STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା (୩୨)

ବହ୍ନିକନ୍ୟା (୩୨)

3 mins
10


ଶ୍ରୀକୃଷ୍ଣ ଭଲଭାବରେ ଜରାସନ୍ଧର ମନସ୍ତତ୍ତ୍ୱ ଜାଣିଥିଲେ। ନିରସ୍ତ୍ର ହୋଇ ଏକାକି ତା ଶିବିରରେ ପ୍ରବେଶ କଲେ ମଧ୍ୟ ସେ ତାଙ୍କର କୌଣସି ପ୍ରକାର କ୍ଷତି କରିବାକୁ ସାହାସ କରିବନାହିଁ।ସେଭଳି ଦୁଃସାହସିକ କାର୍ଯ୍ୟ କଲେ ଫଳାଫଳ ପାଇଁ ନାରାୟଣୀ ସେନା ସହିତ ପାଞ୍ଚାଳ ସେନା ପ୍ରସ୍ତୁତ। ସେମାନଙ୍କ ମିଳିତ ଆକ୍ରମଣରେ ସେ ପରାସ୍ତ ଏବଂ ଲଜ୍ଜିତ ହେବ। ଅତଃ ଜରାସନ୍ଧ ପାଖରେ ତାର ଦୁର୍ବଳତା ଦର୍ଶାଇ କନ୍ୟା ହରଣ ପ୍ରଚେଷ୍ଟାର ଭୟାବହ ପରିଣାମ ବିଷୟରେ ସଚେତନ କରାଇବା ପାଇଁ ଚକ୍ରୀ ମଗଧ ସମ୍ରାଟର ପ୍ରକୋଷ୍ଠରେ ଏକାକି ନିରସ୍ତ୍ର ପ୍ରବେଶ କଲେ।


ମଗଧ ଶିବିର ଦ୍ବାରେ ଉଭା ନାରାୟଣ,

ଆଚ୍ଛାଦିତ ବସ୍ତ୍ରେ ମୁଖ,ଶିର,ଅପଘନ।

"କେ ତୁ?"ବୋଲି ପଚାରନ୍ତେ ତାଙ୍କୁ ଦ୍ବାରପାଳ,

"ମଗଧେଶ କେତୁ"ବୋଲି ବୋଇଲେ ଗୋପାଳ।


ବୁଝି ନପାରି ଏ ଶ୍ଲେଷ ଓଗାଳିଣ ଦ୍ବାର,

ରକ୍ଷୀ ବୋଲେ "ଏ ନିଶାର୍ଦ୍ଧେ କିଏସେ ତୁ ଚୋର?"

ମୁଖୁ ବସ୍ତ୍ର ଦୂରକରି ବୋଇଲେ ମାଧବ,

"ଆମ୍ଭେ ଅଟୁ ଯାଦବେଶ କୃଷ୍ଣବାସୁଦେବ ।


ରାଜାଙ୍କୁ ତୁମ୍ଭର ଯାଇ ଶୀଘ୍ର ବାର୍ତ୍ତା ଦିଅ,

ଶୁପ୍ତ ଥିଲେ ଜାଗ୍ରତ କରାଇ ହୋ ଜଣାଅ।

ଜରାସନ୍ଧ ସୁରକ୍ଷାକୁ ଘେନି ଆଲୋଚନା,

କରିବାକୁ ଆସିଛନ୍ତି କୃଷ୍ଣ ମହାମନା।"


ଏହି ସମୟରେ ସହଦେବଙ୍କ* ସହିତ,

ଦଣ୍ଡ ପୁତ୍ର ବିଦଣ୍ଡ@ ହୋଇଲେ ଉପସ୍ଥିତ।

କୃଷ୍ଣଙ୍କୁ ଚିହ୍ନି ପ୍ରଣାମ ଜଣାଇଲେ ବୀର,

"ବୋଇଲେ ମାଧବ !ଏତ ଦୂରୁହ ବ୍ୟାପାର।


ନିଶାର୍ଦ୍ଧେ ମଗଧରାଜ କାହିଁକି ତୁମ୍ଭର,

ସଙ୍ଗେ ସାକ୍ଷାତ କରିବେ କୁହ ଚକ୍ରଧର?

କେଉଁ ମଧୁର ସମ୍ପର୍କ କାନି-ଗଣ୍ଠି କରି,

ଏତେ ରାତ୍ରେ ଆସିଛ ହେ କୁହ ଚକ୍ରଧାରୀ?

ମୂଷିକ-ମାର୍ଜାର,ଅହି ସହିତ ନକୁଳ-

ସମ ଭାବ ଜରାସନ୍ଧ ସହିତେ ତୁମ୍ଭର।"


ଶ୍ରୀହରି ବୋଇଲେ ବାରେ ଜଣାଅ ରାଜାକୁ,

ଦିନେ ଗୋମନ୍ତକ ତଳେ ରକ୍ଷାକଲି ତାଙ୍କୁ।

ହଳୀଙ୍କ କ୍ରୋଧରୁ ରକ୍ଷା କରିଥିଲି ମୁହିଁ,

ଆଜି ଆସିଛି ଦ୍ବିତୀୟ ବାର ରକ୍ଷାପାଇଁ।


କଥାର ଗୁରୁତ୍ତ୍ବ ଯେବେ ନପାରୁଛ ବୁଝି,

ଯାଉଛି ମୁଁ ଫେରି,ପଛେ ହେଉଥିବ ହେଜି।

ନିରସ୍ତ୍ର ମୁଁ ,ହସ୍ତେ ମୋର ନାହିଁ ସୁଦର୍ଶନ,

ନାହିଁ ଖଡ୍ଗ ଅବା ଗଦା ,ଧନୁ,ଶରାସନ।

ହିତାକାଂକ୍ଷୀ ହୋଇ ଆସିଛି ମୁଁ ମଗଧର,

ଶୁଣି ସହଦେବ ବୋଇଲେ "ହେ ଚକ୍ରଧର!

କ୍ଷଣେ କର ଅପେକ୍ଷା ମୁଁ ସମ୍ରାଟ ସମ୍ମତି,

ନେଇ ଆସୁଛି ସାକ୍ଷାତ ପାଇଁ ଯଦୁପତି।"

ଶିବିରରୁ ଜରାସନ୍ଧ ସନମତି ପାଇ,

ରାଜା ପ୍ରକୋଷ୍ଠରେ ପହଞ୍ଚିଲେ ଲକ୍ଷ୍ମୀସାଇଁ।


ନିରସ୍ତ୍ର କୃଷ୍ଣଙ୍କୁ ଦେଖି ମଗଧ ଈଶ୍ବର,

ଅବିଶ୍ବାସେ ବିସ୍ଫାରିତ ନେତ୍ର ହେଲା ତାର।

ପିତାମ୍ବର ବାସେ ଶୋଭା ଅନୁପମ କାନ୍ତି,

ଗଳାରେ କୌସ୍ତୁଭ ମାଳା ସୁନ୍ଦର ଦିଶନ୍ତି।

ମଣି ମାଣିକ୍ୟ ଖଚିତ ମୁକୁଟ ଶୀର୍ଷରେ,

ମୟୂର ଚନ୍ଦ୍ରିକା ଖଞ୍ଜା ଅପୂର୍ବ ଠାଣିରେ।

ବୀରୋଚିତ ଦମ୍ଭ ମୁଖେ ହୁଏ ପ୍ରତିଭାତ,

ଦେଖି ଚମକି ପଡିଲା ବୃହଦ୍ରଥ ସୁତ।

ନାହିଁ ମୁଖେ ତିଳେ ମାତ୍ର ଡର,ଭୟ ଚିହ୍ନ,

ବିମଳ ସ୍ମିତ ହସରେ ପ୍ରଫୁଲ୍ଲ ଆନନ।


ତାତ୍ସଲ୍ୟ କରି କହଇ ମଗଧ ନରେଶ,

"ସିଂହ ଗୁମ୍ଫା ମଧ୍ୟେ କେହ୍ନେ ଶୃଗାଳ ପ୍ରବେଶ!

ରେ ଗୋପାଳ! ଯମ ତୋର ପୋଛିଲାକି ପାଞ୍ଜି,

କାନ୍ଧେ ମୁଣ୍ଡ ଭାରି ତୋର ଲାଗିଲାକି ଆଜି?

ଜୀବନ ପ୍ରତି ବିତୃଷ୍ଣା ଆସିଲାକି ତୋର?

ତା ନହେଲେ କାହିଁକି ତୁ ଆସିଛୁରେ ଚୋର?


କିପରି ମରଣ ପାଇଁ ମନେ ତୋର ଆଶା?

ଗଦାରେ,ଖଡ୍ଗରେ ଅବା ଭାଲ କିବା ଭୂଷା?

ଯେପରି ଚାହୁଁ ସେପରି ଦେବି ମୁଁ ମରଣ,

ସେ କାର୍ଯ୍ୟରେ ମଗଧେଶ ନୁହଇ କୃପଣ।"


ହସି କହନ୍ତି କେଶବ "ଅସ୍ତ୍ରହୀନ ମୁହିଁ,

ଯେପରି ଚାହଁ ମାରିବ ମଗଧ ଗୋସାଇଁ।

କିନ୍ତୁ କରି ପାରିବ କି ସେପରି ସାହସ ?

ଦେହ ମୋର ସ୍ପର୍ଶ କଲେ ହେବ ସର୍ବନାଶ।

ଉପସ୍ଥିତ ଏଥି ନାରାୟଣୀ ସେନା ମୋର,

ଖଣ୍ଡ ବିଖଣ୍ଡିତ କରି ଶରୀର ତୁମ୍ଭର,

ଗଙ୍ଗାରେ କୁମ୍ଭୀର ମୁଖେ ଫିଙ୍ଗିବେ ସେ ମାଂସ,

ଶ୍ବାନ,ଶୃଗାଳଙ୍କୁ ବାଣ୍ଟି ଦେବେ ଅବଶେଷ।


ଆର୍ଯ୍ୟାବର୍ତ୍ତେ ସ୍ବୟମ୍ବର ନିୟମ ତ ଜାଣ,

ଆକ୍ରମଣ ଫଳ ଅଟେ ପ୍ରତି ଆକ୍ରମଣ।

ସୁବୁଦ୍ଧି ଥିଲେ ମୋ କଥା ଶୁଣ ଦଣ୍ଡଧର,

ଅନାର୍ଯ୍ୟ ଗୁଣକୁ ତେଜି ଆର୍ଯ୍ୟ ବୁଦ୍ଧି ଧର।

ପାଇଛି ସନ୍ଦେଶ ତୁମ୍ଭେ କାଲି ପ୍ରଭାତରେ,

କୃଷ୍ଣାକୁ ହରଣ କରି ନେବ ନିଜପୁରେ।

ସେ ଦୁଷ୍କର୍ମ କର ଯେବେ ମଗଧ ନରେଶ,

ମିଳିତ ସଇନେ ତୁମ୍ଭେ ଭେଟିବ ଅବଶ୍ୟ,

କଉରବ ସେନା ସହ ପାଞ୍ଚାଳ ବାହିନୀ,

ସଙ୍ଗେ ନାରାୟଣୀ ସେନା ଶିର ଦେବେ ଝୁଣି।


ମଗଧର ଯଶ ବାନା ହେବ ଧରାଶାୟୀ,

ଉପଦେଶ ମାନ ଦୁଃସାହସ କରନାହିଁ।

ଶକ୍ତି ଥିଲେ ଲକ୍ଷ ଭେଦି କନ୍ୟା ଲାଭକର,

ମଗଧର ଯଶ ବାନା ଉଡିବ ଅମ୍ବର।

ସହଯେ ତ ବୃଦ୍ଧ ତୁମ୍ଭେ ଧନୁର୍ବିଦ୍ୟା-ଅଜ୍ଞ,

ସହଦେବ,ମେଘସନ୍ଧି ପୂର୍ଣ୍ଣ ଅନଭିଜ୍ଞ।

ନାହିଁ ଏଠି ଗଦାଯୁଦ୍ଧ,ନାହିଁ ମଲ୍ଲଯୁଦ୍ଧ,

ଲକ୍ଷଭେଦ ସ୍ପର୍ଦ୍ଧା କେହ୍ନେ ଜିଣିବ ମଗଧ?


ତେଣୁ କନ୍ୟା ଆଶା ଛାଡି ହେ ବୃଦ୍ଧ ରାଜନ,

କନ୍ୟାସମ ଦ୍ରୌପଦୀର ବାଞ୍ଛିଣ କଲ୍ୟାଣ-

କାଲି ପ୍ରଭାତରୁ ଗିରିବ୍ରଜ ଯାଅ ଫେରି ,#

ମାଙ୍ଗଳିକ କାର୍ଯ୍ୟେ ଆଉ ବିଗ୍ରହ ନକରି ।

ନୁହେଁ ମୁହିଁ ତୁମ୍ଭ ବନ୍ଧୁ ଅଥବା ସୋଦର,

ତିଳେମାତ୍ର ନାହିଁ ତୁମ୍ଭ ପାଇଁ ମୋ ଆଦର।

ଆବଶ୍ୟକ ହେଲେ ମୋର ଚକ୍ର ସୁଦର୍ଶନ,

ଗର୍ଜିବ ତୁମ୍ଭ ବିରୁଦ୍ଧେ କାଲି ହେ ରାଜନ।

ତୁମ୍ଭ ସୁରକ୍ଷା ପାଇଁ ଏ ଉପଦେଶ ମୋର।

ଗ୍ରହଣ କର ନକର ଯା ଇଚ୍ଛା ତୁମ୍ଭର।"


କୃଷ୍ଣ କଥା ଶୁଣି ସ୍ତବ୍ଧ ମଗଧ ନରେଶ,

କି କହିବ,କି କରିବ ଭାଳି ହେଲା ରୋଷ।

ଶତ୍ରୁ ସମ୍ମୁଖେ, ମାରିବା ସାହସ ତା ନାହିଁ,

ବାସ୍ତବତା ଆଗେ ରାଜା ମୁଣ୍ଡ ଗଲା ନଇଁ।

ସ୍ତବ୍ଧ ହୋଇ ରହିଗଲା ମଗଧ ରାଜନ,

ଅଧିକ କିଛି ନକହି ପ୍ରଭୁ ନାରାୟଣ,

ଜରାସନ୍ଧ ଶିବିରରୁ ପ୍ରସ୍ଥାନ କରିଲେ,

ଶିବିର ଦ୍ବାରେ ଉଦ୍ଧବ,ସାତ୍ୟକି ଭେଟିଲେ।

କ୍ରମଶଃ......


@ଦଣ୍ଡ----ଜରାସନ୍ଧର ଏକ କରଦ ରାଜା।ତାଙ୍କ ପୁତ୍ର ବିଦଣ୍ଡ।

*ସହଦେବ---ଜରାସନ୍ଧଙ୍କ ପୁତ୍ର।

#ଗିରିବ୍ରଜ:----ସେ ସମୟର  ମଗଧର ରାଜଧାନୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics