ଭିଜା ମାଟିର ମହକ...
ଭିଜା ମାଟିର ମହକ...
ଅସରାଏ ବର୍ଷାରେ-
ପୁରି ଯାଏ ମୋ ମନ ଅମାର,
ଶ୍ରାବଣ ଛାତିରେ ଦେଖି
ସୃଜନର ଶହେ ବର୍ଣ୍ଣ-ବିଭା
ଫୁଲି ଉଠେ ମଧୁ ସ୍ମୃତି ଅଜସ୍ର ଜୁଆର ll
ଅକାଶର ଲୁହ ଦେଖି କେବେ -
ହସୁଥିଲି... ଭାସୁଥିଲି... ମୁଁ
ତୁମ ନୀଳ ନୟନରେ ;
ମନେପଡ଼େ ଏବେ.....
ତୁମେ ସତେ ଛନ୍ଦୁଥିଲ... ବାନ୍ଧୁଥିଲ..
ବହଳ ବରଷା କେତେ
ଗହଳ ଗଭାରେ ତୁମ,
ରିମଝିମ ଶ୍ରାବଣର ଝର..
ଅହରହ ଝରୁଥିଲା
ତୁମ ଚୂର୍ଣ୍ଣ-କୁନ୍ତଳ ଅବା
ଝୀନ ଉତ୍ତରୀରେ.... ll
ସଜ-ସଂଜର ସଲଜ୍ଜ ଉହାଡ଼େ
ହଜୁଥିଲେ.. ଭିଜୁଥିଲେ... ଆମେ
ଭିଜାମାଟି ଗନ୍ଧ ପାଇଁ ବିଭୋର ପଣରେ...
ତମେ ସତେ ତାତୁଥିଲ, ମାତୁଥିଲ
ପ୍ରମଦା ଗୋ ବେଗମତୀ ନଈ !!
ମେଘର ଉନ୍ମାଦ ନେଇ
ସାରା ରାତି ବର୍ଷୁଥିଲି ମୁହିଁ
ବିନ୍ଦୁ ବିନ୍ଦୁ ଜଳ ହୋଇ -
ତୁମ କୃଷ୍ନ କବରୀ ବେଢ଼ାରେ....
ତୁମ ସ୍ଵର୍ଣ୍ଣ ଓଠ ଉପକୂଳେ....
ପୁଣି କେବେ -
ତୁମ ପୂର୍ଣ୍ଣ ଉଛୁଳା ଛାତିରେ
ଗଭୀରତା ମାପୁଥିଲି -
ତୁମ ଦେହ ଦେଉଳର ମୁଖଶାଳା,
ଗମ୍ଭୀରା ଓ ଦଧିନଉତିରେ....
କୂଳ ଲଂଘୁଥିଲ ତୁମେ
ସହସ୍ର ଆଶ୍ଳେଷ ପରେ ll
ତୁମେ ଗଲାଦିନୁ
ନା ଅଛି ମେଘର ଉନ୍ମାଦ
ନା ଅଛି ଚମତ୍କାର ରଙ୍ଗ ଶ୍ରାବଣର !!
ତୁମେ କିନ୍ତୁ ଋତୁଗନ୍ଧା.... ଋତୁମତୀ...
ତଟକା ଫୁଲର ବାସ....
ସେ ବାସରେ ଏବେବି ମହକେ
ଯେତେସବୁ ମୋର -
ନିର୍ବାସିତ ଅସ୍ପୃଶ୍ୟ ପ୍ରହର... ll