STORYMIRROR

Geetanjali Prusty

Abstract

4  

Geetanjali Prusty

Abstract

ଭିନ୍ନ ଏକ ସ୍ମୃତିର ପୃଷ୍ଠାରେ

ଭିନ୍ନ ଏକ ସ୍ମୃତିର ପୃଷ୍ଠାରେ

1 min
266


 ସେହି ପିଲାଦିନ ମୋର ଆସିଥିଲା

ପୁଣ୍ୟ କାଠଯୋଡ଼ି ତୀରେ

ନଦୀ ପଠା କାଶତଣ୍ଡୀ ଫୁଲର ଶୋଭାରେ

ସୁନିର୍ମଳ ଜଳରାଶିର ନୀଳ

ନୀଳ ଢେଉରେ

ସୁନା ରଙ୍ଗ କନିଅରର 

ଅପୂର୍ବ ଶୋଭାଙ୍ଗନରେ


ସେହି ପିଲାଦିନ ମୋର ଆସିଥିଲା

ସାଙ୍ଗସାଥୀ ମେଳରେ

ବୋହୂ ବୋହୂକା ଖେଳରେ

ସଢ଼େଇରେ ଭାତ ଡାଲି ରାନ୍ଧି

ପରଷି ଦେବାରେ

ପୁଚି, କବାଡି, ଲୁଚକାଳି ଖେଳର ଆସରେ


ସେହି ପିଲାଦିନ ମୋର ଆସିଥିଲା

ବହି ବସ୍ତାନି ଧରି ସ୍କୁଲ ଯିବା ରାସ୍ତାରେ

ଅଣ ଓସାରିଆ ଧୂଳି ଧୂସରିତ

କିଆ ଗୋହିରୀ ମଧ୍ୟରେ

ଜାମୁକୋଳିର ମିଠା ମିଠା ସ୍ୱାଦରେ

ରୀନା, ଲିନା, ବୁବୁ, ଟୁବୁଙ୍କ

ମନ ମାତାଣିଆ ନିର୍ଭେଜାଲ

ଜୀବନ ସଙ୍ଗୀତରେ


ସେହି ପିଲାଦିନ ମୋର ଆସିଥିଲା

ଦୋଳ ଯାତ, ହୋଲିର ରଙ୍ଗ ଅବିରରେ

ରଜ ଦୋଳି, ପୋଡ଼ ପିଠା, ତାସ,

ବାଗୁଡ଼ି ଖେଳରେ

ରଜ ପାନର ମିଠାମିଠା ବାସ୍ନାରେ

ଘର ଘର ବୁଲି ଖୁସି ମନେଇବାରେ


ସେହି ପିଲାଦିନ ମୋର ଆସିଥିଲା 

ଭୋଦୁଅର ଖୁଦୁରୁକୁଣୀ ଓସାରେ

ରାତି ଘଡ଼ିଏ ଥାଇ କାହାର

ବାଡ଼ି,ଘରୁ ଫୁଲ ଚୋରି କରିବାର

ନିଆରା ଆନନ୍ଦରେ 

ଅଶିଣର ଜହ୍ନି ଓସାରେ

କୁମାର ପୁନେଇଁ ଜହ୍ନରେ 

ଫୁଲ ବଉଳ ବେଣୀ ଗୀତରେ 

ଅନାବିଳ ଆତ୍ମ ସନ୍ତୋଷରେ


ସେହି ପିଲାଦିନ ମୋର ଆସିଥିଲା

ବାପା ମାଆଙ୍କ ଅଧୁରା ସ୍ବପ୍ନରେ

ମଣିଷ ଭଳି ମଣିଷ ହେବାର

ସୁଦୃଢ଼ ଦସ୍ତାବିଜରେ

କେମିତି କେଜାଣି ଏତେ ସବୁ ଇସ୍ତାହାର

ପାଣି ଫୋଟକା ଭଳି ମିଳାଇ ଗଲା

ଏବେ ସେସବୁ କେବଳ

ଏ ଜୀବନ ସଞ୍ଜରେ

ଶୋଭା ପାଏ 

ଭିନ୍ନ ଏକ ସ୍ମୃତିର ପୃଷ୍ଠାରେ

ଭିନ୍ନ ଏକ ସ୍ମୃତିର ପୃଷ୍ଠାରେ ।


Rate this content
Log in

Similar oriya poem from Abstract