STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା (୪)

ବହ୍ନିକନ୍ୟା (୪)

3 mins
11.9K

ବହ୍ନିକନ୍ୟା


 ଦ୍ରୋଣଙ୍କ ଅସ୍ତ୍ର ପ୍ରାପ୍ତି ଏବଂ ଗୁରୁପଦ ଗ୍ରହଣ


ଅଯୋନୀସମ୍ଭୂତ ଥିଲେ ଦ୍ରୋଣାଚାର୍ଯ୍ୟ। ଏ ଯୁଗରେ ବୈଜ୍ଞାନିକ ମାନେ ଅସମ୍ଭବକୁ ସମ୍ଭବ କରି ପରୀକ୍ଷାଗାର-ସନ୍ତାନ ସୃଷ୍ଟି କରିପାରୁଛନ୍ତି(test tube baby)। ମହାଭାରତ କାଳରେ ମଧ୍ୟ ତାହାଠାରୁ ଉଚ୍ଚତର ବୈଜ୍ଞାନିକ ପରୀକ୍ଷା ସମ୍ଭବ ହୋଇପାରିଥିଲା। ମହର୍ଷି ଭରଦ୍ୱାଜ ଦିନେ ଗଙ୍ଗା ନଦୀରେ ସ୍ନାନ କରିବା ସମୟରେ, ଘୃତାଚି ନାମ୍ନୀ ଏକ ଅପରୂପା ଅପ୍ସରାଙ୍କୁ ଅଳ୍ପ-ଅଙ୍ଗବାସରେ ସ୍ନାନରତ ଦେଖି କାମାନଳରେ ଦଗ୍ଧ ହେଲେ। ତାଙ୍କ ଅଙ୍ଗରୁ ସ୍ଖଳିତ ବୀର୍ଯ୍ୟକୁ ସେ ଏକ ଦ୍ରୋଣ(ଯଜ୍ଞ ପାତ୍ର ବିଶେଷ)ରେ ରଖି ଏକ ପରୀକ୍ଷାଗାର-ସନ୍ତାନ (test tube baby) ସୃଷ୍ଟି କରିଥିଲେ। ସେ ସନ୍ତାନ ଦ୍ରୋଣାଚାର୍ଯ୍ୟଙ୍କ ବ୍ୟତୀତ ଅନ୍ୟକେହି ନୁହନ୍ତି। ସେହିପରି ସାରଦ୍ବତ ମହର୍ଷିଙ୍କ ପରୀକ୍ଷାଗାର ସନ୍ତାନ ହେଉଛନ୍ତି 'କୃପ' ଏବଂ ତାଙ୍କ ଯମଜ ଭଗ୍ନୀ କୃପୀ।

ମହେନ୍ଦ୍ର ପର୍ବତ(ବର୍ତ୍ତମାନର ପାରଳାଖେମୁଣ୍ଡି ନିକଟସ୍ଥ ମହେନ୍ଦ୍ରଗିରି)ରେ ସେ ସମୟରେ ଅବସ୍ଥାନ କରୁଥିଲେ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ। ଜାଗତିକ ମାୟା ମୋହ ତ୍ୟାଗକରି ସେ ତାଙ୍କର ସମସ୍ତ ସ୍ଥାବର,ଅବସ୍ଥାର ସମ୍ପତ୍ତି ଦାନ କରିଦେଇଥିଲେ।

ଦ୍ରୋଣ ତାଙ୍କୁ ପରିଚୟ ଦେଇ କହିଲେ--ହେ ମହାତ୍ମା ! ମୁଁ ମହର୍ଷି ଅଙ୍ଗିରାଙ୍କ ବଂଶଜ ଏବଂ ଭରଦ୍ୱାଜ ମହର୍ଷିଙ୍କ ଆଯୋନିସମ୍ଭୂତ ପୁତ୍ର ଦ୍ରୋଣ, ଆପଣଙ୍କ ପାଖରେ ଭିକ୍ଷା ଥାଳରେ ଉପସ୍ଥିତ।


ନିଜ ପ୍ରିୟ ଗୁରୁ ଅଙ୍ଗିରାଙ୍କ ବଂଶଜ ଦ୍ରୋଣଙ୍କ ପରିଚୟ ପାଇ ପର୍ଶୁରାମ ଚିନ୍ତାକଲେ, ତାଙ୍କ ପାଖରେ ଥିବା ସମସ୍ତ ଦିବ୍ୟ ଅସ୍ତ୍ରଶସ୍ତ୍ର କେବଳ ଏହି ବ୍ରାହ୍ମଣଙ୍କ ପାଖରେ, ସୃଷ୍ଟି ଧ୍ବଂସରେ ଉପଯୋଗ ନହୋଇ, ନିରାପଦ ରହିପାରିବ ତଥା ପ୍ରକୃଷ୍ଟ ପ୍ରୟୋଗ,ଉପଯୋଗ ଏବଂ ଅପସଂହାର ହୋଇ ପାରିବ।ପୂର୍ବରୁ ଦ୍ରୋଣ ଅଗ୍ନିବେଶ ମହର୍ଷିଙ୍କ ଠାରୁ ଆଗ୍ନେୟାସ୍ତ୍ରର ପ୍ରୟୋଗ ବିଧି ମଧ୍ୟ ଜ୍ଞାତ ହୋଇଥିଲେ।ଜଣେ ଶାସ୍ତ୍ରଜ୍ଞାନ ପ୍ରାପ୍ତ ବ୍ରାହ୍ମଣଙ୍କୁ ଏହି ଅସ୍ତ୍ରଶସ୍ତ୍ର ଏବଂ ପ୍ରୟୋଗବିଦ୍ୟା ଦାନ କରିବାକୁ ଚାହୁଁଥିଲେ ପର୍ଶୁରାମ,ଫଳରେ ଏହି ଦିବ୍ୟ ଅସ୍ତ୍ରଶସ୍ତ୍ର "ପାଗଳ ହାତରେ ନିଆଁ ଖପରା"ସଦୃଶ ବ୍ୟବହୃତ ହେବନାହିଁ।


ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସମୟରେ କିଭଳି ପରମାଣୁ ଏବଂ ଜୈବିକ ଅସ୍ତ୍ରର ଅପପ୍ରୟୋଗ ଅଯୋଗ୍ୟ ପାଗଳ ରାଷ୍ଟ୍ର-ଅଧ୍ୟକ୍ଷ ମାନଙ୍କ ଦ୍ବାରା ହେଉଛି, ତାହା ଦ୍ରଷ୍ଟବ୍ୟ।


ମହେନ୍ଦ୍ର ଗିରିରେ ଭାର୍ଗବ ଯମଦଗ୍ନି ନନ୍ଦନ,*

ଯେ ଯାହା ମାଗିଲା କରନ୍ତି ମୁକ୍ତ ହସ୍ତରେ ଦାନ।

ପ୍ରଣମି ଭାର୍ଗବ ଚରଣେ ଭରଦ୍ବାଜ ତନୁଜ,

ବୋଲନ୍ତି 'ପ୍ରଭୁ ମୁଁ ଅଟଇ ଅଙ୍ଗିରାଙ୍କ ବଂଶଜ।

ଅଯୋନୀ ସମ୍ଭୂତ ଅଟେ ମୁଁ,ଜନ୍ମ "ଦ୍ରୋଣ"ରୁ ମୋର,

ଭରଦ୍ବାଜ ଋଷି ଅଟନ୍ତି ମୋର ପୂଜ୍ୟ ପିଅର।

ଜାଣେ ଆଗ୍ନେୟାସ୍ତ୍ର ପ୍ରୟୋଗ ଅଗ୍ନିବେଶ କୃପାରୁ,

କିଛି ପ୍ରାପ୍ତି ଆଶା ନେଇ ମୁଁ ଆସିଛି ବହୁଦୂରୁ।

ଦାନକର କିଛି ଗୁରୁ ହେ ଯେବେ ମଣୁଛ ଯୋଗ୍ୟ,

ଜ୍ଞାନର ଭଣ୍ଡାର ଆପଣ, ମୁହିଁ ଦାସ ଅଯୋଗ୍ୟ।


ଦରିଦ୍ର ବ୍ରାହ୍ମଣ ଦ୍ରୋଣଙ୍କୁ ଦେଖି ନିଜ ଅଗ୍ରତେ,

ବୋଇଲେ ଭାର୍ଗବ"ଆଉ ତ କିଛି ନାହି ମୋ ହସ୍ତେ।

ସବୁ ଦାନ କରିଦେଇଛି ନିଜ ପ୍ରାଣ ବ୍ୟତୀତ,

ଦିବ୍ୟାସ୍ତ୍ର କିଛି ମୁଁ ରଖିଛି ଆହେ ବ୍ରାହ୍ମଣ ପୁତ୍ର।

ସେହି ଦିବ୍ୟଅସ୍ତ୍ର ପ୍ରାପ୍ତିର ଯୋଗ୍ୟ ତୁମ୍ଭେ ନନ୍ଦନ,

ରହିଅଛି ଯେଣୁ ତୁମ୍ଭର ଶସ୍ତ୍ର-ଶାସ୍ତ୍ରରେ ଜ୍ଞାନ।


ବିଚାରିଲେ ଦ୍ରୋଣ ଏହା କି ବିଧାତାର ନିର୍ଦ୍ଦେଶ?

