍ତି ଉପର ବେଶ ।
କା' ଆଗେ କହିବୁ ମନେ ଘା' ଅଛି
କିଏ ଲଗେଇବ ମଲମ,
ମଲମ ସଭିଙ୍କ ଘରେ ତ ନଥାଏ
ସବୁ ଘରେ ଥାଏ ଲବଣ ।
ବଙ୍କା ତେଢା କଣ୍ଟା କାନ୍ଥରେ ନପିଟି
ସଳଖିଆ ଦେଖି ପିଟନ୍ତି
ଦାମ୍ଭିକିଆ ଲୋକ , ଦମ୍ଭରେ ରହନ୍ତି
ସରଳିଆ ଲୋକ ମରନ୍ତି ।
ଏତ ଦୁନିଆଁର ବିଚିତ୍ର ବିଧାନ
ମନେ ରଖିଥାରେ ଧନ ,
ସବୁ କର୍ମ ତୋର ସ୍ବାଇଁଙ୍କୁ ସମର୍ପି
ସଦା ରଖିଥିବୁ ଧ୍ୟାନ ।
ଆମ ପଛେ ପଛେ ଯିଏ ଆସୁଥାଏ
ନାଁ ଟି ତାହାର ଛାୟା,
ଆମେ ଯାହା ପଛେ- ପଛେ ଗୋଡାଉଛେ
ସେସବୁ କେବଳ ମାୟା ।
ଦାରୁ ଦିଅଁ ପରା କୀରଟରେ ରଖି
ବୁଲନ୍ତି ମୁଣ୍ଡେଇ ଦୂବକୁ ,
ବଡ଼ ସାନ ପାଇଁ ଗୋଟିଏ ମଶାଣି
କିଏ ଅବା ଯିବ ଦୂରକୁ ।