ବିଭାବନା
ବିଭାବନା
ମାଟି ଗୋଡି ପରେ ସୂର୍ଯ୍ୟ ରଶ୍ମୀ ପଡ଼ି
ଜହ୍ନ ଯଦି ଏତେ ସୁନ୍ଦର
ସତେ ଏଇ ମହୀ କେମିତି ଦିଶନ୍ତା
ସଜ୍ଜା ହୋଇ ଥିଲେ ମୁକୁର
କିଏ ବା କଳନ୍ତା ଉଜ୍ଜ୍ୱଳ
ସରମୀ ପ୍ରିୟାର ନରମି ମୁହଁଟା
ସେମିତି କରୁଛି ପାଗଳ
ଜହ୍ନ ଦେହେ ଦେଖ ଛାୟା ମୃଗ
ମାୟା ବିରଚିତ ଭିନ୍ନ ସ୍ବର୍ଗ ,
କାଳିମାରେ ତା'ର କଳପନା ମୋର
ପୁର୍ଣ୍ଣ କରିଦିଏ ପ୍ରେମ ପର୍ବ
ପାଗଳ କୁହ କି ପ୍ରେମିକ କୁହ
କହିଦିଅ ମନ କଥା
ନ କହିଲେ କିଛି ପାରିବିନି ବଞ୍ଚି
ଜହ୍ନ ହାତେ ଦେବ ବାର୍ତ୍ତା
ତୁମ ପାଇଁ ପରା ଜହ୍ନ ଆଉ ତାରା
ସଭିଙ୍କୁ କରିଛି ଦୂତ
ଚଇତି ରାତିରେ ତୁମରି ସ୍ମୃତିରେ
ବାସର ଶେଯ ମୋ ଛାତ
ଦକ୍ଷିଣି ପବନ ଦେହେ ଶିହରଣ
ଖେଳାଇ ଦେଉଛି ଯେତେ
ରଜନୀ ଗନ୍ଧାରେ ତୁମ ଦେହ ବାସ୍ନା
ବିଭୋର କରୁଛି ସେତେ
ରାତି ଦୁଇ ଘଡ଼ି ରହିଲା କି ବାକି
ଫୁଟିଲାଣି ମଲ୍ଲୀ କଢ
ଚାହୁଁ ଚାହୁଁ ପୁଣି ବିଭାବରୀ ଯାଏ
ପକ୍ଷୀ ଛାଡେ ତା'ର ନୀଡ଼ ।