ଭିଜାଭିଜା ବରଷାକୁ ଦେଖି
ଭିଜାଭିଜା ବରଷାକୁ ଦେଖି
ଆରେ ବାପ ଧନ ଶୋଇରହୁ କିଆଁ
ଦେଖ ତ ଆକାଶୁ ଝର
ଭିଜାଇ ଦେଲାଣି ସକଳ ମହୀକୁ
ଅଳସକୁ ପରିହର?
ଶୋଇରହୁ କିଆଁ ବେଳଥାଇଁ ବନ୍ଧ
ବାନ୍ଧିଦିଅ ଆନନ୍ଦରେ
ବରଷାର ଜଳ ଥରେ ଚାଲିଗଲେ
ଆଉ କି ପାଇବୁ ବାରେ?
କୃଷକ ଘରରେ ଜନମ ହୋଇକି
ପଛଘୂଞ୍ଚା କିଆଁ ମନ
ଅମରୁତ ଖସେ ଝରଝର ଦେଖ
କରମେ ରଖ ଧିଆନ?
ତୋର ବାପା ଆଉ ଜେଜେ ବାପା ଦିନେ
ଏହି କରମକୁ କରି
ଆମ ଏ ଗାଆଁରେ ବଡ଼ଚାଷୀ ରୂପେ
ଗଣାଥିଲେ ଦିନେ ଜାରି।
ଛଅମାସ ଯଦି କରମ କରିବୁ
ବରଷକୁ ସଞ୍ଚିଦେବୁ
ଆଉ ଛଅମାସ ବିନା କରମରେ
ପେଟକୁ ହିଁ ଭରୁଥିବୁ।
ଦେଖ ଚାରିଆଡେ଼ ଚଷା ପୁଅମାନେ
ବିଲରେ ବଳଦ ସହ
ଗେଲ କରିବାରେ ଆନନ୍ଦ ନେଲେଣି
ତୋରବେଳେ ଶୋଇରହ।
ବୈଶାଖରେ ଦିନେ ଗୁଣ୍ଡି କରିଲୁନି
ଆଷାଢେ଼ ନାହିଁ ବି ମଣ୍ଡି
ସମୟ ଯଦିରେ ଅପଚୟ ହେବ
ମରିବା ସାର ଦରାଣ୍ଡି।
ଜେଜି କହୁଥିଲେ ପାଖରେ ବସାଇ
ନାତିକୁ ହିଁ ଗେଲକରି
ଚେଇଁ ଶୋଇଥିବା ନାତିଟା ଉଠିଲା
ଚାଲିଲା ହଳକୁ ଧରି।
ବୈଶାଖରେ ସିନା ଗୁଣ୍ଡି କରିନାହିଁ
ଆଷାଢେ଼ ମଣ୍ଡି ସେ କରି
ତଳି ରୋଇଦେଲା ବୈଜ୍ଞାନିକ ଭାବେ
ପଦ୍ଧତିକୁ ଅନୁସରି।
କଚାଡି଼ ହୋଇଲା ସୁନାର ଫସଲ
ଦେଖି ଜେଜି ହେଲେ ଖୁସି
ନାତିକୁ ସାବାସି ଦେଇ କହିଗଲେ
ତୋ'ଠାରୁ କେ'ହେବ ବେଶୀ।