STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା (୩୬)

ବହ୍ନିକନ୍ୟା (୩୬)

3 mins
50



କନ୍ୟା ଅପହରଣ କରିବା ଉଦ୍ଦେଶ୍ୟରେ ଆସିଥିବା ଜରାସନ୍ଧକୁ ତା ଶିବିର ମଧ୍ୟରେ ପ୍ରବେଶ କରି ଶ୍ରୀକୃଷ୍ଣ ଯେଉଁ ଚେତାବନୀ ଦେଇଥିଲେ ତାହା ଠିକ୍ ଫଳବତୀ ହୋଇଥିଲା ।ଜରାସନ୍ଧ ଜାଣିପାରିଲା ଯେ କନ୍ୟା ହରଣ କରିବାପାଇଁ ଚେଷ୍ଟାକଲେ ବିଶାଳ ନାରାୟଣୀ ସେନା ସମେତ ଅନ୍ୟ ରାଜାମାନଙ୍କର ସୈନ୍ୟବାହିନୀର ସମ୍ମୁଖୀନ ହେବାପାଇଁ ପଡ଼ିବ ।ପରାଜୟ ହେଲେ ମଗଧର ସମ୍ମାନ ମାଟିରେ ମିଶିଯିବ ।ଲକ୍ଷଭେଦର କଠୋର ନିୟମ ଦେଖି ସମ୍ରାଟ ହୃଦୟଙ୍ଗମ କଲା ଯେ ସ୍ପର୍ଦ୍ଧା ଜିଣି ଯାଜ୍ଞସେନୀଙ୍କୁ ହସ୍ତଗତ କରିବା ତା ନିଜପକ୍ଷରେ ଅଥବା ପୁତ୍ର ସହଦେବ ବା ପୌତ୍ର ମେଘସନ୍ଧି ପକ୍ଷରେ ସମ୍ଭବ ନୁହେଁ ।ତେଣୁ ନିଜର ସମ୍ମାନ ରକ୍ଷା କରି କନ୍ୟାକୁ ଆଶୀର୍ବାଦ ଦେଇ ଫେରିଯିବା ହିଁ ବୁଦ୍ଧିମାନ କାର୍ଯ୍ୟ ହେବ ।ସେହି ଉଦ୍ଦେଶ୍ୟରେ ଜରାସନ୍ଧ ସଭା ମଣ୍ଡପରେ ଉପସ୍ଥିତ ।


ଦୁର୍ଯ୍ୟୋଧନକୁ ସଭାରେ ଉପସ୍ଥିତ ଦେଖି,

ଯାଜ୍ଞସେନୀ ଅନ୍ତରେ ହୋଇଲେ ମହା ଦୁଃଖୀ ।

ଏହି ପାଷଣ୍ଡ ପିତାଙ୍କ କେଶ ଝିଙ୍କି ରୋଷେ,

ଫିଙ୍ଗି ଥିଲା ଗୁରୁ ଦ୍ରୋଣଙ୍କର ପାଦଦେଶେ ।

କିପରି ଏହାର ଗଳେ ଦେବେ ଫୁଲହାର !

ଲକ୍ଷଭେଦି ନପାରନ୍ତା ହେଲେ ଦୁରାଚାର ।

 

