ଭିକାରୀ
ଭିକାରୀ
ଏକାନ୍ତରେ ବସି ଯେବେ ଘାରେ ମତେ ଚିନ୍ତା
ଲେଖି ହୋଇଯାଏ ଆପେ ଆନେକ କବିତା।
ଅନାୟାସେ ଶବ୍ଦ ଆସେ ଭାବେ ଛନ୍ଦିହୋଇ
ଗୁନ୍ଥି ହୋଇଯାଏ ମାଳ ଶବ୍ଦଯୁକ୍ତ ହୋଇ।
ସେ ସମୟେ ଭିକାରୀଟେ ଆସି ଗାଏ ଗୀତ
ଅକସ୍ମାତେ ଲେଖିବାରେ ହୁଏ ମୋ ବ୍ୟାଘାତ।
କଟୁଭାଷା କହି ତାକୁ ଯେବେ ଦେଲି ଗାଲି
ଲେଖାରେ ବ୍ୟାଘାତ କଲୁ ଭିକାରୀ ତୁ ବୋଲି।
ଛଳଛଳ ଆଖି ତାର ଗୀତ ବନ୍ଦ କରି
ମନରେ ଭାବିଲି ମୁହିଁ ଏତେ ସ୍ବାର୍ଥୀ ବୋଲି ।
ତାପରେ କହିଲି ଗାଆ ଗାଆରେ ଭିକାରୀ
ମନଦେଇ ଶୁଣିବି ମୁଁ ଗୀତ ତୋର ବୋଲି।
ତୋ ଜୀବନ ମୋ କବିତା ଏକା ଉପାଦାନେ
ଦୁଃଖକଷ୍ଟେ ଭିଜା ବୋଲି ମୋ ମନକୁ କିଣେ।
କଙ୍କାଳ ଶରୀର ଆଉ ଦୁଃଖୀର ବିକଳ
ଆଦ୍ର ହୋଇଯାଏ ହୃଦ ଝରେ ଅଶ୍ରୁଜଳ ।