STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା (୧୩)

ବହ୍ନିକନ୍ୟା (୧୩)

3 mins
12.2K

ବହ୍ନିକନ୍ୟା

....୧୩....

ଗୁରୁ ସନ୍ଦୀପନୀଙ୍କ ସହିତ ଦ୍ରୌପଦୀଙ୍କ

ବିବାହ ସମ୍ପର୍କରେ ଆଲୋଚନା

********************************************

ଗୁରୁ ସନ୍ଦୀପନୀଙ୍କର କୃଷ୍ଣଙ୍କ ଉପରେ ଯେଉଁ ପ୍ରଭାବ ଥିଲା ତାହା ପାଞ୍ଚାଳ ନରେଶ ଦ୍ରୁପଦଙ୍କୁ ଅଜଣା ନଥିଲା।ତେଣୁ ସେ କୃଷ୍ଣଙ୍କ ସହିତ ଦ୍ରୌପଦୀଙ୍କ ବିବାହ ପ୍ରସ୍ତାବ ଗୁରୁଙ୍କ ମାଧ୍ୟମରେ ପଠାଇବାକୁ ଚାହୁଁ ଥିଲେ।ଦ୍ରୌପଦୀଙ୍କ ବିବାହ ଏଭଳି ରାଜପୁତ୍ରଙ୍କ ସହିତ କରିବାକୁ ଚାହୁଁଥିଲେ ଯେ'କି ଦ୍ରୋଣଙ୍କୁ ପରାସ୍ତ କରି ଦ୍ରୁପଦ ପାଇଥିବା ପୂର୍ବ ଅପମାନର ପ୍ରତିଶୋଧ ନେଇପାରିବେ।କିନ୍ତୁ ସନ୍ଦୀପନୀ କୃଷ୍ଣଙ୍କ ମନସ୍ତତ୍ତ୍ୱ ଠିକ୍ ଜାଣିଥିଲେ। କୌଣସି ସର୍ତ୍ତରେ ଆବଦ୍ଧ ହେବାର ବ୍ୟକ୍ତିତ୍ଵ ନଥିଲେ ଦେବକୀ ନନ୍ଦନ।

*****************************************


ଗୁରୁ ସନ୍ଦୀପନୀଙ୍କର ଆଗମନ ପାଇଁ,

ଅପେକ୍ଷାରେ ଥିଲେ ଯାଜ୍ଞସେନ ନରସାଇଁ।

ଯୋଗକୁ ସେହି ସମୟେ କାମ୍ପିଲ୍ୟ ନଗରେ,*

ଆସିଥିଲେ ସନ୍ଦୀପନୀ ଶିଷ୍ୟ ଗହଣରେ।

ଅବନ୍ତିରେ ଅଛି ତାଙ୍କ ଦିବ୍ୟ ଗୁରୁକୁଳ,

ଶାସ୍ତ୍ର,ଶସ୍ତ୍ର ଶିକ୍ଷାର ତା' ଅଟେ କେନ୍ଦ୍ରସ୍ଥଳ।


ନାନା ଦେଶୁଁ ରାଜପୁତ୍ର ଆବର ବ୍ରାହ୍ମଣ,

ଆସିଥାନ୍ତି କରିବାକୁ ଜ୍ଞାନ ଆହରଣ।

କୃଷ୍ଣ,ବଳରାମ ସେହି ଆଶ୍ରମରେ ରହି,

ବିଦ୍ୟା ଶିକ୍ଷା କରିଥିଲେ ମଥୁରାରୁ ଯାଇ।

କୃଷ୍ଣଙ୍କର ଅଲୌକିକ ପ୍ରତିଭାକୁ ଘେନି,

ଶତମୁଖ ହେଉଥିଲେ ଗୁରୁ ସନ୍ଦୀପନୀ।

ଦ୍ରୁପଦଙ୍କ ଆମନ୍ତ୍ରଣ ପାଇ ମୁନିଶ୍ରେଷ୍ଠ,

ଅନ୍ତପୁରେ ପ୍ରକୋଷ୍ଠରେ ହୋଇଲେ ପ୍ରବିଷ୍ଟ।


ଗୁରୁଙ୍କ ଦର୍ଶନ ପାଇ ପାଞ୍ଚାଳ ରାଜନ,

କୃତକୃତ୍ୟ ହେଲେ ଦେଇ ପାଦ୍ୟାର୍ଘ୍ୟ ଆସନ।

ରତ୍ନ ଝରିରେ ଅଣାଇ ସୁବାସିତ ନୀର,

ଯାଜ୍ଞସେନୀ ପାଦ ଧୗତ କଲେ ମୁନିଙ୍କର।

ପଚାରିଲେ ଗୁରୁକୁଳ ସକଳ କୁଶଳ,

ଅବନ୍ତିର ଅନାମେୟ ପୁଚ୍ଛିଲେ ପାଞ୍ଚାଳ।


ଶେଷ ହୁଅନ୍ତେ ପ୍ରାରମ୍ଭ କଥୋପକଥନ,

ସନ୍ଦର୍ଭ ସ୍ଥାପନ କଲେ ଦ୍ରୁପଦ ରାଜନ।

ବୋଇଲେ "ହେ ଗୁରୁ ତୁମ୍ଭେ ଜାଣ ପୂଜ୍ୟପାଦ,

କୃଷ୍ଣା ଆଜି ବିଂଶ ବର୍ଷେ ସ୍ଥାପି ଅଛି ପାଦ।

ବିବାହ ଯୋଗ୍ୟା କନ୍ୟାକୁ ଦେଇ ଯୋଗ୍ୟ ବର,

କର୍ତ୍ତବ୍ୟ ପାଳନ କରିବି ମୁଁ ଜନକର।


ସଦା ଧର୍ମ ପଥ ଗାମୀ ମୋ ପାଞ୍ଚାଳ ରାଜ୍ୟ,

ବାହୁଲ୍ୟ, ତା ତୁଲ୍ୟ ବନ୍ଧୁ ଚାହୁଁଛି ମୁଁ ଆଜ।

ପ୍ରସ୍ତାବ ପଠାଇ ଅଛି ମଗଧ ଈଶ୍ବର,

ପୌତ୍ର ମେଘସନ୍ଧି ସଙ୍ଗେ କୃଷ୍ଣା ବିବାହର।

ସଦା ଅଧର୍ମ ପଥରେ ଥାଏ ଜରାସନ୍ଧ,

ଗ୍ରହଣୀୟ ନୁହେଁ ମୋର ତେଣୁ ଏ ସମ୍ବନ୍ଧ।


ହେ ଆର୍ଯ୍ୟ ଶ୍ରେଷ୍ଠ, ଆପଣ ଏ ଆର୍ଯ୍ୟାବର୍ତ୍ତରେ,

ଭ୍ରମିଛନ୍ତି କେତେ କେତେ ରାଜ ଦରବାରେ।

ଗୁରୁକୁଳେ ତବ କେତେ ରାଜା ରାଜପୁତ୍ର,

ହୋଇଛନ୍ତି ଶସ୍ତ୍ର ଶାସ୍ତ୍ର ବିଦ୍ୟାରେ ପଣ୍ଡିତ।

କୃଷ୍ଣା ମୋର ବିଶ୍ୱେ ଅଦ୍ୱିତୀୟା ମହାଭାଗ,

କୁହନ୍ତୁ ମୋ କନ୍ୟା ପାଇଁ କେ ଅଟଇ ଯୋଗ୍ୟ?


ଦୃଢ଼ ଦ୍ରୋଣ-ପ୍ରତିଶୋଧ ପ୍ରତିଜ୍ଞା ମାନସେ

ସମ୍ଭୂତା ଯଜ୍ଞରୁ ମୋର କନ୍ୟା ସେ ଉଦ୍ଦେଶ୍ୟେ।

ସେଥିପାଇଁ ଆହେ ଗୁରୁ ,ଜାମାତା ମୋହର,

ଦ୍ରୋଣଠାରୁ ବଳୀୟାନ ଉଚିତ ହେବାର।

ଧନୁ୍ର୍ବିଦ୍ୟାରେ ଯେ ଥିବ ଦ୍ରୋଣଠାରୁ ବଳି,

ତାକୁ ବିବାହ କରିବ ଯାଜ୍ଞସେନୀ ବାଳୀ।


ସ୍ମିତହସି ସନ୍ଦୀପନୀ ବୋଇଲେ ରାଜନ,

ସେପରି ଥିଲା କେବଳ ପାଣ୍ଡବ ଅର୍ଜୁନ।

ଜତୁଗୃହରେ ଅର୍ଜୁନ ହୋଇଅଛି ମୃତ,

ଦ୍ରୋଣ ସମ ନାହିଁ କେହି ଜଗତେ ବିଦିତ।

ବିନ୍ଦ,ଅନୁବିନ୍ଦ ରାଜପୁତ୍ର ଅବନ୍ତିର,

ଧନୁର୍ବିଦ୍ୟାରେ ସେ ଦୁହେଁ ଅତି ଧୁରନ୍ଧର।"


ଏହାଶୁଣି ବୋଲନ୍ତି ଦ୍ରୁପଦ ନରପତି,

ପାଞ୍ଚାଳର ସମାସ୍କନ୍ଦ ନୁହଇ ଅବନ୍ତି।

ଦ୍ରୋଣ ସମକକ୍ଷ ନୁହଁନ୍ତି ସେ ବେନିଭାଇ,

ପାଞ୍ଚାଳ ଗୌରବ ବଢିବକି ତାଙ୍କୁ ନେଇ ?


