ଭୋକର ଭୂଗୋଳ
ଭୋକର ଭୂଗୋଳ
କେବେ ମାପକରି କି ଅବା ପଚାରି
କରିପାରିଛ କି କଳ
ପରିସୀମା ଅବା କ୍ଷେତ୍ରଫଳ କେତେ
ଆନ ଭୋକର ଭୂଗୋଳ ?
କେତେ ଯନ୍ତ୍ରଣାରେ ଅତି ଆତୁରରେ
କ୍ଷୁଧା ପାଇଁ ମୁଠେ ଭାତ
ଯୋଗାଡ଼ କରଇ ଦୟନୀୟ ହୋଇ
ଜୀବନ କରି ରକ୍ତାକ୍ତ ।
ଦେଖୁ ନଥାଏ କି ଲାଭଖୋର ଆଖି
ନିଜ ପରିଧିରେ ତାହା
ନହୋଇଣ ସାହା କୁହେ ନାହିଁ କିଆଁ
କେବେ ପଦଟିଏ ଆହା ?
ହୃଦୟ ଥାଇ ବି ନଥିଲା ପରିକା
ସ୍ବାର୍ଥ ସିଦ୍ଧି ଅହରହ
କାହାଠାରେ ତା'ର ଯାଏ ଆସେ କେତେ
ଲହୁ ରୂପ ନେଲେ ଲୁହ ।
ତାହାର ଭୋକ ତ ଧନ ଐଶ୍ବର୍ଯ୍ୟରେ
ବଢ଼ାଇ ବଢ଼ାଇ ଚାଲେ
ମଣିଷପଣିଆ ଶୂନ୍ୟ କରି ହିଆ
କର୍ତ୍ତବ୍ୟ କର୍ମକୁ ଭୁଲେ ।
ବିରାଜି ଅଛନ୍ତି ପ୍ରତି ଜୀବ ଦେହେ
ଆତ୍ମା ରୂପୀ ଭଗବାନ
ଭୋକ ଗଲେ ମେଣ୍ଟି ମିଳଇ ସନ୍ତୁଷ୍ଟି
ହରଷ ହୁଅଇ ମନ ।
ଏକଥାକୁ ଜାଣେ ଚେତନ ମାନବ
ମାତ୍ର ନ କରଇ କିଛି
ଆଶ୍ବାସନା ବାଣୀ ପାଖେ ବି ମହଙ୍ଗା
ସେ ତ ହୀନ ନର୍କମାଛି ।
କେହି ଯଦି ବୁଝି ବଦଳାଇ ଦିଏ
କାହା ଭୋକର ଭୂଗୋଳ
ଈଶ୍ବର ତାଠାରେ ଝରାଇ କରୁଣା
ଭିଡ଼ି ଧରିଥାନ୍ତି ଥଳ ।
ଅଭାବର ଦୃଶ୍ୟ ନହୋଇ ଅବଶ୍ୟ
ରହେ ବିଭୁ ପଦାଶ୍ରିତ
ଜୀବନଟାଯାକ ସରିଯାଉ ପଛେ
ସକଳେ ତାହାର ମିତ ।
