STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ଭିନ୍ନ ଏକ ସକାଳ

ଭିନ୍ନ ଏକ ସକାଳ

1 min
140

ଏଇ ଉଠ ଉଠ ସକାଳ ହେଲାଣି 

ନିଦ ଭାଙ୍ଗି ଜାଗି ଉଠିଲାଣି ପୃଥିବୀ 

ତାରାମାନେ ଶୋଇଗଲେଣି ନୀରବରେ

ଜହ୍ନ ଲୁଚିଗଲାଣି ବାଦଲର ଆଢୁଆଳେ 

ଶିରି ଶିରି ବହିଲାଣି ସକାଳର ଶୀତଳ ପବନ ,

ରାତିର ଦୁଃସ୍ବପ୍ନସବୁ କୁଙ୍କୁରି କାଙ୍କୁରି ହେଲେଣି

ଭାଙ୍ଗିଲାଣି ସକଳ ନୀରବତା

ଅସ୍ପଷ୍ଟ ହେଲାଣି ରାତିର ମାଦକତା

ଆଉ ମାୟା ନଗରୀର ଛମ୍ ଛମ୍ ପାଉଁଜିର ଶବ୍ଦ


ସକାଳର କଅଁଳ ସୂର୍ଯ୍ୟଙ୍କ ସ୍ନିଗ୍ଧ କିରଣରେ

ହସିଲାଣି ବଣ ବିଲ ସବୁଜ ବନାନୀ

ଫାଟିପଡିଲାଣି ପଶୁପକ୍ଷୀଙ୍କ ଅପୂର୍ବ କୋଳାହଳ 

ନରମି ଗଲାଣି ସ୍ବର ହିଂସ୍ର ଜନ୍ତୁଙ୍କର ଲତା ଗହଳରେ

ନିର୍ଭୟରେ ବୁଲିଲେଣି ଶହ ଶହ ନୀରିହା

"ନିର୍ଭୟା" ଅବା "ପ୍ରିୟଙ୍କା" ମାନେ ସକାଳର ଆଲୋକରେ

ନାରୀ ମାଂସ ଲୋଭି କାମୁକ ପିଶାଚମାନେ ଦିନ ଗଣିଲେଣି 

ଅଣଓସାରିଆ ନିବୁଜ ଗୃହର ଅନ୍ଧାର ଭିତରେ


ଆଉ ଅଳ୍ପ ମାତ୍ର ବ୍ୟବଧାନ ଫାଶିଖୁଣ୍ଟର ଦୂରତ୍ବ

ଯେତେ ନିର୍ଲଜପଣିଆ ପାଶବିକତାର ଅନ୍ତିମ ପୂର୍ଣ୍ଣଛେଦ,

ଆଇନର ଲୁଚକାଳି ଖେଳର ଯେତେ 

ଗଳାବାଟର ପୂର୍ଣ୍ଣ ଯବନିକାପାତ , 

ଏକ ଅବିଶ୍ରାନ୍ତ ଅଦମ୍ୟ ସଂଘର୍ଷର ଫଳପ୍ରଦ ଶେଷ 

କେତେ ମା' ମାନଙ୍କ ଆଖିରେ ଆଶାର ସନ୍ଦେଶ 

ହାତ ପାପୁଲିରେ ପୁନଶ୍ଚ ବିଶ୍ବାସର ଢଳଢଳ ପ୍ରତିବିମ୍ବ


ହେଇ ଶୁଣ ଶୁଣ

ଗୁଣୁ ଗୁଣୁ ଗାଉଥିବା 

ପକ୍ଷୀର ସେ ଅସ୍ପଷ୍ଟ ସଂଗୀତ ,

ପାହାଡୀ ଝରଣାର କୁରୁକୁଳୁ ସୁର

କୋଟି କୋଟି ନୀରିହା ଅବଳା ଦୁର୍ବଳାମାନଙ୍କ ହୃଦୟରେ

ଆଗକୁ ମାଡି ଯିବାର ଦୁର୍ବାର ସ୍ପନ୍ଦନ 

ନ୍ୟାୟ ଅନ୍ୟାୟର ଚକାଭଉଁରୀରେ 

ଜନ୍ମ ନେଲାଣି ଏକ ଭିନ୍ନ ମାନଚିତ୍ର ଅଖଣ୍ଡ ଭାରତର


ସୁପ୍ତ ଚେତନାର ଅନ୍ରରାଳେ ସ୍ପଷ୍ଟ ଦୃଶ୍ୟମାନ 

ଭିନ୍ନ ଏକ ଜ୍ୟୋତିର ପ୍ରଲମ୍ବିତ ଶିଖା

କେତେ କାଳ ଆଖିବୁଜି ଅଭିନୟ କରୁଥିବା

ଆଉ କେତେ କାଳ ସଂକୀର୍ଣ୍ଣ ସ୍ବାର୍ଥର ଯୂପକଠରେ

ନିଜ ବିବେକକୁ ବଳି ଦେଉଥିବା

ଆଉ ନିଜ ଅଧିକାରକୁ ବନ୍ଧାପକାଇବା


ହେଇ ଆସ ଆସ

ଅନ୍ଧାରରୁ ଆଲୋକକୁ ଯିବା

ବୁନ୍ଦା ବୁନ୍ଦା ଲୁହ ବଦଳରେ ହସ ବୁଣିଦେବା

ଏବେ ପରା ସକାଳ ହେଲାଣି

ଆଉ କି ଭୟ ଯେ

ଯାହା ଖାଲି ଅପେକ୍ଷା ଏବେ ଖୁଣ୍ଟା ବରଗଛରେ 

ପତ୍ର କଅଁଳିବାର ମାହେନ୍ଦ୍ର ସମୟ,

ଡେଣା ମେଲି ପକ୍ଷୀଙ୍କର ଉଡିବାର ବେଳ 

ନୀଳ ଆକାଶର ନିର୍ଲିପ୍ତ ଛାତିରେ,

ରାତିର କିଟିମିଟି ଅନ୍ଧାର ଭିତରୁ 

ଆଲୋକର ଆତ୍ମପ୍ରକାଶ ସହ

ସୁଆହ୍ବାନ ଭିନ୍ନ ଏକ ସକାଳର 


Rate this content
Log in

Similar oriya poem from Abstract