STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଭକତ ବନ୍ଧୁ

ଭକତ ବନ୍ଧୁ

2 mins
17


ଭକତି ଦୁଆର ଯାର ସଦା ଖୋଲା ରହେ

ଭକ୍ତି-ଭାବ-ପ୍ରିୟ ପ୍ରଭୁ ନିତି ଖୋଜୁ ଥାଏ

ଭକତ ତା' ପିତାମାତା ଭକତ ତା' ବନ୍ଧୁ

ଭକତ ନିମନ୍ତେ ତା'ର ନାମ କୃପାସିନ୍ଧୁ

ଭକତ ହିତରେ ଯା'ର ସଦା ଅନୁଧ୍ୟାନ

ଭକତ ନିମନ୍ତେ ଶଙ୍ଖ ଚକ୍ର ବି ଧାରଣ

ଧେନୁ ପଛେ ବତ୍ସା ସ୍ତନ୍ୟ ପାନ ଲୋଭେ ଗମେ 

ଭକତ ନିମନ୍ତେ ସିଏ ଥାଇ ସେହି କ୍ରମେ

ଭକ୍ତ ପ୍ରିୟ ଭକ୍ତ ହିତ ପାଇଁ ଭାବଗ୍ରାହୀ

ଯୁଗ ଯୁଗ ଧରି ଭକ୍ତ ହିତେ ଛନ୍ତି ରହି

ଭାବ ଭକ୍ତି ପୂର୍ଣ୍ଣ ହେଉ ଅବା ବନ୍ଧୁ ଭାବ

ଭାବ ପ୍ରିୟ ଭାବଗ୍ରାହୀ ପରଖନ୍ତି ଭାବ


ସତ୍ୟ ଯୁଗେ ଭକ୍ତ ଧୃବ ପ୍ରହଲ୍ଲାଦ ଡାକ

ଭକ୍ତ ବତ୍ସଳ ଭାବଗ୍ରାହୀ କଲେ ସାର୍ଥକ 

ଭକ୍ତର ସୁରକ୍ଷା ପାଇଁ ହେଲେ ଆବିର୍ଭାବ

ନରସିଂହ ରୂପ ଆଢ଼ୁଆଳେ ଭକ୍ତି ଭାବ

ଚକ୍ର ପେଶି ନକ୍ର ନାଶି ଗଜ ଉଦ୍ଧରିଲା

ଭାବଗ୍ରାହୀ ଙ୍କୁ ଯେବେ ଗଜ ମନେ ଚିନ୍ତିଲା

ମୃଗୁଣୀ ର ଭକ୍ତି ନିବେଦନ ହୋଇ ଜ୍ଞାତ

ଭାବଗ୍ରାହୀ କଷଣ କୁ କଲେ କରାୟତ 

ତ୍ରେତୟାରେ ଶବରୀ ଭକ୍ତିରେ ଥିଲା ଭାବ

ଭାବଗ୍ରାହୀ ଙ୍କ ଅଇଁଠା କୋଳି ଖିଆ ଭାବ

ଶବରୀ ମନର ଭାବନାରେ ଭକ୍ତି ଭାବ

ଭକ୍ତ ପ୍ରିୟ ପ୍ରଭୁ ସ୍ଵୟଂ ହେଲେ ଆବିର୍ଭାବ

ଦ୍ଵାପର ଯୁଗର କାହାଣୀ ଅଟେ ଭାବର

ଭାବ ଥିଲେ ଭାବ ମିଳେ ଜାଣିଲା ସଂସାର

ରାଧାର ଖୋଲା ଖୋଲି ପ୍ରେମ ଭାବ ସହିତ

ଭାବଗ୍ରାହୀ ନିଜେ ବାନ୍ଧି ହୋଇଲେ ତ୍ୱରିତ

ଭାବରେ ବିହ୍ବଳ ମୀରା ଜପି କୃଷ୍ଣ କୃଷ୍ଣ 

ଭକ୍ତି ନିଷ୍ଠାରେ ଭାବଗ୍ରାହୀ ହେଲେ ଆକୃଷ୍ଟ

ଅର୍ଜ୍ଜୁନ ବିଷାଦ ଜାଣି ସ୍ଵୟଂ ଭାବଗ୍ରାହୀ