ପୁଣି ବୋଇଲେ ଦ୍ରୁପଦ ଶୁଣିଛି ହେ ଗୁରୁ,

କେହି ମହାବଳୀ ନାହିଁ ବାସୁଦେବ ଠାରୁ।

ବାସୁଦେବ କୃଷ୍ଣା ପାଇଁ ଅଟନ୍ତି ସୁଯୋଗ୍ୟ।

ତୁମ୍ଭର ବିଚାର କିସ କୁହ ମହାଭାଗ।


ସନ୍ଦୀପନୀ ବୋଇଲେ ହେ "ସତ୍ୟ ନରସାଇଁ,

କୃଷ୍ଣ ସମ ଯୋଦ୍ଧା କେହି ତିନିପୁରେ ନାହିଁ।

ନାରାୟଣ ଅଂଶୁ ଜନ୍ମ ଦେବକୀ ନନ୍ଦନ,

ଧର୍ମ ସଂସ୍ଥାପନା ଅର୍ଥେ ତାଙ୍କ ଆଗମନ।

ସୌନ୍ଦର୍ଯ୍ୟ ଡୋରରେ ତାଙ୍କୁ କେ ବାନ୍ଧି ନପାରେ।

ଐଶ୍ବର୍ଯ୍ୟ,କ୍ଷମତା ଠାରୁ ରହନ୍ତି ସେ ଦୂରେ।


ନିଜପାଇଁ ପ୍ରହେଳିକା ନିଜେ ଯଦୁମଣି,

ତାଙ୍କ ମନସ୍ତତ୍ତ୍ୱ ଭିନ୍ନ ଅନ୍ୟଠାରୁ ପୁଣି।

କେତେବେଳେ କରନ୍ତି ସେ କେଉଁପରି କାମ,

ନିଜେ ଜାଣି ନପାରନ୍ତି ଭାଇ ବଳରାମ।

ଯେଉଁଠି ଭାବନ୍ତି ସର୍ବେ କୃଷ୍ଣ ଯିବେ ହାରି,

ସେ ସବୁ କ୍ଷେତ୍ରେ ବିଜୟୀ ହୁଅନ୍ତି ଶ୍ରୀହରି।


କେ ବା ଜାଣିଥିଲା କଂସ ସମ ମହାବଳୀ,

ବାଳୁତ କୃଷ୍ଣ ଆଘାତେ ଯିବ ବୋଲି ଟଳି?

ବାରମ୍ବାର ଜରାସନ୍ଧ କଲା ଆକ୍ରମଣ,

ପ୍ରତିଥର ମଥୁରାକୁ ରଖେ ନାରାୟଣ।

ସମୁଦ୍ରମଧ୍ୟେ ଦ୍ବାରକା ପୁର ବସାଇଲେ,

ଯାଦବଙ୍କୁ ନିର୍ଭୟେ ତା ମଧ୍ୟେ ବିସ୍ଥାପିଲେ।

ଅଧର୍ମୀ ମାନଙ୍କୁ କଳେ ବଳେ କରି ଧ୍ବଂସ,

ଧର୍ମ ସ୍ଥାପନା ମାର୍ଗରେ ଛନ୍ତି ଯାଦବେଶ।


ତୁମ୍ଭ ପ୍ରତିଜ୍ଞା ପାଳନ ଦ୍ୟୁତ-ପାଲି ଘରେ,

ବସିବେ ନା ନାହିଁ କୃଷ୍ଣ ମୁଁ ଜାଣି ନପାରେ।

କାହାଦ୍ବାରା ନିୟଂତ୍ରିତ ନୁହନ୍ତି ମାଧବ,

ବିବାହ ସର୍ତ୍ତ ମାନିବେ ସତେ କି ଯାଦବ?

ଦ୍ରୋଣଙ୍କ ସହିତ ତାଙ୍କର ବା କେଉଁ ଦ୍ରୋହ,

ସର୍ତ୍ତ ପାଳି କାହିଁକି ସେ କରିବେ ବିବାହ?


ଜାଣେ ମୁଁ ଅବଶ୍ୟ ଆପଣଙ୍କୁ ପିତା ସମ,

ଅତି ସମ୍ମାନ ଦିଅନ୍ତି ଦେବକୀ ନନ୍ଦନ।

ଧର୍ମ ମାର୍ଗେ ଅଛ ଯେଣୁ ପାଞ୍ଚାଳ ନରେଶ,

ମିତ୍ର ଭାବ ପୋଷିଥାନ୍ତି ସଦା ଯାଦବେଶ।


କୃଷ୍ଣଙ୍କର ଆର୍ଯ୍ୟାବର୍ତ୍ତ କୁଟନୀତି ଘରେ,

ଜାଣେନା କୃଷ୍ଣା ବିବାହ ଅଛି କେଉଁଠାରେ।

ଯଦି ବିଚାରିବେ କୃଷ୍ଣ ଏ ବିବାହ କରି,

ଅର୍ଯ୍ୟାବର୍ତ୍ତେ ଭାରସାମ୍ୟ ହେବ ରକ୍ଷାକରି।

ତାହେଲେ ଅବଶ୍ୟ ଦ୍ରୌପଦୀଙ୍କୁ ବିଭାହେବେ,

କେହି ତାଙ୍କ ପଥେ ବିଘ୍ନ ରଚି ନପାରିବେ।

ଅନ୍ୟଥା ଚକ୍ରୀଙ୍କୁ ବୁଝିବାଟି ଅସମ୍ଭବ,

ଯାହା ଚିନ୍ତିବେ ନିଶ୍ଚୟ କରିବେ ମାଧବ।"


ସନ୍ଦୀପନୀ ମୁଖୁ ଶୁଣି ଏମନ୍ତ ବିଚାର,

ହସ୍ତ ଯୋଡି ବୋଲନ୍ତି ପାଞ୍ଚାଳ ନରବର,

"ଗୁରୁହେ,ମୋ ମନକଥା ଜଣାଅ କୃଷ୍ଣଙ୍କୁ,

ନିମନ୍ତ୍ରଣ ଦିଅ ତାଙ୍କୁ ମୋର ପାଞ୍ଚାଳକୁ।

ଜରାସନ୍ଧ ମଥୁରାକୁ କରି ଆକ୍ରମଣ,

କରିଛି ଧ୍ବସ୍ତ ବିଧ୍ବସ୍ତ ଭଲେ ତୁମ୍ଭେ ଜାଣ।

କୃଷ୍ଣ ଯେବେ ପାଞ୍ଚାଳର ହୋଇବେ ଜାମାତା,

ମଥୁରା ପୁନର୍ଗଠନ ହେବ ଆମ୍ଭ ଚିନ୍ତା।


ପାଞ୍ଚାଳ,ଯାଦବ ମିଶି ଆର୍ଯ୍ୟଭୂମି ପରେ,

ଅଧର୍ମ କରିବେ ଦୂର ଅତି ସହଜରେ।

କୃଷ୍ଣା ବିବାହ ବ୍ୟତୀତ ଅନ୍ୟ କୂଟନୀତି,

ବାସୁଦେବ ସଙ୍ଗେ ଆଲୋଚନାରେ ମୋ ମତି।

ନିମନ୍ତ୍ରଣ ଦେବ ଗୁରୁ ଶ୍ରୀବାସୁଦେବଙ୍କୁ,

ଅତିଶୀଘ୍ର ଦ୍ରୁପଦର ଆତିଥ୍ୟ ନେବାକୁ।"


ଚାହିଁ ଦ୍ରୁପଦଙ୍କ ମୁଖ ଗଭୀର ଦୃଷ୍ଟିରେ,

ସନ୍ଦୀପନୀ ବୋଇଲେ "ହେ ନୃପ ଶୁଣ ବାରେ,।

ଦ୍ରୋଣ ସଙ୍ଗେ ପ୍ରତିଶୋଧ ପଣ ଅଛି ଯାହା,

ଯାଜ୍ଞସେନୀ ବିବାହରୁ ଦୂରେ ରଖ ତାହା 


ରାଜସୁତା ସଂସାର ତା କରୁ ଆନନ୍ଦରେ,

କାହିଁକି ଛନ୍ଦୁଛ ତାକୁ ଏ ରାଜନୀତିରେ?

ଯେତିକି ମୁଁ ଜାଣେ ବାସୁଦେବ ମନସ୍ତତ୍ବ,

ପସନ୍ଦ ନୁହେଁ ତାଙ୍କର ପ୍ରତିଶୋଧ ତତ୍ତ୍ବ।"


ଦ୍ରୁପଦ ଠାରୁ ବିଦାୟ ଘେନି ସନ୍ଦୀପନୀ,

ଦ୍ବାରକା ମୁଖେ ପ୍ରସ୍ଥାନ କଲେ ମହାମୁନି।


*କାମ୍ପିଲ୍ୟ.... ପାଞ୍ଚାଳର ରାଜଧାନୀ

କ୍ରମଶଃ......


Rate this content
Log in

Similar oriya poem from Classics