ବହ୍ନିକନ୍ୟା-୨୮
ବହ୍ନିକନ୍ୟା-୨୮
କୁନ୍ତୀଙ୍କର ସ୍ମୃତି ରୋମନ୍ଥନ
(ରାଜପୁର ଷଡଯନ୍ତ୍ର)
******
ରାଜ-ପରିବାରର ଭ୍ରାତୃବିବାଦ ଏବଂ ଷଡଯନ୍ତ୍ର ଯୁଗେ ଯୁଗେ ଶାସକର କ୍ଷତି କରିବା ସଙ୍ଗେ ସଙ୍ଗେ ଶାସିତର ମଧ୍ୟ ଅପୂରଣୀୟ କ୍ଷତି କରିଛି। ମୌର୍ଯ୍ୟ ବଂଶର ଭ୍ରାତୃ ବିବାଦ ହେଉ ଅଥବା ମୋଗଲ ବାଦଶାହଙ୍କ ଗୃହଯୁଦ୍ଧ; ରାଜପରିବାରରେ ଚାଲିଥିବା ଷଡଯନ୍ତ୍ର କିଭଳି ରାଜା ଏବଂ ରାଜ୍ୟ, ଉଭୟଙ୍କର ଅପୂରଣୀୟ କ୍ଷତି କରିଛି, ଇତିହାସ ତାର ସାକ୍ଷୀ। ମହାଭାରତ ଯୁଗୀୟ ରାଜବଂଶ ମଧ୍ୟ ସେଥିମଧ୍ୟରୁ ବାଦ୍ ଯାଇନଥିଲା;ବିଶେଷକରି ହସ୍ତିନା ରାଜପ୍ରାସାଦର ଷଡଯନ୍ତ୍ର ଥିଲା ଅତି ଭୟାବହ।
ଏକଚକ୍ର ପୁରରେ ଏକାନ୍ତରେ ବସିଥିବା ସମୟରେ କୁନ୍ତୀଙ୍କ ଆଖି ଆଗରେ ଭାସି ଯାଉଥିଲା ସେ ଷଡଯନ୍ତ୍ରର ଚିତ୍ର।
*****
କୁନ୍ତୀଙ୍କର ଆଖିଆଗେ ଭାସିଯାଏ ରାଜପୁର ଷଡଯନ୍ତ୍ର,
କଉରବେ ଘୋଷୁଥିଲେ ଅନୁକ୍ଷଣେ ପାଣ୍ଡବ ମାରଣ ମନ୍ତ୍ର।
ଏକ ବନେ ଦୁଇ ସିଂହ କି ରହନ୍ତି,ଏକ କୋଷେ ଦୁଇ ଅସି !!
ଘୋର ଈର୍ଷାନଳେ ଦୁର୍ଯ୍ୟୋଧନ ଜଳେ,ଜଳନ୍ତି ପ୍ରାସାଦ ବାସୀ।
ପୁତ୍ରମୋହେ ଘାରି କୁରୁ ଦଣ୍ଡଧାରୀ,ନେଉଥିଲେ ପୁତ୍ରପକ୍ଷ,
ଅଜ୍ଞାତେ ତାଙ୍କର ହୃଦେ ବାସକଲା ପାଣ୍ଡବ ତାଡନ ଲକ୍ଷ।
ସହଜେ ତ ଅନ୍ଧ ଅପତ୍ୟର ମୋହ ହୃଦୟକୁ କଲା ଅନ୍ଧ,
ଦେଖି ମଧ୍ୟ ଦେଖି ନପାରିଲେ ନାଚୁଥିଲା ଧ୍ବଂସର କବନ୍ଧ।
କୁମ୍ଭୀର ସହିତ କିପରି ରହିବେ ଚିନ୍ତି ସୁରସେନ ପୁତ୍ରୀ।
ଜ୍ୟେଷ୍ଠଙ୍କ କୁମ୍ଭୀର କାନ୍ଦଣା ଭିତରେ ବିନାଶ ଚିତ୍ର ଦେଖନ୍ତି।
ମାନଗୋବିନ୍ଦର ମନ ଜଳୁଥିଲା ଯେଉଁ ଈର୍ଷାର ଅନଳେ,
କ୍ରମେ କ୍ରମେ ତାହା ପରିଣତ ହେଲା ଭୟଙ୍କର ଦାବାନଳେ।*
ଯୁଧିଷ୍ଠିରଙ୍କର ଉତ୍ତମ ସ୍ବଭାବ ଦେଖି ରାଜ୍ୟ ପ୍ରଜାଗଣ,
ମନାସିଲେ ତାଙ୍କୁ ଦେଖିବାକୁ ଯୁବରାଜ ପଦରେ ଆସୀନ।
