ଭିନ୍ନ ଏକ ଶବରି
ଭିନ୍ନ ଏକ ଶବରି
କାଳ ବି ଅପେକ୍ଷାରତ
ଆଜି ବି ଶବରି ରୂପରେ
ତାର ପ୍ରେମର ପ୍ରତୀକକୁ
ସେ ପୁରୁଷୋତ୍ତମଙ୍କୁ
ସାଇତି ରଖିଛି ବୋଝ ବୋଝ
ଚାଖି ଚାଖି ମିଠା ମିଠା କୋଳି
ଅଲଗା କରି
ତଥାପି ଫେରି ନାହାନ୍ତି
ରାମ, ସୀତା ନା ଲକ୍ଷ୍ମଣ
ଫେରିବା ବାଟକୁ ଚାହିଁ
ପେଜୁଆ ହେଲାଣି ଆଖି...
ଥରୁଟିଏ ଥରୁଟିଏ ଆସନ୍ତନି ?
ଆସନ୍ତ କି ତୁମେ !
ପାଖରେ ବସାଇ ଖୁଆଇ ଦିଅନ୍ତି
ମିଠା ମିଠା କୋଳି, ଚାଖି ଚାଖି
ପବନବି ବୋହିଯାଏ
ଥକ୍କା ମାରି ସେ ତାର ବାଟରେ
ଦିନ ଯାଇ ସନ୍ଧ୍ୟା ହୁଏ
ସନ୍ଧ୍ୟା ପରେ ରାତି
ବିଡ଼ମ୍ବିତ ଜହ୍ନ ବି ଫୁଲେଇ ହୁଏ
ଶବରିକୁ ଦେଖି .
.
ଗୋବର ପୋଛା କାନ୍ଥ ଆଉଜି
ଦୀପଟିଏ ଜାଳି ଜଗି ବସେ
ଚିହ୍ନା - ଅଚିହ୍ନାର ପାଦ ଶବ୍ଦକୁ
ଚୁପ୍ ଚାପ୍ ଶୁଣେ
ଆସିଲେ କି ତାର ପଦପଲ୍ଲଭ ମୁରାରି
କିନ୍ତୁ ଆସନ୍ତିନି କେହି
ତଥାପି ସେ ଅପେକ୍ଷା କରେ
ବଦଳି ଯାଏ ଋତୁ
ଭିଜି ଭିଜି ଶ୍ରାବଣରେ
ସିଝି ସିଝି ପ୍ରଚଣ୍ଡ ଗ୍ରୀଷ୍ମରେ
ଶିରି ଶିରି ପବନରେ
ଆଉ ପାଣିର ଗାରରେ
ଆସିବେ କି ତାର ହୃଦୟର ଠାକୁର
ସମୟର ଏକୁଳେ ସେକୁଳେ
ଲୁହ ଭରା ବନ୍ଧନରୁ
ଖୋଜେ ମୁକ୍ତିର ସନ୍ଧାନ
ତଥାପି ଅସନ୍ତେନି କେହି
ନା ଆସନ୍ତି ରାମ ।