ଜରାସନ୍ଧ,ଶିଶୁପାଳ,ବିନ୍ଦ,ଅନୁବିନ୍ଦ,

କାହାର ରୂପ ମନରେ ନଆଣେ ଆନନ୍ଦ ।

କୃଷ୍ଣଙ୍କ ସଙ୍ଗେ ତୁଳନା କରି ସମସ୍ତଙ୍କୁ,

ମନସ୍ତାପେ ଯାଜ୍ଞସେନୀ ଚାହିଁଲେ ଉର୍ଦ୍ଧ୍ବକୁ ।

କର୍ଣ୍ଣଙ୍କ ସୁଠାମ ରୂପ,ସୁନ୍ଦର ବ୍ୟକ୍ତିତ୍ବ,

ପ୍ରଭାବିତ କଲା, କିନ୍ତୁ ସେ ତ ସୂତପୁତ୍ର ।

ତାଙ୍କସଙ୍ଗେ ପରିଣୟ କିପରି ହୋଇବ, 

ପ୍ରତିଲୋମ ବିବାହ ଯେ ନୁହଇ ସମ୍ଭବ ।


ବିଶ୍ବେ ବିଦିତ ରାଧେୟ ନାମେ ଅଙ୍ଗରାଜ,

ନୁହନ୍ତି ସେ ଉଚ୍ଚ ବଂଶୀ କ୍ଷତ୍ରିୟ ବା ଦ୍ୱିଜ ।

ପ୍ରତିଲୋମ ବିବାହରେ କୁଳ ହୁଏ କ୍ଷୟ,

ତେଣୁ ଯୋଗ୍ୟ ବରପାତ୍ର ନୁହନ୍ତି ରାଧେୟ ।


ଅବ୍ୟକ୍ତ ଅସହାୟତା ଘାରିଲା ମନକୁ,

କି କରିବେ ଭାଳି ଅନାଇଲେ ଶ୍ରୀକୃଷ୍ଣଙ୍କୁ ।

ଆଖିରେ ଆଖି ମିଳନ୍ତେ, ସାଙ୍କେତିକ ଭାଷା-

ଆଣିଦେଲା ଯାଜ୍ଞସେନୀ ମନେ ନବ ଆଶା ।


କହୁଥିଲା ସେ ସଂକେତ"ସବୁ ଚିନ୍ତା ତୋର

ଛାଡି ମୋ ଉପରେ, କର କର୍ତ୍ତବ୍ୟ ନିଜର ।

ମନେ ମନେ ଶ୍ରୀକୃଷ୍ଣଙ୍କୁ କରିଲେ ସ୍ମରଣ,

ବୋଇଲେ "ହେ ପ୍ରଭୁ! ଦାସୀ ଯାଉଛି ଶରଣ ।


ସ୍ବୟଂମ୍ବର ନୁହେ,ଏ ତ ବିଶାଳ ସାଗର,

ତିମି,ତିମିଙ୍ଗିଳ ଏଥି ଛନ୍ତି ହେ ଶ୍ରୀଧର ।

ଦୁର୍ଯ୍ୟୋଧନ ତିମି,ଜରାସନ୍ଧ ତିମିଙ୍ଗିଳ,

ଜଳହସ୍ତିଠାରୁ ନ୍ୟୁନ ନୁହେ ଶିଶୁପାଳ ।


ତୁମ୍ଭେ ମୋ ବିପଦ ବନ୍ଧୁ,ଜାଣିଛି ମୁଁ ହରି,

ମୁଁ ନାବ,ତୁମ୍ଭେ ନାଉରୀ,ହେ ବିଶ୍ବବିହାରୀ ।

ସ୍ବୟମ୍ବର ନ ପାଲଟୁ ଯୁଦ୍ଧର ପ୍ରାଙ୍ଗଣ,

ତୁମ୍ଭ ସମ ପତି ପାଏ ମୁହିଁ ନାରାୟଣ ।"