ପ୍ରଜାଙ୍କର ଆଶା,ପିତାମହଙ୍କର ଇଚ୍ଛାକୁ ସମ୍ମାନ ଦେଇ,
ଧୃତରାଷ୍ଟ୍ର ଦେଲେ ଯୁଧିଷ୍ଠିଙ୍କୁ ଯୁବରାଜ ଆସନେ ବସାଇ।
ଯୁଧିଷ୍ଠିରଙ୍କର ନିର୍ମଳ ଶାସନେ ପ୍ରଜାଗଣ ପ୍ରଫୁଲ୍ଲିତ,
ଦେଖି ଦୁର୍ଯ୍ୟୋଧନ ମନହେଲା କ୍ଷୁର୍ଣ୍ଣ,ହୋଇଲା ଅହଂ ଆହତ।
କର୍ଣ୍ଣ,ଦୁଃଶାସନ,ଶକୁନି ମାତୁଳ,ଅଶ୍ବତ୍ଥାମା ସଙ୍ଗେ ବସି,
ବିଚାରିଲା ଦୁର୍ଯ୍ୟୋଧନ କି ଉପାୟେ ପାଣ୍ଡବଙ୍କୁ ଦେବ ଧ୍ବଂସି।
ଦୁର୍ଯ୍ୟୋଧନ ବିଚାରଇ 'ଯେଉଁଦିନ ଯୁଧିଷ୍ଠିର ହେବେ ରାଜା,
କୌରବଙ୍କ ଦୁଃଖଘଟ ପୂର୍ଣ୍ଣହେବ ଉଡିବ ପାଣ୍ଡବ ଧ୍ବଜା।
ବିତାଡିତ ହୋଇ ଧୃତରାଷ୍ଟ୍ରପୁତ୍ରେ ହାତେଧରି ଭିକ୍ଷାଥାଳ,
ଗ୍ରାମେ ଗ୍ରାମେ ଭିକ୍ଷାମାଗି ବୁଲୁଥିବେ ଆସିବ ଏମନ୍ତ କାଳ।'
ଶକୁନି ସହିତ ମନ୍ତ୍ରଣା କରି ସେ ସ୍ଥିରକଲା ଏକଦିନ,
ଜତୁଗୃହମଧ୍ୟେ ପାଣ୍ଡବ ମାନଙ୍କୁ କରିବାପାଇଁ ଦହନ।
ଏହା ମନେ ଭାଳି ପିତା ପାଶେ ମିଳି ଗ୍ଲାନି ମନେ ଦୁର୍ଯ୍ୟୋଧନ,
ବୋଲଇ "ପାଣ୍ଡବେ ରାଜ୍ୟରେ ରହିଲେ କରିବ
ି ମୁଁ ବିଷପାନ।"
କୁରୁ,ପାଣ୍ଡୁ ମଧ୍ୟେ ଏଡାଇବାପାଇଁ ସଂଘର୍ଷ କୁରୁ ନରେଶ,
ସ୍ଥିରକଲେ ପାଣ୍ଡବଙ୍କୁ ଦେବାପାଇଁ ବାରୁଣାବନ୍ତ ପ୍ରଦେଶ।
ପୁତ୍ର ସ୍ନେହ,ମୋହ ନପାରିଲେ ତେଜି ରାଜା ଧୃତରାଷ୍ଟ୍ର ଅନ୍ଧ,
ବାରୁଣାବନ୍ତକୁ ପାଣ୍ଡବ ମାନଙ୍କୁ ପେଶିବା କଲେ ପ୍ରବନ୍ଧ।
ପୁରୋଚନ ନାମେ କୁଟିଳ ଅମାତ୍ୟ ବାରୁଣାବନ୍ତ ପଠାଇ,
ଶକୁନି ରଚିଲେ ଷଡଯନ୍ତ୍ର ପଣ୍ଡୁପୁତ୍ରଙ୍କୁ ମାରିବାପାଇଁ।
ଘୃତ,ଝଣପଟ,ଜଉକୁ ମିଶାଇ ଗଢିଲେ ଏକ ନବର,
ବାହ୍ୟଦେଶୁ ଜଣାପଡୁଥିଲା ତାହା ଅତି ରମ୍ୟ ମନୋହର।
ସେହି ନବରରେ ପାଣ୍ଡବ ମାନଙ୍କ ରହିବାର ପ୍ରାବଧାନ-
କରି ସୁଯୋଗକୁ ଅନାଇଁ ରହିଲା ଷଡଯନ୍ତ୍ରୀ ଦୁର୍ଯ୍ୟୋଧନ।
ଦୁର୍ଯ୍ୟୋଧନର ଏ ଘୃଣ୍ୟ ମତିଗତି ଆଭାସ ପାଇ ବିଦୂର,
ସାବଧାନ କରାଇଲେ ପାଣ୍ଡବଙ୍କୁ ଭବିଷ୍ୟତ ବିପଦର।
ଦୂତହସ୍ତେ ଦେଇ ସାଙ୍କେତିକ ବାର୍ତ୍ତା ଲେଖିଲେ ବିଜ୍ଞ ବିଦୂର,
"ସକୁଶଳେ ଥିବ ପାଣ୍ଡୁ ପାଞ୍ଚଭାଇ ଆଶୀର୍ବାଦ ଏ ଆମ୍ଭର।
ମନେ ରଖିଥିବ ଦାବାନଳ ଯେବେ ଅରଣ୍ୟକୁ କରେ ଧ୍ବଂସ,
ଜଳିଯାଇଥାନ୍ତି ସବୁ ପ୍ରାଣୀ ମାତ୍ର ନମରେ ମୂଷିକ ବଂଶ।
ବିଳ ମଧ୍ୟେ ରହି ରକ୍ଷା ପାଏ ସେହି ଏହା ରଖିଥିବ ମନେ,
ନଆସେ ବିପଦ ସଦା ସାବଧାନ ରହିଥାନ୍ତି ଯେଉଁମାନେ।"
ଲାକ୍ଷାଗୃହେରହି ପାଣ୍ଡୁ ପାଞ୍ଚଭାଇ ଗୁପ୍ତ ସୁଡଙ୍ଗ ଖୋଳାଇ,
ଚାହିଁ ରହିଥିଲେ ବିପଦ ଆସିଲେ ଗୁପ୍ତେ ପଳାୟନ ପାଇଁ।
ଦିନେ ଶିବଙ୍କର ଧନୁ ଉତ୍ସବରେ ନଗ୍ର ହେଲା ମୁଖରିତ,
ଯୋଗକୁ ସେଦିନ ଲାକ୍ଷାଗୃହେ ଥିଲା କିରାତ ନାରୀ ଆଶ୍ରିତ।
ପାଞ୍ଚପୁତ୍ର ନେଇ ରାତ୍ରେ ଥିଲା ଶୋଇ କିରାତୀ ଲାକ୍ଷାଗୃହରେ,
ଦୁଷ୍ଟ ପୁରୋଚନ ଶୟନ କରିଣ ଥିଲା ସେହି ଜତୁଘରେ।
ଏହି ଅବସରେ ଭୀମ ସେ ନିଶିରେ ଦିଅନ୍ତି ଅଗ୍ନି ଲଗାଇ,
ଜଳେ ଲାକ୍ଷାଗୃହ ବିଳ ମଧ୍ୟ ଦେଇ ପାଣ୍ଡବେ ଗଲେ ପଳାଇ।
ପାଞ୍ଚପୁତ୍ରଘେନି ପଣ୍ଡୁ ପାଟ୍ଟରାଣୀ ପହଞ୍ଚିଲେ ଗଙ୍ଗାକୂଳେ,
ଦୂରରୁ ଦେଖନ୍ତି ଭୀମ ଲାକ୍ଷାଗୃହ ଧୁ ଧୁ ହୋଇ ଜଳେ।
ଯେଉଁ ଛ'ପ୍ରାଣୀ ଥିଲେ ତହିଁ ପୁଣି ଅଗ୍ନିରେ ହୋଇଲେ ଶେଷ,
ଦେଖି ତାଙ୍କଶବ ଭାବିଲେ ସକଳେ ପାଣ୍ଡବେ ହୋଇଲେ ନାଶ।
ଶୋକର ଲହରୀ ଖେଳିଗଲା ସାରା ହସ୍ତିନା ରାଜ୍ୟମଧ୍ୟରେ,
"ହାୟ ପଣ୍ଡୁପୁତ୍ରେ"ବୋଲି ଶୋକକଲେ ପ୍ରଜା ବାରୁଣାବନ୍ତରେ।
ସେହିଦିନଠାରୁ ଛଦ୍ମବେଶେ ଘୂରି ବୁଲନ୍ତି ପାଣ୍ଡବଗଣ,
ହସ୍ତିନାରୁ ଦୂରେ ପାହାଡ କନ୍ଦରେ ଦେଶୁ ଦେଶ ସ୍ଥାନୁ ସ୍ଥାନ।
xxxxxxxx
ପୂର୍ବକଥା ଭାଳୁଛନ୍ତି ପୃଥା ଏଣେ ଶୁଭିଲା ଭୀମଙ୍କ ଡାକ,
ଭାବନା ରାଜ୍ୟରୁ ଫେରିଆସି ପଣ୍ଡୁରାଣୀ ହେଲେ ସ୍ବାଭାବିକ।
ଆନନ୍ଦ ଅଶ୍ରୁରେ ପଣତ ଭିଜିଲା ଚୁମ୍ବିଲେ ଭୀମଙ୍କମଥା,
ମାତା ପାଦପୂଜି ଭୀମ ପଚାରିଲେ ଗୃହ ଅନାମେୟ କଥା।
କ୍ରମଶଃ......
*ଦାବାନଳ.... ବନଅଗ୍ନି