ଭୋକ ହିଁ ରାସ୍ତା ଦେଖାଇଛି
ଭୋକ ହିଁ ରାସ୍ତା ଦେଖାଇଛି


ବହୁତ କିଛି ଅନୁଭୂତି
ପୁରୁଣା ହେଲେ ବି ଠିକ୍ ମନେ ଅଛି
ସବୁ କିଛି ନ ହେଲେ ବି
ସଂକ୍ଷେପରେ, ମନରୁ ଲିଭି ନ ଥିବା କଥା
ସେ ସମୟ ର ଛାତ୍ର ଜୀବନ
ଅଷ୍ଟମ ରୁ ଏକାଦଶ,ଅନ୍ତେବାସୀ ଛାତ୍ର
ଭୋକ ଆଉ ଭୋକିଲା ଜୀବନ
ସରକାରୀ ହାଇ ସ୍କୁଲ୍ , ହୁମ୍ମା
ଭୌଗଳିକ ଅବସ୍ଥିତି ବହୁତ ସୁନ୍ଦର
ଗୋଟିଏ ପାର୍ଶ୍ୱରେ ରେଳ ପଥ ତ
ଅନ୍ୟ ପାର୍ଶ୍ଵ ରେ ଜାତୀୟ ରାଜପଥ
ସ୍କୁଲ୍ କ୍ୟାମ୍ପସ ବି ମନଲୋଭା
ଚତୁର୍ଥ ରୁ ଏକାଦଶ ଶ୍ରେଣୀ
ହଷ୍ଟେଲ ରେ ଏସ୍ ସି, ଏସ୍ ଟି ପିଲା
ଭୋକ କୁ ସାଥି ରେ ରଖି
ଅନ୍ତେବାସୀ ରହୁଥିଲେ ଦିନୁ ପ୍ରତିଦିନ
ଅଷ୍ଟମ ରେ ନାମ ଲେଖା ପାଇଁ
ଏଣ୍ଟ୍ରାନ୍ସ୍ ପରୀକ୍ଷା ବି ହେଲା
ହେଲେ ଫଳାଫଳ ଭଲ ନ ଥିଲା
ଶେଷ ନମ୍ବର ରେ ଥିଲେ ବି
ଆଡ୍ମିମିଶନ୍ ହେଲା ଏସ୍ ସି ଗ୍ରାଉଣ୍ଡ ରେ
ଶପଥ ନେଲି ଶୀର୍ଷ ସ୍ଥାନ ପାଇଁ
ଭୋକକୁ ପଛରେ ରଖି ଆଗକୁ ବଢ଼ିଲି!!!
ଭଲ ନ ଥିଲା ସ୍କୁଲ୍ ପରିଚାଳନା
ହଷ୍ଟେଲ ଥିଲା,ପିଲା ରହୁଥିଲେ
କିନ୍ତୁ ପାଇଖାନା ନ ଥିଲା
ନିତ୍ୟକର୍ମ ବାହାରେ ବାହାରେ
ଦୁଇ ଓଳି ଖାଇବାକୁ ମିଳେ
ହେଲେ ପିଲାଙ୍କୁ ରୋଷେଇ ଦାୟିତ୍ଵ
ଭାତ ରେ ପେଜ, ଡାଲି ରେ ପାଣି
ଦର ସିଝା ସାଧା ତରକାରୀ
ରାତି ରେ ବି ଅଧା ସିଝା ରୋଟି , ପାଣିଆ ଡାଲମା
ପିଇବା ପାଣି କଥା ନ କହିଲେ ଭଲ
ହେଲେ ସେହି ଖାଦ୍ୟ ଓ ପାଣି ଭଲ ଲାଗୁଥିଲା
ଯେହେତୁ,ପେଟରେ ଭୋକ ଥାଇ
ପକେଟ୍ ଖାଲି ଥିଲା,କିଛି କିଣି ଖାଇବାକୁ
ପାଠ ପଢି କିଛି ଜାଣିବାକୁ ହେବ
କିଛି କରିବାକୁ ହେବ
କିଛି ନ ହେଲେ ଜବ୍ ଟିଏ ମିଳିବ
ସେଥି ପାଇଁ ଭଲ ପଢିବାକୁ ହେବ
ଏଇୟା ଥିଲା ସେ ସମୟର ଲକ୍ଷ୍ୟ
ହେଲେ ମାତ୍ର ଦୁଇ ଓଳି ଖାଇବା
ବହୁତ କଷ୍ଟ ହେଉଥିଲା
ନିଜ ବକ୍ସ ରେ ଥିବା ଖାଦ୍ୟ ଜିନିଷ
ଚୋରି ବି ହୁଏ
ଶହେ ରୁ ଅଧିକ ପିଲା, ନିୟନ୍ତ୍ରଣ ର ଅଭାବ
ଭୋକ ବି ନିୟନ୍ତ୍ରଣର ବାହାରେ
ଏକାଦଶ ଛାତ୍ରଙ୍କୁ ସ୍ଵାଧୀନତା
ରୋଷେଇ କାମରୁ ମୁକ୍ତି
ଖାଦ୍ୟ ପରିବେଷଣ ବି ପ୍ରଥମେ
ସିନିୟର୍ ଛାତ୍ର ବୋଲି ମାନ୍ୟତା
ପ୍ରାୟ ସମ୍ୱୋଧନ "ଭାଇନା"
ଭାଇନା ଙ୍କ କଥା ମାନିବାକୁ ହୁଏ
କେତେକ ଖାଲି ଖିଆ ଭାଇନା
ପାଠ ଶାଠ ରେ ମନ ନ ଥିଲା
ଦୁଷ୍ଟାମୀ ,ପାଟି ତୁଣ୍ଡ ବେଶି
ବେଳେବେଳେ ମାଡ ମାରୁଥିଲେ
ଟିକିଏ ଏପଟ ସେପଟ ହେଲେ,ଭାଇନା ଙ୍କ କଥା
ଭୋକ ଲୁଚି ଯାଏ ଡରରେ,ଭୟରେ
ସ୍ଥାନୀୟ ଲୋକଙ୍କ ଭାଷାରେ "ଆଶ୍ରମ ସ୍କୁଲ୍"
ଉଚ୍ଚ ଶିକ୍ଷା ପାଇଁ ସରକାରୀ ଅନୁଷ୍ଠାନ
ଗାଁ ର ସବୁ ପିଲା ସେଇଠି
ସହପାଠୀ ଥିଲେ ଥବିର,ଦଣ୍ଡପାଣି, ହାଡୁ
ଲଙ୍ଗଳେଶ୍ବର ସୁରେନ୍ଦ୍ର,ରମେଶ, ସୁବୋଧ
ସମ୍ପର୍କ ବି ଥିଲା ଟଙ୍କ,ଫକୀର ସହିତ
ସମ ସାମୟିକ ଅନେକ ଛାତ୍ର କେବଳ ଆମ ଗାଁ ରୁ
ଜଣାଶୁଣା ଥିଲା,ହେଲେ ଆନ୍ତରିକତା ର ଅଭାବ
ଶ୍ରେଣୀରେ ପ୍ରଥମ ବୋଲି ଜଣାଶୁଣା
କିନ୍ତୁ ଭୋକ କଥା ନିଜ ପାଖରେ ଥିଲା
ରବିବାର ଦିନ ପ୍ୟାଣ୍ଟ୍ ସାର୍ଟ ସଫା
ଅଧା ସନଲାଇଟ୍ ଅବା ଲାଇଫବାଏ ସାବୁନ୍ ରେ
ନିକଟସ୍ଥ ହାଟ ବି ବୁଲା ହୁଏ
ସାଙ୍ଗ ପିଲାଙ୍କ ମେଳରେ
ନିହାତି ଦରକାରୀ ଜିନିଷ
ଛୁଞ୍ଚି, ଲେମ୍ବୁ, ଚାମଚ କିଣିବା
ଘର ଲୋକ ଦେଖାହେଲେ ଖୁସି