ପର୍ଶୁରାମଙ୍କର ଅସ୍ତ୍ରରେ ଠୁଳ ଶକ୍ତି ଅଶେଷ,

ଅସ୍ତ୍ର ସଙ୍ଗେ ସଙ୍ଗେ ପାଇଲେ ଶିକ୍ଷା ଏହାଙ୍କଠାରୁ,

ଆର୍ଯ୍ୟାବର୍ତ୍ତେ ଶସ୍ତ୍ରବିଦ୍ୟାରେ ହେବି ମୁଁ ଶ୍ରେଷ୍ଠ ଗୁରୁ।

ବହୁ ରାଜପୁତ୍ର ହୋଇବେ ପ୍ରିୟ ଶିଷ୍ୟ ମୋହର,

ଦାରିଦ୍ର୍ୟ ଦେବି ମୁଁ ଉଡ଼ାଇ ତୁଚ୍ଛ ତୁଳା ପ୍ରକାର।


ଏହା ଭାଳି ପର୍ଶୁରାମଙ୍କ ଠାରୁ ବିପୁଳ ଅସ୍ତ୍ର,

ଘେନି,ନିଷ୍ଠାବଳେ ପାଇଲେ ଶସ୍ତ୍ର ଶିକ୍ଷା ସମସ୍ତ।

ଅନେକ ଦିବ୍ୟାସ୍ତ୍ର ପ୍ରୟୋଗ ପୁଣି ଅପସାରଣ ,

ବିଧି ଜ୍ଞାନ ଲଭି ହୋଇଲେ ଭାରଦ୍ୱାଜ ପ୍ରବୀଣ।


ଶସ୍ତ୍ର ବିଦ୍ୟାରେ ପାରଙ୍ଗମ ହୋଇ ଫେରିଲେ ଦ୍ରୋଣ,

ଆସିଲା ତତ୍ପରେ ଜୀବନ-ସଂଗ୍ରାମର ଦୁର୍ଦ୍ଦିନ।

ମସ୍ତକ ଉପରେ ଆଶ୍ରୟ ପାଇଁ ନଥିଲା ଚାଳ,

ଉଦରେ ଥିଲା ଜଠରାଗ୍ନି,ଗୃହେ ଶୂନ୍ୟ ତଣ୍ଡୁଳ।

ହୃଦରେ ଶେଳବିଦ୍ଧ ସମ ଦ୍ରୁପଦ ଅପମାନ,

ସଙ୍ଗେ କୃପୀ ସହଧର୍ମିଣୀ,ଅଶ୍ୱତ୍ଥାମା ନନ୍ଦନ।


ଆକାଶେ ଛିନ୍ନ ମେଘ ସମ ବୁଲନ୍ତି ଏଣେ ତେଣେ,

ହସ୍ତିନା ପ୍ରାସାଦ ନିକଟେ ପହଞ୍ଚିଗଲେ ଦିନେ।

ଯୋଗକୁ ହସ୍ତିନା ପ୍ରାସାଦେ,କୃପ ,ଦ୍ରୋଣ ଶାଳକ,

ରହିଥିଲେ ରାଜକୁମାରଙ୍କର ହୋଇ ଶିକ୍ଷକ।

ଆଶ୍ରାନେଲେ ତାଙ୍କ ପାଶରେ ଭରଦ୍ବାଜ ନନ୍ଦନ,

ଦିଗହୀନ ପୋତ ସଦୃଶ ଥିଲା ତାଙ୍କର ମନ।


ଭ୍ରମୁ ଭ୍ରମୁ ଦିନେ ଦେଖିଲେ,କୁରୁ ରାଜ କୁମାରେ,

ଉଦ୍ୟାନେ କନ୍ଦୁକ ଖେଳନ୍ତି ମହା ଉଲ୍ଲାସଭରେ।

ଯୁଧିଷ୍ଠିର,ଭୀମ,ଅର୍ଜୁନ,ନକୁଳ,ସହଦେବ,

ସଙ୍ଗେ ଦୁର୍ଯ୍ୟୋଧନ ଆବର ଅନେଶ୍ବତ କୌରବ।

କ୍ରୀଡା ସମୟରେ କନ୍ଦୁକ ହେଲା କୂପେ ପତିତ,

ଚିନ୍ତାରେ ପଡିଲେ କୁମାରେ,କେହ୍ନେ ହେବ ତା ପ୍ରାପ୍ତ।


ସ୍ମିତ ହସି ଦ୍ରୋଣ ବୋଲନ୍ତି,"ଏହି ସାମାନ୍ୟ କାର୍ଯ୍ୟ,

ନହୁଏ ସାଧିତ, କୁମାରେ କେହ୍ନେ ପାଳିବ ରାଜ୍ୟ?"

ଶୁଣି ଯୁଧିଷ୍ଠିର ବୋଇଲେ "ଅନାହୂତ ବ୍ରାହ୍ମଣ,

କିଏ ତୁମ୍ଭେ ଆସି ଅଯଥା,ଏଠି ଦେଖାଅ ଟାଣ?

ପାରିବ କୂପରୁ ଉଦ୍ଧାର କରି କନ୍ଦୁକ ଯେବେ,

ଆକଣ୍ଠ ଭୋଜନ ପାଇବ,ରାଜ ପ୍ରାସାଦେ ତେବେ।"


"ଦେଖ ମୁଁ କିପରି ଉଦ୍ଧାର କରୁଛି ଏ କନ୍ଦୁକ,"

କହି ଦ୍ରୋଣ ଖଞ୍ଜିଲେ କୁଶ ପରେ କୁଶ ଆରେକ।

ମନ୍ତ୍ରିତ କୁଶକୁ ଏକ ସହିତ ଆରେକ ଯୋଡି,

ଧୀରେ ଟାଣି କନ୍ଦୁକ ଗୋଟି ଦ୍ରୋଣ ଆଣିଲେ କାଢି।

ନିଜ ଅଙ୍ଗୁଷ୍ଠିର ମୁଦ୍ରିକା କୂପ ମଧ୍ୟେ ପକାଇ,

ଯୋଡି ତୀର ପରେ ତୀରେକ ତାକୁ ନେଲେ ଉଠାଇ।

ଆଶ୍ଚର୍ଯ୍ୟ ହୋଇଲେ କୁମାରେ ଦେଖି ଏ ଚମତ୍କାର,

"କିଏ ତୁମ୍ଭେ ଆର୍ଯ୍ୟ?"ପୁଚ୍ଛନ୍ତି ଧର୍ମ ରାଜ କୁମର।

"ପଚାର ଭୀଷ୍ମଙ୍କୁ ମୁଁ କିଏ"ବୋଲି କହନ୍ତେ ଦ୍ରୋଣ,

ପିତାମହ ପାଶେ ମିଳିଲେ ରାଜକୁମାର ଗଣ।


ନିମନ୍ତ୍ରି ଭରଦ୍ବାଜ ପୁତ୍ରେ ପ୍ରାସାଦେ ଗଙ୍ଗାସୁତ,

ବସାଇଲେ ଦିବ୍ୟ ଆସନେ କରିଣ କୋଳାଗ୍ରତ।

"ଏ ଆମ୍ଭର ଯୋଗ୍ୟ ଆଚାର୍ଯ୍ୟ" ବୋଲି ରାଜକୁମାରେ,

ଗୁରୁଙ୍କ ପ୍ରଶଂସା କରିଲେ ପିତାମହ ଛାମୁରେ।


ସେ ସମୟେ ଗଙ୍ଗାନନ୍ଦନ କୁରୁକୁଳ ଚନ୍ଦନ,

ଖୋଜୁଥିଲେ ଯୋଗ୍ୟ ଆଚାର୍ଯ୍ୟ ଶସ୍ତ୍ରେ,ଶାସ୍ତ୍ରେ ନିପୁଣ।

ଶୁଣି ଆଚାର୍ଯ୍ୟଙ୍କ ପ୍ରଶଂସା,ପିତାମହ ଆନନ୍ଦେ,

ଶିକ୍ଷାଭାର ରାଜପୁତ୍ରଙ୍କ ଦେଲେ ଗୁରୁଙ୍କ କନ୍ଧେ।


*ଭାର୍ଗବ/ଯମଦଗ୍ନି ନନ୍ଦନ-----ପର୍ଶୁରାମ


କ୍ରମଶଃ.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics