ଭଙ୍ଗା ଦୀପାଳୀ
ଭଙ୍ଗା ଦୀପାଳୀ


ଦିନେ ଜଳୁଥିଲି
ଆଉ ବି ଜାଳୁଥିଲି
ଅନ୍ଧାରର ଛାତି ଚିରି
ଆଲୋକ ସଂକେତ ଲେଖୁଥିଲି ।
ଏକମାତ୍ର ସଳିତା ମଧ୍ୟ
ସକ୍ଷମତାର କ୍ଷମତା ପାଇଥିଲା
ଟୋପାଏ ତେଲ ହେଲେ ମଧ୍ୟ
ପରୋପକାରରେ ସେ ଲାଗିଥିଲା ।
କେତେ ଦେବ ଉପାସନାରେ
କେବେ ବା ଗର୍ବ ଗୌରବରେ
କେତେ ବୀର ବନ୍ଦନାରେ
କେତେ ମୃତ କାନ୍ଦଣାରେ ।
ମୋ ବିନା ଅସମ୍ଭବ ଥିଲା
ଅତୀତର ସାନ୍ଧ୍ୟ ଆସର
ମୂକସାକ୍ଷୀ ମୁଁ ଯେ ଅଟେ
ଦାମ୍ପତ୍ୟ ପ୍ରେମ ସମ୍ଭାରର ।
ଭଗ୍ନ ମୋ ଅବୟବ ଆଜି
ମନୋରଥ ତ ଭାଙ୍ଗି ଯାଇନି
ସତରେ ଭଙ୍ଗା ଦୀପାଳି କଣ
କେବେ କାହା କାମରେ ଆସେନି ।