ବନ୍ଧୁତ୍ୱର ଭାବ ରଖି ବାର୍ତ୍ତା ଦେଲେ ତହିଁ 

ଗୀତା ଜ୍ଞାନ ବାଣୀ ଥିଲା ବନ୍ଧୁତ୍ୱ ର ଭାଷା

ବ୍ରହ୍ମ ଜ୍ଞାନର ଉଦ୍ରେକ ହୋଇଲା ସହସା 

ଦରିଦ୍ର ସୁଦାମା ବନ୍ଧୁ ଭାବରେ ଭେଟିଲା

ଦାରିଦ୍ର୍ୟ,ଅଭାବ କଥା ଅନ୍ତରରେ ଥିଲା

ଭାବଗ୍ରାହୀ ଜାଣି ଦେଲେ ,ଖୁଦ ଭଜା ଖାଇ

ନିଜ ହୃଦୟେ ବନ୍ଧୁଙ୍କୁ ରଖିଲେ ଲଗାଇ

ବନ୍ଧୁତ୍ୱର ପରାକାଷ୍ଠା ବଜାୟ ରହିଲା

ଭାବଗ୍ରାହୀ ନାମ ବନ୍ଧୁ ଭାବେ ଗଣା ହେଲା


ଭାବଗ୍ରାହୀ ସ୍ୱୟଂ ହୋଇଛନ୍ତି ବିରାଜିତ

କଳିରେ ଶ୍ରୀକ୍ଷେତ୍ରେ,ଭାଇ ଭଉଣୀ ସହିତ

ଭକ୍ତି ଭାବରେ ଦାସିଆ ନଡ଼ିଆ ବଢ଼େଇ

ନିଜ ହାତେ ନିଅ ଯଦି ତୁମେ ଭାବଗ୍ରାହୀ 

କାଳିଆ ଠାକୁର ଜାଣି ଦାସିଆ ର ଭାବ

ସ୍ଵୟଂ ହାତ ବଢ଼ାଇ ଭାବ ହେଲା ସମ୍ଭବ

ବଡ ଦାଣ୍ଡେ ଚର୍ଚ୍ଚା ହେଲା ଦାସିଆ ର ଭାବ

ଭାବ ଥିଲେ ହୃଦୟେ ସବୁ ହୁଏ ସମ୍ଭବ

ସାଲବେଗ ,ଭକ୍ତି ଭାବ ରଖି ଡାକ ଦେଲା

ରଥ ରହିଗଲା ,ଯାହା ଭକ୍ତ ଚାହୁଁଥିଲା

ଅପେକ୍ଷା ରହିଲା ସାଲବେଗ ଆସିବାକୁ

ଭକ୍ତ ଦେଖା ପରେ ରଥ ଗଡିଲା ଆଗକୁ

ବନ୍ଧୁ ମହାନ୍ତି ଭାବରେ ବନ୍ଧୁ ଓ ବନ୍ଧୁତା 

ସେ ଭାବ ରେ ଥିଲା ବନ୍ଧୁତ୍ୱ ର ନିବିଡ଼ତା 

ଭକ୍ତ ସହ ଭଗବାନ ବନ୍ଧୁ ଭାବ ଅଛି 

ଯୁଗ ଯୁଗ ଧରି ଭାବ ଅକ୍ଷୁର୍ଣ୍ଣ ରହିଛି 


ଭାବ ରଖିବା କାଳିଆ ସାଆନ୍ତ ସହିତ

ନିଜ ଅନ୍ତରର ଭାବ ହେଉ ସମର୍ପିତ

ଭାବର ସହରେ ମୋର ତୁମେ ଭାବଗ୍ରାହୀ

ମିଛ ମାୟା ତୁଟି ଯାଉ ତୁମ ନାମ ଧ୍ୟାୟୀ

ଧେନୁ ପଛେ ବତ୍ସା ସ୍ତନ୍ୟ ଲୋଭେ ଯିବା ସମ

କୃପା ଆଶେ ପ୍ରଭୁ ନାମ ଭଜ ଅବିରାମ

ଭାବ ବିନୋଦିଆ ସିଏ ଭାବର ଠାକୁର

ଭାବରେ ପାଖରେ, ଅଭାବରେ ବହୁ ଦୂର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract