ଭଲ ପାଇବାର ମନ ଅଗଣାରେ
ଭଲ ପାଇବାର ମନ ଅଗଣାରେ
ନିଜ ଛଡ଼ା ଘର ଭିତରକୁ ଦେଖନ୍ତି କେଇ ଜଣ
ସମସ୍ତଙ୍କର ଆଖି ପଡ଼େ ଅଗଣାରେ
ଥିଲେ ସଫାସୁତୁରା ଆକର୍ଷି ନିଏ ଦୃଷ୍ଟିଶକ୍ତି
ବାଲକୋନୀ ତଳ ଅଗଣା ସାରା ଥିବା ଫୁଲକୁଣ୍ଡ
ସମସ୍ତେ ହସୁଥାନ୍ତି ମନ ଖୋଲି ଆନନ୍ଦରେ
ତୁମେ ବି ସେମିତି ମୋ ମନ ଅଗଣାର
ହୃଦୟ କୁଣ୍ଡରେ ବାରମାସି ଫୁଟୁଥିବା
ଗୋଟେ ସଜ ଫୁଟା ମହକଭରା ସୁନ୍ଦର ଫୁଲ
ଭଲ ପାଏ ଯିଏ...ସେ ହିଁ ବୁଝେ ତାର ମୂଲ
ଅନ୍ୟର ଆଖିକୁ ଲାଗି ପାରେ କିଛି ବି
ମୁଁ କିନ୍ତୁ କିଛିକୁ କରି ପାରେନି ତା ସାଥେ ତୁଲ
ସତରେ ଭଲ ପାଇବାଠୁ ଭଲ ଆଉ କିଛି
ଏ ଯାଏଁ ମୁଁ ତ ପାରିନି ବାଛି ସେମିତି ମିଛି ମିଛି
ତୁମକୁ ଭଲ ପାଉଛି ଭଲ ପାଉଥିବି ସେମିତି
ମନ ଅଗଣାକୁ ମୋର ସ୍ବଚ୍ଛ ସୁନ୍ଦର ରଖି
ଖରାପଠୁ ଦୂରେଇ ଭଲ ଦେଖିବାକୁ ତ ଏ ଆଖି
ତୁମକୁ ଦେଖିବା ଦିନରୁ ମୋ ମନ ତୁମଠି
ଅଠାକାଠି ପରି ରହିଛି ଦୃଢ଼ ଭାବରେ ଲାଖି
ନାହିଁ ମନରେ ଟିକିଏ ଅବିଶ୍ବାସ କି ସନ୍ଦେହ
ତୁମେ ପ୍ରତାରିତ କରି ଯିବ ବୋଲି ଠକି ଦେଇ
ଆରେ ଦୁନିଆଁରେ ତ ଦେଖିବାକୁ ଗଲେ
ସଭିଏଁ ଏମିତି ଅଛନ୍ତି... କେବଳ ଏକାକୀ
ଏ ସାଥି ଆପଣାର ସବୁ କେବଳ କିଛି ଦିନ ପାଇଁ
କିଏ ବା ରହିଥିବ ସବୁଦିନ କାହା ବାଟ ଚାହିଁ
ମନକୁ କିଛି ବି ସ୍ବାର୍ଥର ଅଳିଆ ଯେ ଯାଏ ଛୁଇଁ ନାହିଁ
ମନ ଅଗଣା ସେ ଯାଏଁ ରହିଥିବ ଅମିଳିନ
ଆଉ ଭଲ ପାଇବା ତ ସବୁଦିନ ଅମ୍ଳାନ
ବିଗାଡି ଦିଏନା କାହାକୁ...ବରଂ ସଜାଡ଼ି ଦିଏ ସବୁ
ଭଲ ପାଇବାରେ ଅଛି " ଭଲ " ଶବ୍ଦଟିଏ
ତାକୁ ଠିକ୍ ବୁଝିଲେ "ମନ୍ଦ" ହେବାର ହିଁ ନାହିଁ
ଯଦିବା ମନକୁ ଆସୁଥିବ ସେମିତି ଭାବ
ଜାଣିଥାଅ ମନ ଭିତରେ ଭଲ ପାଇବା ନଥିଲା
କେବଳ ସ୍ବାର୍ଥର ବଶରେ ହିଁ ଆକର୍ଷଣ ଥିଲା
ସେ ଥିଲା କେବଳ ମିଛ ନାଟକର ଦୃଶ୍ୟ
ଛଳନାର କୁହୁଡ଼ିରେ ପହଁରିବା ଏକ ଉଦ୍ଭଟ କାମନା
ଯାହା ଦିନେ ଆଣି ଦିଏ ବିଫଳତାର ପ୍ରମାଣ
ମୋ ଭଲ ପାଇବା ମନ ଅଗଣାରେ
ଏ ସବୁ ନଥିଲା ଏବେ ନାହିଁ କି ଆଗକୁ ବି ରହିବନି
କାହିଁକି ନା...ଏଇଟା ଭଲ ପାଇବାର ଅଗଣା
ପ୍ରକୃତରେ ହୃଦୟରୁ ଭଲ ପାଉଥିଲେ
କେହି କେବେ କାହାକୁ କରେନା ପ୍ରତାରଣା...।