ଅଳ୍ପ ପଇସା ବି ମିଳୁଥିଲା
ଭୋକ ହେଲେ ସେଇ ପଇସାରୁ
ବରା ପକୁଡ଼ି ଓ ସିଝା ପେଣ୍ଡ୍ଡାଳୁ ଖଣ୍ଡ
ପାଖ ଗୁଡ଼ିଆ ମାଉସୀ ଦୋକାନରୁ
ଅବଶିଷ୍ଟ ପଇସାରେ
ହୁମ୍ମା ଯାଇ ଚୁଟି କଟା ବି ରବିବାର ଦିନ
ଖରାପ୍ ସାଙ୍ଗ ବି ଥିଲେ
ନିହାତି ଅଭଦ୍ର କଥା ସହିତ
ବିଡୀ ଧୂଆଁ ପାଟିରେ ନେଇ ନାକରେ ଛାଡ଼ିବା
ବିନା ଟିକେଟ ରେ ଟ୍ରେନ ରେ ଯିବା
ପାସେଞ୍ଜର ଟ୍ରେନ ରେ ବାଲୁଗାଁ,ବ୍ରହ୍ମପୁର
କେବଳ ଯିବା ଓ ଆସିବା
ଟାଇମ ପାସ୍ ପାଇଁ ଉସକାଉ ଥିଲେ
ଭଲ ଲାଗୁଥିଲା ଓ ଭୟ ବି ଥିଲା
ବିନା ଟିକେଟ ରେ ଟ୍ରେନ ଯାତ୍ରା
ଭୋକ ହେଲେ ବି ମଜା ଲାଗୁଥିଲା
ପରିବେଶ ସଫା ନ ଥିଲା,କହିଲେ ଭୁଲ୍ ହେବ
କିନ୍ତୁ ଅଧିକାଂଶ ଅନ୍ତେବାସୀ ଚର୍ମ ରୋଗୀ
କାଛୁ,କୁଣ୍ଡିଆ ପ୍ରାୟ ଲାଗି ରହୁଥିଲା
ସକାଳ ଛଅ ରେ ପାର୍ଥନା,ପରେ ପରେ କୃଷି କାମ
କ୍ଲାସ୍ ରୁମ୍,ହଷ୍ଟେଲ ଓ ରାସ୍ତା ସଫା
ରୋଷେଇ ପାଇଁ ଅଲଗା ଟିମ୍
ସୁବିଧା ଦେଖି ନିତ୍ୟ କର୍ମ,ସ୍କୁଲ୍ ବାହାରେ
ସକାଳ ନଅ ରେ ଖାଇବା ,ପରେ ପରେ କ୍ଲାସ୍
କ୍ଲାସ୍ ସରିଲେ , ସ୍କୁଲ୍ ବାହାରେ ନିତ୍ୟ କର୍ମ
ପ୍ରାୟ ରେଳ ଲାଇନ୍ ପାରି ହେବାକୁ ହୁଏ
ସଂଧ୍ୟା ନଇଁ ଆସିଲେ
ପ୍ରାର୍ଥନା ସହିତ ହାଜିରା
ପରେ ପରେ,ପାଠ ପଢିବା ପାଇଁ
କିଏ ପଢୁ , ଶୋଉ କିଛି କଟକଣା ନ ଥିଲା
କିନ୍ତୁ,ରାତି ନଅଟା ରେ ଖାଇବା ବେଲ୍
ଥାଳି ଗିନା ମାଡ଼ରେ ହଷ୍ଟେଲ କମ୍ପି ଉଠେ଼
କିଛି ସମୟ ପରେ ଖାଇବା
ପରେ ପରେ ଚଟାଣରେ ଶୋଇବା
ମୁଣ୍ଡ ପାଖରେ ନିଜ ନିଜର ବକ୍ସ
ସକାଳ ହେଲେ ପୁଣି ପ୍ରାର୍ଥନା
ଅଷ୍ଟମ ରୁ ଏକାଦଶ
କ୍ଲାସ୍,ବହି, ହଷ୍ଟେଲ ଓ ସ୍କୁଲ୍ ପରିବେଶ
ଆଗାମୀ ଜୀବନ ର ମୂଳଦୁଆ
ହେଲେ ଅନେକ ଓହରି ଗଲେ
ଦୁର୍ବଳ ଥିଲା ସେମାନଙ୍କ ଭିତ୍ତି ପ୍ରସ୍ତର
ଆଶା ଆଶାରେ ରହିଲା
ଭୋକ ଶୋଷ କଥା ଭୁଲି
ଯିଏ ବଞ୍ଚୁଥିଲା ପଢ଼ା ବହି ଧରି
ସେମାନେ ହିଁ ଆଗେଇଲେ ଆଗକୁ ଆଗକୁ
ଗରିବ ଛାତ୍ରଙ୍କ ପାଇଁ
ବରଦାନ ଥିଲା ସେହି ଆଶ୍ରମ ସ୍କୁଲ୍
କୃତିତ୍ବ ର ସହ ଉତ୍ତୀର୍ଣ୍ଣ ଛାତ୍ର
ଆଜି ବହୁ ଉଚ୍ଚ ପଦ ପଦବୀ ରେ
ଉଚ୍ଚ ଶିକ୍ଷାର ଆଶା ତେଜି ଉଠିଥିଲା
ସେଇ ସ୍କୁଲ ପ୍ରଭାବରେ
ବହୁ ଛାତ୍ର ସମାଜର ଉଚ୍ଚ ଆସନରେ
ଜୀବନ ପୃଷ୍ଠା ର ଜ୍ଵଳନ୍ତ ଘଟଣା
ଅନ୍ତେବାସୀ ସମୟର ଚିତ୍ର
ଏବେ ବି ଆଖି ରେ ନାଚୁଚ୍ଛି
ନୂଆ ନୂଆ ଅନ୍ତେବାସୀ ବୋଲି
ଘରୁ ଛତୁଆ ମିଳୁଥିଲା
ଚିନି ମିଶା ମାଣ୍ଡିଆ ଗହମ ଚୁନା
କିଛି ଦିନ ପରେ ଆଉ ମିଳିଲାନି
ଭୋକ କୁ ଚିହ୍ନିବାକୁ ହେଲା
ଭୋକ ବିଷୟରେ ଜ୍ଞାନ ଶିକ୍ଷା ଥିଲା
ବେଶି ମନେ ପଡ଼େ ସେ ସମୟର ଭୋକ
ଭୋକ ହେଲେ କେତେ କଷ୍ଟ ଶରୀର ଓ ମନ
ସେଇ ଭୋକ ହିଁ ରାସ୍ତା ଦେଖାଇଲା
କିଛି କରି ଦେଖାଇବାକୁ
ନିଜକୁ ଗଢି ତୋଳିବାକୁ
ଅନ୍ତେବାସୀ ଛାତ୍ର ଆଉ ଭୋକ
ଭାଷା ନାହିଁ ତା କୁ ବର୍ଣ୍ଣନା କରିବା
ସେଇ ଭୋକ ଭିନ୍ନ ରୁପ ନେଲା
ଜୀବନର ଚଲାପଥ ତାଳେ ତାଳେ
ଭୋକ ଦାଉ ମୋତେ ମଣିଷ କରିଛି
କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଛି
ସେଇ ଭୋକର ଚେତାବନୀ
ମୋତେ ଚେତେଇ ଦେଇଛି ଆଗକୁ ଆଗକୁ
ଆଉ ଭୋକ ବାଧା ନାହିଁ,ଭଲ ରୋଜଗାର ଅଚ୍ଛି
ସେଇ ଭୋକ ହିଁ ମୋତେ ରାସ୍ତା ଦେଖାଇଛି ।।