ସ୍ପର୍ଦ୍ଧା ପାଇଁ ଆହ୍ବାନ ଶୁଣନ୍ତେ ରାଜାଗଣ,

ନିଶ ମୋଡି ଶିଶୁପାଳ ଉଠେ କରି ଟାଣ ।

କୃଷ୍ଣଙ୍କୁ ଅନାଇ ତାର ଘୂରିଗଲା ମଥା,

ମନେ ପଡିଲା ରୃକ୍ମିଣୀ ସ୍ବୟମ୍ବର କଥା ।


କ୍ରୋଧ ସମ୍ବରଣ କରି ଚେଦି ଯୁବରାଜ,

ବାହାରିଲା ଦେଖାଇବା ପାଇଁ ବଳବିର୍ଯ୍ୟ ।

ପହଞ୍ଚି ଧନୁ ପାଖରେ,କଲା ନମସ୍କାର,

ପରଖେ ଧନୁ ଓଜନ ପର୍ବତ ପ୍ରକାର ।


ମହାକଷ୍ଟେ ଉଠାଇଲା ଧନୁ ସିନା ସେହି,

ଗୁଣ ଚଢାଇବା ପାଇଁ ବଳ ପାଉନାହିଁ ।

ଧନୁ ରଖି ଫେରିଗଲା ନିଜ ଆସନରେ,

ସ୍ମିତ ହସୁଥିଲେ ବାସୁଦେବ ଧୀରେ ଧୀରେ ।

ଦେଖି ବାସୁଦେବଙ୍କର ସହାସ୍ୟ ବଦନ,

ଦମଘୋଷ ପୁତ୍ର ହେ

ଲା ଆରକ୍ତ-ଲପନ ।


ପହଞ୍ଚିଲା ଜରାସନ୍ଧ ଧନୁର ସମୀପେ,

କୃଷ୍ଣାଙ୍କ ହୃଦ ସ୍ପନ୍ଦନ ବଢିଲା ଅମାପେ ।

ସ୍ପର୍ଦ୍ଧାସ୍ଥଳେ ଯାଇ କଲା ଧନୁକୁ ପ୍ରଣାମ,

ପ୍ରଶଂସା କରିଲା ସ୍ବୟମ୍ବର ଆୟୋଜନ ।


ବିଲୋକିଲା ଜଳକୁଣ୍ଡ ପୁଣି ରାଧାଚକ୍ର,

ଚାହିଁଲା ସଭାସ୍ଥଳକୁ ଦୃଷ୍ଟି କରି ବକ୍ର ।

ମେଘ ଘଡଘଡି ସମ କରି ଅଟ୍ଟହାସ,

ବୋଲେ ଏହି ସ୍ପର୍ଦ୍ଧା ତୁଚ୍ଛ ମୋପାଇଁ ଅବଶ୍ୟ ।


ଯାଜ୍ଞସେନୀ ମୁଖେ ଦୃଷ୍ଟି ନିକ୍ଷେପି ଆବର,

ବୋଲେ ଚକ୍ରବର୍ତ୍ତୀ କନ୍ୟା ଅପୂର୍ବ ସୁନ୍ଦର!

ମାତ୍ର ମୋର କନ୍ୟା ତୁଲ୍ୟ ଅଟେ ଯାଜ୍ଞସେନୀ,

ହୋଇବ ଅଶୋଭନୀୟ ଧରିଲେ ତା ପାଣି ।


ଦ୍ରୌପଦୀଙ୍କ ମସ୍ତକରେ ରଖି ନିଜ କର,

ଆଶୀର୍ବାଦ ଦେଇ କହେ ଜରାସନ୍ଧ ବୀର ।

"ଏ ବୟସେ ବିବାହ ମୋ ନୋହେ ଶୋଭନୀୟ

ଆଶୀର୍ବାଦ ଦେଉଛି ହେ ଯାଜ୍ଞସେନ ରାୟ ।


ବୟସରେ ସହଦେବ ପ୍ରୌଢ କୃଷ୍ଣା ପାଇଁ,

ମେଘସନ୍ଧି ପ୍ରସ୍ତାବ ତ ଗ୍ରାହ୍ୟ ହେଲାନାହିଁ,

ତେଣୁ ମୁଁ ଯାଉଛି ଫେରି ଆଜି ଗିରିବ୍ରଜ,

ସକୁଶଳେ ପୂର୍ଣ୍ଣହେଉ ସ୍ବୟମ୍ବର କାର୍ଯ୍ୟ ।"


ଜରାସନ୍ଧର ଭେଳିକି ଦେଖିଣ ଗୋବିନ୍ଦ,

ହସିଦେଲେ ବଳରାମ ହୋଇଲେ ଆନନ୍ଦ ।

ବେନି ଭାଇଙ୍କ ତାତ୍ସଲ୍ୟ ହସ ଅବଲୋକି,

ପଳାଇଲା ଜରାସନ୍ଧ ମୁଖକୁ ନ ଟେକି ।


ଆନନ୍ଦିତ ହେଲେ ଏହା ଦେଖି ଯାଜ୍ଞସେନୀ,

କୃଷ୍ଣଙ୍କ କର୍ତ୍ତୁତ୍ବ ପ୍ରଭାତରୁ ଥିଲେ ଶୁଣି ।

ଉଦ୍ଧବଙ୍କଠାରୁ ଶୁଣିଥିଲେ ସମାଚାର,

ଭକ୍ତିଭରେ ନଇଁଗଲା ମଥା ପାଞ୍ଚାଳୀର ।


କି ସହଜେ କୃଷ୍ଣ ଦେଲେ ମତ୍ତ ହସ୍ତି ଦଳି,

ବିବଶରେ ନାଗ ଦେଲା ଚୁଚୁନ୍ଦ୍ରାକୁ ଗିଳି ।

ଜରାସନ୍ଧର ପ୍ରସ୍ଥାନେ ପାଞ୍ଚାଳ ନରେଶ,

ଆଶ୍ବସ୍ତ ହୋଇ ଛାଡିଲେ ସୁଦୀର୍ଘ ନିଶ୍ବାସ ।

ବିଚାରିଲେ "ଟଳିଗଲା ଭୀଷଣ ବିତ୍ପାତ,

"ଜୟ କୃଷ୍ଣ"କହି ଉର୍ଦ୍ଧ୍ବେ କଲେ ପ୍ରଣିପାତ ।


ତତ୍ପରେ ଆସନ ତେଜି କୁରୁ ଯୁବରାଜ,

ଉଠେ ସଭାସ୍ଥଳେ,ଯେହ୍ନେ ବନେ ମତ୍ତଗଜ ।

ଦ୍ରୌପଦୀ ମୁଖ ଚନ୍ଦ୍ରମା ପରେ ଦୃଷ୍ଟି ଦେଇ,

ପହଞ୍ଚିଲା ଦୁର୍ଯ୍ୟୋଧନ ସ୍ପର୍ଦ୍ଧାସ୍ଥଳେ ଯାଇ ।


ଏ ସମୟେ ବ୍ରାହ୍ମଣଙ୍କ ମେଳେ ହାସ୍ୟରୋଳ,

ଶୁଣି ଚମକି ପଡିଲା ଧୃତରାଷ୍ଟ୍ର ବାଳ ।

ଅତି ପରିଚିତ ଭୀମସେନ କଣ୍ଠ ଶୁଣି,

ଶିଥିଳ ହୋଇଲା ଦୁର୍ଯ୍ୟୋଧନ ପାଦ,ପାଣି ।


ଯା ଦେଖିଲା ଚକ୍ଷୁ ତାର ହୋଇଗଲା ଖୋସି,

ବ୍ରାହ୍ମଣ ବେଶେ ପାବନୀ ସମ ଜଣେ ବସି ।

"ନପାରିବ ଅନ୍ଧପୁତ୍ର" ବୋଲି କରେ ହାସ୍ୟ

ଶୁଣି ଦୁର୍ଯ୍ୟୋଧନ ହସ୍ତ ହୋଇଲା ଅବଶ ।


ପାଣ୍ଡବ ସମ ବ୍ରାହ୍ମଣ ପାଞ୍ଚଜଣ ଦେଖି,

ଦୁର୍ବଳ ହେଲା ଶରୀର ପାଟି ଗଲା ଶୁଖି ।

ସତେ ପାଦତଳୁ ଭୂମି ଯାଉଅଛି ଫାଟି!

ଶିରେ ହିମାଦ୍ରି ସତେକି ପଡୁଅଛି ତୁଟି!


ମହା କଷ୍ଟେ ଧନୁ ସିନା ଉଠାଇଲା ବୀର,

ଗୁଣ ନପାରେ ଚଢାଇ ଦୁର୍ବଳ ଶରୀର ।

ଫେରିଆସି ବସିଗଲା ନିଜ ଆସନରେ,

ହାସ୍ୟରୋଳ ଶୁଭୁଥିଲା ବ୍ରାହ୍ମଣ ମେଳରେ ।


କ୍ରମଶଃ............


ତିମିଙ୍ଗିଳ:----ତିମିକୁ ଯେ ଗିଳିଦେଇପାରେ

ସହଦେବ---ଜରାସନ୍ଧ ପୁତ୍ର

ମେଘସନ୍ଧି---ଜରାସନ୍ଧ ପୌତ୍ର

ଗିରିବ୍ରଜ:----ସେ ସମୟରେ ମଗଧର ରାଜଧାନୀ

ପାବନୀ--ଭୀମଙ୍କ ଅନ୍ୟ ନାମ

ଦମଘୋଷ...ଚେଦି ଦେଶର ରାଜା ତଥା ଶିଶୁପାଳଙ୍କ ପିତା

ବିଲୋକି :-----ଅବଲୋକନ, ଚାହିଁବା


Rate this content
Log in

Similar oriya poem from Classics