ବିଚ୍ଛେଦର ଜ୍ୱାଳା
ବିଚ୍ଛେଦର ଜ୍ୱାଳା
ତୁମେ ମନେପଡ଼ ରାତିର ଶେଜରେ
ଆଖି ପତା ନଏଁ ନାହଁ,
ତୁମ ବିରହର ଯନ୍ତ୍ରଣା ପ୍ରାଣରେ
ନୀରବରେ ଯାଏ ସହି |
ଛାଇ ନିଦ ଟିକେ ଆଖିକୁ ଆସିଲେ
ସପନେ ଦେଉଛ ଡାକି,
ତୁମ ବିନା ପ୍ରିୟା ବଞ୍ଚି ହେଉନାହିଁ
ସମୟ କେବଳ ସାକ୍ଷୀ |
ବୁଝିଲନି ମୋତେ ଅଭିମାନେ ତୁମେ
ମୋତେ ଛାଡି ଚାଲିଗଲ,
ଜାଣେନା କାହିଁକି କେଉଁ କାରଣରୁ
ମୋତେ ତୁମେ ପରକଲ |
ତୁମ ବିନା କେହି ହୃଦୟେ ମୋହର
ନେଇନି ପ୍ରିୟାର ସ୍ଥାନ,
ତୁମ ପ୍ରୀତି ରଙ୍ଗ ଏବେ ବି ସେମିତି
କେବେ ହେବନାହିଁ ମ୍ଳାନ |
ବଞ୍ଚି ବି ମରୁଛି ପ୍ରତି ମୁହୂର୍ତ୍ତରେ
ବେଦନାର ଶରାଘାତେ,
ଜୀବନର ଏହା ତିକ୍ତ ଅନୁଭୂତି
ସରିବ ମରଣ ସାଥେ |
ତଥାପି ମନର ଆଶା ମଉଳୁନି
ହୃଦୟେ ବଞ୍ଚିଛ ତୁମେ,
ବିଳମ୍ବ ହେଲେ ବି ବୁଝିବ ନିଶ୍ଚୟ
ପୁଣି ମିଶିଯିବା ଆମେ |
ସମୟ ନିଶ୍ଚୟ ବଦଳାଇ ଦେବ
ଦିନେ ନା ଦିନେ ତ ମନ,
ଚାହିଁ ରହିଥିବି ସେ ଦିନକୁ ପ୍ରିୟା
ନଥିବ ଯେ ଅଭିମାନ |
ଘର କରିଥିଲେ ସଂସାର ଭିତରେ
ପଥର ପଡିଲେ ସହି,
ତୁମେ କିନ୍ତୁ କିଛି ସହିଲନି ବ୍ୟଥା
ଚାଲିଗଲ ଦୁଃଖ ଦେଇ |
ଜାଣିଥିଲି ତୁମେ ଭାରି ଅଭିମାନୀ
ତୁମ ସ୍ୱାଭିମାନ ପାଇଁ,
ତଥାପି ତୁମେ ବି ଦୁଃଖେ ରହିଥିବ
ବିରହ ବେଦନା ସହି |