ଭକ୍ତି
ଭକ୍ତି
ଭକତ ଅନ୍ତର ଭକ୍ତି ସରୋବର ଭକ୍ତି ପଦ୍ମଫୁଲ ଫୁଟଇ
ସେ ଫୁଲ ଫୁଟିଲେ ମହକ ଚହଟେ ଭକ୍ତ ବିହ୍ଵଳିତ ହୁଅଇ
ଭକ୍ତି ମକରନ୍ଦ ପାନକରି ଭକ୍ତ ଭଗବାନଙ୍କର ନିକଟ
ପାରି ହୋଇଯାଏ ସଂସାର ସରିତ ପଥହେଉ ଯେତେ ବିକଟ ।।
ଭକ୍ତ ପ୍ରହଲ୍ଲାଦ ଭକତି ଭାବରେ ସ୍ଥମ୍ଭରୁ ଉତ୍ପତ୍ତି ନୃସିଂହ
ଭକ୍ତି ବଳେ ଧ୍ରୁବ ସୌରଜଗତର ଅନନ୍ୟ ଉଜ୍ବଳ ଜ୍ୟୋତିଷ୍କ
କୈବର୍ତ୍ତ ଭକତି ବ୍ରହ୍ମା ସଦାଶିବେ ଯେପଦ ଦୁର୍ଲଭ ଦରବ
ସେହିପଦ ଧୌତ କରି ତରିଗଲା ତୁମ ଲୀଳା ଅଭିନବ ।।
ଭକତ ଵିଦୁର ଶାଗଭଜା ଦେଇ କରିପାରିଥିଲା ତୃପତ
ଗୋପାଙ୍ଗନା ଭକ୍ତି ବଳେ ତରିଗଲେ ଲଭି କୃଷ୍ଣ ପ୍ରେମ ଅମୃତ
ଭକ୍ତି ବଳେ ଦୀନ ସୁଦାମା ବ୍ରାହ୍ମଣ କୁବୁଜା ସଂସାର ସାଗର
କରାଳ ଗରଭୁ ଭକତି ର ଶକ୍ତି ସ୍ଵତ୍ସନ୍ଦେ ହୋଇ ଗଲେ ପାର ।।
ଭକ୍ତି ବଳେ ବୁଦ୍ଧ ଜୈନ ଚୈତନ୍ୟ ଦେବତା ଆସନ ଲଭିଲେ
ଭକ୍ତି ବଳେ ଭକ୍ତ ତୁଳସୀ ଦାସ ଯେ ରାମ କଥା ଗୀତେ ଲେଖିଲେ
ଭକ୍ତି ର ଶକତି ଈଶ୍ଵରୀୟ ଉର୍ଜ୍ଜା ଉଦ୍-ଜିବିତ କରେ ଜୀବନେ
ଭକ୍ତିନିରେ ଡୁବ ମାରିଲେ ଅଜୟ ମାନବ ବି ତିନି ଭୁବନେ ।।
ଭକତିର ବଳେ ଅଛୁଆଁ ବାଉରୀ ବାଲି ଗାଆଁ ବାସୀ ଦାସିଆ
ନଡ଼ିଆ ଶ୍ରୀହସ୍ତ ବଢାଇ ନେଇଛ ଭକ୍ତ ବନ୍ଧୁ ନୀଳାଚଳିଆ
ବାଲିରଥେ ଦାଶ ବଳରାମ ଝରେ ଝର ଝର ଭକ୍ତି ଲୋତକ
ନନ୍ଦିଘୋଷ ଛାଡି ବିଜୟ କରିଛ ଭକ୍ତି ବଳେ ବିଶ୍ୱ ପାବକ ।।
ଭକ୍ତି ବଳେ ବାନ୍ଧେ ସାଲବେଗ ଗୀତେ ଯେ ନିମେଇଁ ହରିଚନ୍ଦନ
ୟେସବୁ ଭକତ ଭକ୍ତି ଭାବ କଥା କରିତ ନହେବ ବର୍ଣ୍ଣନ ।।